ଅଗଷ୍ଟ ୧ରୁ ନୂତନ ସଂଶୋଧିତ ଭୋଟର ଆଇନ ଲାଗୁ…

ଭୋଟର ତାଲିକାରେ ସାମିଲ ହେବାକୁ ବର୍ଷକୁ ୪ଟି ସୁଯୋଗ ପାଇବେ ଯୁବପିଢ଼ି

ସୁନ୍ଦରଗଡ଼ : ଭାରତୀୟ ନିର୍ବାଚନ ଆୟୋଗ ପକ୍ଷରୁ ନୂତନ ସଂଶୋଧିତ ଭୋଟର ଆଇନ ଅନୁଯାୟୀ ଭୋଟର ତାଲିକା ପ୍ରସ୍ତୁତି ଓ ସଂଶୋଧନ ପ୍ରକ୍ରିୟା ଆରମ୍ଭ ହୋଇଛି। ଭୋଟର ତାଲିକାରେ ସାମିଲ ହେବା ପାଇଁ ଏବେ ଯୁବପିଢ଼ିଙ୍କୁ ବର୍ଷକୁ ୪ଟି ସୁଯୋଗ ମିଳିବ। ସେହିପରି ନୂତନ ଭୋଟର ପଞ୍ଜିକରଣ, ଭୋଟର ତାଲିକାରେ ସଂଶୋଧନ, ତାଲିକାରୁ ନାମ ବାଦ୍ ଦେବା ଏବଂ ଆଧାର ସହିତ ନିଜ ଭୋଟର ଆଇଡି ଲିଙ୍କ କରିବା ଲାଗି ୧ ଅଗଷ୍ଟ ୨୦୨୨ଠାରୁ ନୂତନ ପରିବର୍ତ୍ତିତ ଫର୍ମ ଲାଗୁ କରାଯାଇଛି। ଏ ସମ୍ପର୍କରେ ସୁନ୍ଦରଗଡ଼ ଜିଲ୍ଲାର ଜନସାଧାରଣଙ୍କୁ ସଚେତନ କରିବା ଲାଗି ସ୍ଥାନୀୟ ସଦ୍ଭାବନା ଭବନଠାରେ ଏକ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି।

ସୋମବାର ଦିନ ଆୟୋଜିତ ଏହି ସାମ୍ବାଦିକ ସମ୍ମିଳନୀରେ ସୁନ୍ଦରଗଡ଼ ଜିଲ୍ଲାପାଳ ଡାକ୍ତର ପରାଗ ହର୍ଷଦ ଗାଭାଲି ଅଧ୍ୟକ୍ଷତା କରି କହିଥିଲେ ଯେ, ନୂତନ ସଂଶୋଧିତ ଭୋଟର ଆଇନ ଯୋଗୁଁ ଅଧିକରୁ ଅଧିକ ଯୁବବର୍ଗ ଭୋଟର ତାଲିକାରେ ସାମିଲ ହୋଇପାରିବେ। ସେମାନଙ୍କ ଭାଗିଦାରୀ ଗଣତାନ୍ତ୍ରିକ ପ୍ରକ୍ରିୟାକୁ ଆହୁରି ମଜଭୁତ୍ କରିପାରିବ।

ଭାରତୀୟ ନିର୍ବାଚନ ଆୟୋଗଙ୍କ ସୁପାରିସ୍ କ୍ରମେ କେନ୍ଦ୍ର ଆଇନ ଓ ନ୍ୟାୟ ମନ୍ତ୍ରାଳୟ ପକ୍ଷରୁ ଲୋକପ୍ରତିନିଧି ଆଇନରେ ପରିବର୍ତ୍ତନ କରାଯାଇ ସଂଶୋଧିତ ଆଇନ ୧ ଅଗଷ୍ଟ ୨୦୨୨ଠାରୁ କାର୍ଯ୍ୟକାରୀ ହୋଇଛି। ଏଥିରେ ପଞ୍ଜିକରଣ ଫର୍ମଗୁଡ଼ିକୁ ଆହୁରି ସରଳ ଓ ପ୍ରଭାବୀ କରାଯାଇଛି।

