“ନରେନ୍ଦ୍ର ମୋଦି ଓ ଅମିତ ଶାହ ଆମକୁ ଚୁପ କରାଇ ପାରିବେନି”

ନୂଆଦିଲ୍ଲୀ: କଂଗ୍ରେସ ମୁଖ୍ୟାଳୟ ଓ ଦଳର ଅଧ୍ୟକ୍ଷ ସୋନିଆ ଗାନ୍ଧିଙ୍କ ବାସଭବନରେ ପୁଲିସର ଘେରାବନ୍ଦୀକୁ ନେଇ ରାଜନୀତିକ ବୟାନବାଜୀ ଆରମ୍ଭ ହୋଇଛନ୍ତି। ସେହିପରି ଜଣଙ୍କ ପରେ ଜଣେ ବିରୋଧୀ ଦଳର ନେତାଙ୍କୁ କେନ୍ଦ୍ରୀୟ ତଦନ୍ତକାରୀ ସଂସ୍ଥା ଟାର୍ଗେଟ କରିବାରେ ଲାଗିଛି। ଏହାକୁ ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ ଶାହଙ୍କୁ ସମାଲୋଚନା କରିଛନ୍ତି କଂଗ୍ରେସ ସାଂସଦ ରାହୁଲ ଗାନ୍ଧି।
କେନ୍ଦ୍ରୀୟ ଏଜେନ୍ସି ଦ୍ୱାରା ମୋଦି ଓ ଶାହ ବିରୋଧୀ ଦଳର ସ୍ୱରକୁ ଚାପି ଦେବା ପାଇଁ ଚାହୁଁଛନ୍ତି। ହେଲେ ସେମାନେ ଆମକୁ ଚୁପ କରାଇ ପାରିବେ ନାହିଁ ବୋଲି ରାହୁଲ ଗାନ୍ଧି କହିଛନ୍ତି।
ନ୍ୟାଶନାଲ ହେରାଲ୍ଡ ମାମଲାରେ ଇଡି ଉଭୟ ରାହୁଲ ଗାନ୍ଧି ଓ ସୋନିଆ ଗାନ୍ଧିଙ୍କୁ ମାରାଥନ ଜେରା କରିଥିଲା। ଏହାପରେ ଗତକାଲି ହେରାଲ୍ଡ ହାଉସରେ ଥିବା ୟଙ୍ଗ ଇଣ୍ଡିଆନ ଲିଃ ଅଫିସକୁ ସିଲ କରାଯାଇଛି। ସେହିପରି କଂଗ୍ରେ ମୁଖ୍ୟାଳୟକୁ ପୁଲିସ୍ ଘେରାବନ୍ଦୀ କରିଥିବାରୁ ଏହାକୁ ନେଇ ରାହୁଲ ଗାନ୍ଧି ଅସନ୍ତୋଷ ପ୍ରକାଶ କରିଛନ୍ତି।
ସେ କହିଛନ୍ତି, “ ଯଦି ଆପଣ ନ୍ୟାଶନାଲ ହେରାଲ୍ଡ କଥା କହିବେ, ତା’ହେଲେ ଡରାଇବା ପାଇଁ ଏହି ପ୍ରସଙ୍ଗ ଅଣାଯାଇଛି। ନରେନ୍ଦ୍ର ମୋଦି ଓ ଅମିତ ଶାହ ଭାବୁଛନ୍ତି ଏହି ସାମାନ୍ୟ ଚାପରେ ଆମେ ଚୁପ ହୋଇଯିବୁ। କିନ୍ତୁ ଆମେ କେବେ ହେଲେ ଚୁପ ହେବୁନାହିଁ। ନରେନ୍ଦ୍ର ମୋଦି ଓ ଅମିତ ଶାହ ଗଣତନ୍ତ୍ର ବିରୋଧରେ ଯେତେ ଯାହା କଲେ ମଧ୍ୟ ଆମେ ସେମିତି ସଶକ୍ତ ହୋଇ ଛିଡ଼ା ହୋଇଥିବୁ।”
ଇଡି ବୁଧବାର ୟଙ୍ଗ ଇଣ୍ଡିଆନ ଅଫିସ ସିଲ କରିଥିବାରୁ କଂଗ୍ରେସ ତା’ର ପରବର୍ତ୍ତୀ ରଣନୀତି ସମ୍ପର୍କରେ ଆଲୋଚନା କରିବା ପାଇଁ ଆଜି ବୈଠକ କରିଛି। ଏହି ବୈଠକ ପୂର୍ବରୁ ରାହୁଲ ଗାନ୍ଧି ସାମ୍ବାଦିକମାନଙ୍କୁ ଏମିତି କହିଛନ୍ତି।
ରାହୁଲ ଗାନ୍ଧି ଆହୁରି କହିଛନ୍ତି, ଆମେ ବିଜେପିର ଧମରେ ଆଦୌ ଭୟଭୀତ ନାହୁଁ। ଆମେ ନରେନ୍ଦ୍ର ମୋଦିଙ୍କୁ ଆଦୌ ଡରୁ ନାହିଁ। ତାଙ୍କର ଯାହା କରିବାର ଅଛି କରନ୍ତୁ। ଆମର ସେଥିରେ କିଛି ବି ଯାଏ ଆସେ ନାହିଁ। ମୁଁ ମୋର କର୍ତ୍ତବ୍ୟ କରି ଚାଲିଛି। ଗଣତନ୍ତ୍ରର ସୁରକ୍ଷା କରିବା ଓ ଦେଶର ସୌହାର୍ଦ୍ଦ୍ୟ ରକ୍ଷା କରିବା ମୋର ପ୍ରଥମ କର୍ତ୍ତବ୍ୟ।”

nis-ad
Leave A Reply

Your email address will not be published.