ସପା ନେତାଙ୍କ କନ୍‌ଷ୍ଟ୍ରକ୍ସନ କମ୍ପାନୀ ଉପରେ ଆଇଟି ରେଡ୍‌

ଲକ୍ଷ୍ନୌ: ଅଡୁଆରେ ଉତ୍ତରପ୍ରଦେଶ ସମାଜବାଦୀ ପାର୍ଟି ନେତା। ଉତ୍ତର ପ୍ରଦେଶର ବଡ କନ୍‌ଷ୍ଟ୍ରକ୍ସନ କମ୍ପାନୀ ଘନାରାମର ଅନେକ ଠିକଣା ଉପରେ ଆୟକର ବିଭାଗ ଚଢ଼ାଉ କରିଛି। ଝାନ୍ସି, ଲକ୍ଷ୍ନୌ ସମେତ ଅନେକ ଠିକଣା ଉପରେ ଆଇଟି ରେଡ୍‌ କରିବା ସହ ସମସ୍ତ ଦସ୍ତାବିତ ଯାଞ୍ଚ କରୁଛି। ଉକ୍ତ କନ୍‌ଷ୍ଟ୍ରକ୍ସନ କମ୍ପାନୀଟି ସମାଜବାଦୀ ପାର୍ଟି ନେତା ଶ୍ୟାମ ସୁନ୍ଦର ଯାଦବ ଓ ତାଙ୍କ ଭାଇ ବିସନ ସିଂହଙ୍କର ବୋଲି ଜଣାପଡିଛି।
ଝାନ୍ସିରେ ଘନାରାମ କନ୍‌ଷ୍ଟ୍ରକ୍ସନ କମ୍ପାନୀର କର୍ପୋରେଟ୍ ଅଫିସ୍ ଅଛି। ଇନକମ ଟ୍ୟାକ୍ସ ଦଳ ଝାନ୍ସିର ସିଭିଲ ଲାଇନ୍‌ ସ୍ଥିତ କାର୍ଯ୍ୟାଳୟ ଏବଂ ବାସଭବନ ଉପରେ ଚଢ଼ାଉ କରୁଛି। ଏହାପୂର୍ବରୁ ପୂର୍ବତନ ସପା ବିଧାୟକ ଦୀପ ନାରାୟଣ ଯାଦବଙ୍କ ଘରେ ଭିଜିଲାନ୍ସ ଚଢ଼ାଉ କରିଥିଲା। ଏବେ ଶ୍ୟାମ ସୁନ୍ଦରଙ୍କ ଉପରେ ଆଇଟି ବିଭାଗର ନଜର ପଡିଛି। ବର୍ତ୍ତମାନ କାନପୁରର ରାଜେଶ ଯାଦବଙ୍କ ଘର ଭିତରେ ମଧ୍ୟ ଚଢ଼ାଉ ଚାଲିଛି। ଆୟକର ବିଭାଗର ତିନିଟି ଟିମ୍ ଘର ଭିତରେ ଡକ୍ୟୁମେଣ୍ଟ ଖୋଜାଖୋଜି ଚଲାଇଛନ୍ତି। ଏଥି ସହିତ ବାହାରେ ସୁରକ୍ଷା ପାଇଁ ପୁଲିସ ଫୋର୍ସ ମଧ୍ୟ ନିୟୋଜିତ କରାଯାଇଛି।
କାନପୁରର ଆୟକର ବିଭାଗ ଟିମ୍‌ ଝାନ୍ସି ସହରର ୮ଟି ବଡ ବ୍ୟବସାୟୀ ଓ ବିଲ୍ଡରଙ୍କ ଘର, କମ୍ପାନୀ ତଥା ଅନ୍ୟ ଠିକଣା ଉପରେ ରେଡ୍‌ କରିଛନ୍ତି। ସପା ନେତା ଶ୍ୟାମ ସୁନ୍ଦର ସିଂହ ଯାଦବ, ବିଲ୍ଡର ବିରେନ୍ଦ୍ର ରୟ, ରାକେଶ ବଘେଲ, ବିଜୟ ସରାବଗି ସମେତ ଅନେକ ବ୍ୟବସାୟୀଙ୍କ ଉପରେ ଆୟକର ବିଭାଗର କାର୍ଯ୍ୟାନୁଷ୍ଠାନ ଜାରି ରହିଛି।
ସୂଚନା ମୁତାବକ, ଘନାରାମ ଇନଫ୍ରା କୋଟି ଟଙ୍କାର ନଗଦ କାରବାର କରିଥିବା ଅଭିଯୋଗ ହୋଇଛି। ଘର ଏବଂ ସମ୍ପତ୍ତି କମ୍ପାନୀ ଦ୍ୱାରା ନଗଦ ମୂଲ୍ୟରେ କିଣାଯାଇଥିଲା। ଏହି ଚଢ଼ାଉ ୨ରୁ ୩ ଦିନ ଧରି ଚାଲିବ ବୋଲି ବିଶ୍ୱାସ କରାଯାଉଛି। ଏହି କମ୍ପାନୀ ନକଲି ଚୁକ୍ତି ମାଧ୍ୟମରେ କଳା ଟଙ୍କାକୁ ଧଳାରେ ପରିଣତ କରେ ବୋଲି ଅଭିଯୋଗ ହୋଇଛି। ନିକଟରେ ୩୦୦ କୋଟିରୁ ଅଧିକ ମୂଲ୍ୟର ସମ୍ପତ୍ତି ମଧ୍ୟ କ୍ରୟ କରାଯାଇଛି।

nis-ad
Leave A Reply

Your email address will not be published.