ପୂର୍ବରୁ ନୂତନ ଭୋଟର ପଞ୍ଜିକରଣ ଏବଂ ଗୋଟିଏ ନିର୍ବାଚନ ମଣ୍ଡଳୀରୁ ଅନ୍ୟ ଗୋଟିଏ ନିର୍ବାଚନ ମଣ୍ଡଳୀକୁ ସ୍ଥାନାନ୍ତର ପାଇଁ ଫର୍ମ-୬ ବ୍ୟବହାର କରାଯାଉଥିଲା। ବର୍ତ୍ତମାନ ଏହି ଫର୍ମ କେବଳ ନୂତନ ଭୋଟର ପଞ୍ଜିକରଣ ପାଇଁ ହିଁ ବ୍ୟବହୃତ ହେବ । ଭୋଟର ତାଲିକାରେ ଅନ୍ତର୍ଭୁକ୍ତ ହେବାକୁ ଥିବା ଯୋଗ୍ୟ ବ୍ୟକ୍ତିମାନେ ନିର୍ବାଚନ ଆୟୋଗଙ୍କ ସ୍ୱତନ୍ତ୍ର ଆପ୍ କିମ୍ବା ୱେବସାଇଟ୍କୁ ଯାଇ କିମ୍ବା ବୁଥ୍ସ୍ତରୀୟ ଅଧିକାରୀଙ୍କ ଜରିଆରେ ଭୋଟର ପରିଚୟପତ୍ର ପାଇଁ ଆବେଦନ କରିପାରିବେ।

ପୂର୍ବରୁ ଭୋଟର ତାଲିକାରେ ନାମ ପଞ୍ଜିକରଣ ଲାଗି ବର୍ଷର ଗୋଟିଏ ମାତ୍ର ଦିନ ଭାବେ ଜାନୁୟାରୀ ୧ ତାରିଖକୁ ନିଆଯାଉଥିଲା। ଜାନୁୟାରୀ ୧ ପରେ ୧୮ ବର୍ଷ ପୂରଣ କରୁଥିବା ବହୁ ସଂଖ୍ୟାରେ ଯୁବପିଢ଼ି ଆଗାମୀ ବର୍ଷର ଭୋଟର ସଂଶୋଧନ ପ୍ରକ୍ରିୟାକୁ ଅପେକ୍ଷା କରୁଥିଲେ। ଏହି ସମୟ ମଧ୍ୟରେ ସେମାନେ କୌଣସି ନିର୍ବାଚନରେ ଭାଗ ନେଇପାରୁ ନଥିଲେ। କିନ୍ତୁ ବର୍ତ୍ତମାନ ଜଣେ ଜାନୁୟାରୀ, ଏପ୍ରିଲ, ଜୁଲାଇ ଏବଂ ଅକ୍ଟୋବର ମାସର ୧ ତାରିଖରେ ଭୋଟର ତାଲିକାରେ ନିଜକୁ ସାମିଲ କରିବା ଲାଗି ଆବେଦନ କରିପାରିବ।

ସେହିପରି ଆଧାର ସହ ଭୋଟର କାର୍ଡର ସଂଯୋଗୀକରଣ ପାଇଁ ନୂତନ ସଂଶୋଧିତ ଫର୍ମ ୬(ଖ)ର ପ୍ରଚଳନ କରାଯାଇଛି। ତେବେ, ଏହା ବାଧ୍ୟତାମୂଳକ ନୁହେଁ। ଭୋଟର ତାଲିକାରେ ସାମିଲ ଥିବା ଭୋଟର ଏବଂ ନୂତନ ଭାବେ ନାମ ପଞ୍ଜୀକୃତ କରିବାକୁ ଥିବା ଭୋଟର ସ୍ୱେଚ୍ଛାକୃତ ଭାବେ ଅନ୍ଲାଇନ କିମ୍ବା ଅଫ୍ଲାଇନ ଯୋଗେ ନିଜର ଆଧାର ବିବରଣୀ ପ୍ରଦାନ କରିପାରିବେ। ସେହିପରି ବୁଥ୍ସ୍ତରୀୟ ଅଧିକାରୀମାନେ ମଧ୍ୟ ଘରକୁ ଘର ବୁଲି ଆଧାର ନମ୍ବର ସଂଗ୍ରହ କରି ଏହାକୁ ଭୋଟର କାର୍ଡ ସହ ସଂଯୋଗ କରିବେ। ଏହି ପ୍ରକ୍ରିୟା ଫଳରେ ଭୋଟର ତାଲିକାରେ ଗୋଟିଏ ନାମ ଏକାଧିକ ବାର ରହିପାରିବ ନାହିଁ।

ପୂର୍ବରୁ ଭୋଟର ତାଲିକାରୁ ନାମ ବାଦ୍ ଦେବା ପାଇଁ ଫର୍ମ-୭ ବ୍ୟବହାର କରାଯାଉଥିବା ବେଳେ ଏଥିରେ ସାମାନ୍ୟ ପରିବର୍ତ୍ତନ କରାଯାଇଛି। ମୃତବ୍ୟକ୍ତିଙ୍କ ନାମ ତାଲିକାରୁ ବାଦ୍ ଦେବା ପାଇଁ ସେମାନଙ୍କ ପରିବାରବର୍ଗଙ୍କଠାରୁ ମୃତ୍ୟୁ ପ୍ରମାଣପତ୍ର ସଂଗ୍ରହ କରି ବୁଥ୍ସ୍ତରୀୟ ଅଧିକାରୀମାନେ ଫର୍ମ-୭ରେ ଏହାକୁ ସଂଲଗ୍ନ କରିବେ। ଭୋଟର ତାଲିକାରେ ତ୍ରୁଟି ଥିବା ବିବରଣୀର ସଂଶୋଧନ ପାଇଁ ଫର୍ମ-୮ ବ୍ୟବହାର ହେଉଥିଲା। କିନ୍ତୁ ବର୍ତ୍ତମାନ ନିର୍ବାଚନ ମଣ୍ଡଳୀ ମଧ୍ୟରେ କିମ୍ବା ବାହାରକୁ ବାସସ୍ଥାନ ସ୍ଥାନାନ୍ତର ପାଇଁ ଏହାକୁ ବ୍ୟବହାର କରାଯିବ। ଭୋଟର ତାଲିକାରେ ଥିବା ବିବରଣୀର ସଂଶୋଧନ, ଭୋଟର ପରିଚୟ ପତ୍ର ବଦଳ କରିବା ଏବଂ ଦିବ୍ୟାଙ୍ଗ ଭୋଟରଙ୍କ ଚିହ୍ନଟ ପାଇଁ ମଧ୍ୟ ଏହି ଫର୍ମ ବ୍ୟବହାର ହେବ।

ସାମ୍ବାଦିକ ସମ୍ମିଳନୀରେ ଅତିରିକ୍ତ ଜିଲ୍ଲାପାଳ ରବି ନାରାୟଣ ସାହୁ ଓ ଉପ ଜିଲ୍ଲାପାଳ ଅଭିମନ୍ୟୁ ବେହେରା ବିସ୍ତୃତ ବିବରଣୀ ରଖିଥିଲେ। ଅନ୍ୟମାନଙ୍କ ମଧ୍ୟରେ ଜିଲ୍ଲା ପରିଷଦର ମୁଖ୍ୟ ଉନ୍ନୟନ ଅଧିକାରୀ ତଥା କାର୍ଯ୍ୟନିର୍ବାହୀ ଅଧିକାରୀ ଭୈରବ ସିଂ ପଟେଲ, ଅତିରିକ୍ତ ଜିଲ୍ଲାପାଳ (ରାଜସ୍ୱ) ଶିବଶଙ୍କର ଟପ୍ପୋ, ସହକାରୀ ଜିଲ୍ଲାପାଳ ତଥା ନିର୍ବାଚନ ଉପ ବିଭାଗ ଅଧିକାରୀ ସୁନିଲ ମିଶ୍ର, ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ନନ୍ଦିନୀ ମୁଣ୍ଡାରୀ ଏବଂ ବିଭିନ୍ନ ରାଜନୈତିକ ଦଳର ପ୍ରତିନିଧି ଉପସ୍ଥିତ ଥିଲେ।
ବିଶ୍ୱରଂଜନ ହୋତା
ସୁନ୍ଦରଗଡ଼

nis-ad
Leave A Reply

Your email address will not be published.