କୋଇଡ଼ା ବ୍ଲକରେ ବିଭିନ୍ନ ଜନକଲ୍ୟାଣ କାର୍ଯ୍ୟକ୍ରମର ଅଗ୍ରଗତି ଅନୁଧ୍ୟାନ କଲେ ଜିଲ୍ଲାପାଳ…

ନିର୍ମାଣାଧୀନ ଟ୍ରକ ଟର୍ମିନାଲ, ମାର୍କେଟ ୟାର୍ଡ ଏବଂ ଖଣି ଶ୍ରମିକଙ୍କ ରହଣିସ୍ଥଳ ଆଦି ପ୍ରକଳ୍ପ ବୁଲି ଦେଖିଲେ

ସୁନ୍ଦରଗଡ଼ : ସୁନ୍ଦରଗଡ଼ ଜିଲ୍ଲାପାଳ ଡାକ୍ତର ପରାଗ ହର୍ଷଦ ଗାଭାଲି ଦିନିକିଆ କୋଇଡ଼ା ବ୍ଲକ୍ ଗସ୍ତରେ ଆସିଥିଲେ। ରବିବାର ଦିନ ସେ କ୍ଷେତ୍ର ପରିଦର୍ଶନ କରି ବିଭିନ୍ନ ପ୍ରକଳ୍ପର ଅଗ୍ରଗତି ବିଷୟରେ ସମୀକ୍ଷା କରିଥିଲେ। ନିର୍ମାଣାଧୀନ ପ୍ରକଳ୍ପଗୁଡ଼ିକର କାମ ନିର୍ଦ୍ଧାରିତ ସମୟ ଭିତରେ ଶେଷ କରିବାକୁ ଜିଲ୍ଲାପାଳ ସ୍ଥାନୀୟ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି।

ଜିଲ୍ଲାପାଳ ନିର୍ମାଣାଧୀନ ଟ୍ରକ ଟର୍ମିନାଲ, ମାର୍କେଟ ୟାର୍ଡ, ଖେଳପଡ଼ିଆ, ଖଣି ଶ୍ରମିକଙ୍କ ପାଇଁ ରହଣିସ୍ଥଳ ଆଦି ପ୍ରକଳ୍ପ ବୁଲି ଦେଖିବା ସହିତ ସ୍ଥାନୀୟ ଆଇଟିଆଇ ଏବଂ ସୁଦକ୍ଷ କେନ୍ଦ୍ରକୁ ଯାଇଥିଲେ।

କୋଇଡ଼ା ହେଉଛି ଏକ ଖଣି ବହୁଳ ଅଞ୍ଚଳ। ତେଣୁ ଖଣିଜ ପଦାର୍ଥ ପରିବହନ ପାଇଁ ନିୟୋଜିତ ଟ୍ରକଗୁଡ଼ିକର ପାର୍କିଂ ସୁବିଧା ଲାଗି ଟେନସାଠାରେ ଏକ ଆଧୁନିକ ଟର୍ମିନାଲ ନିର୍ମାଣ କରାଯାଉଛି। ସେଠାରେ ୨୦୦ ଟ୍ରକ ରହିବା ଭଳି ସୁବିଧା କରାଯାଉଛି। ତା’ଛଡ଼ା ଟ୍ରକ ଚାଳକ ଏବଂ ଅନ୍ୟମାନଙ୍କ ଲାଗି କ୍ୟାଣ୍ଟିନ, ଗ୍ୟାରେଜ ଏବଂ ଶୌଚାଳୟ ଆଦି ବ୍ୟବସ୍ଥା କରାଯାଉଛି। ଜିଲ୍ଲାପାଳ ଏହି ଟର୍ମିନାଲର ନିର୍ମାଣ କାର୍ଯ୍ୟ ବୁଲି ଦେଖିଥିଲେ।

ସେହିପରି କାଦୋଡିହାଠାରେ ଚାଲିଥିବା ଖେଳପଡ଼ିଆର ନିର୍ମାଣ କାର୍ଯ୍ୟ ଦେଖିଥିଲେ ଜିଲ୍ଲାପାଳ। ଏହି ଖେଳପଡ଼ିଆରେ ଦର୍ଶକଙ୍କ ପାଇଁ ୪ଟି ଗ୍ୟାଲେରି, ବ୍ୟାଡମିଣ୍ଟନ କୋର୍ଟ ଏବଂ ଭଲି ବଲ କୋର୍ଟ ଆଦି କରାଯାଉଛି।
ଚାଷୀମାନଙ୍କ ଜୀବିକା ବିକାଶ ଲାଗି କୋଇଡ଼ାଠାରେ ଆଧୁନିକ ମାର୍କେଟ ୟାର୍ଡ ଏବଂ ଗୋଦାମ ଘର ନିର୍ମାଣ କରାଯାଉଛି। ସ୍ଥାନୀୟ ଚାଷୀମାନଙ୍କ ଉତ୍ପାଦିତ ଫସଲ କିପରି ଗୋଦାମ ଘରେ ସଂରକ୍ଷିତ ହୋଇ ରହିପାରିବ ଏବଂ ନବନିର୍ମିତ ମାର୍କେଟ ୟାର୍ଡ ଚାଷୀମାନଙ୍କ ସାମଗ୍ରୀ ବିକ୍ରିବଟାରେ କିପରି ବିଶେଷ ସହାୟକ ହୋଇପାରିବ ସେ ସମ୍ପର୍କରେ ଜିଲ୍ଲାପାଳ ନିୟନ୍ତ୍ରିତ ବଜାର କମିଟିର ଅଧିକାରୀମାନଙ୍କ ସହ ଆଲୋଚନା କରିଥିଲେ।

ସ୍ଥାନୀୟ ଯୁବକ ଯୁବତୀଙ୍କ ଦକ୍ଷତା ବିକାଶ କୋଇଡ଼ାଠାରେ ଏକ ଆଇଟିଆଇ କେନ୍ଦ୍ର ପ୍ରତିଷ୍ଠା କରାଯାଇଛି। ଖୁବଶୀଘ୍ର ଏହି କେନ୍ଦ୍ରରେ ତାଲିମ ପାଠ୍ୟକ୍ରମ ଆରମ୍ଭ କରାଯିବ। ଜିଲ୍ଲାପାଳ ଏହି କେନ୍ଦ୍ର ପରିଦର୍ଶନରେ ଆସି ଅଧିକାରୀମାନଙ୍କ ସହ ବିଭିନ୍ନ ବିଷୟରେ କଥା ହୋଇଥିଲେ। ତା’ଛଡ଼ା ଛାତ୍ରଛାତ୍ରୀଙ୍କ ରହିବା ପାଇଁ ଚିହ୍ନଟ ହୋଇଥିବା ଅସ୍ଥାୟୀ ହଷ୍ଟେଲ ଏବଂ ଚାଲିଥିବା ବିଭିନ୍ନ ନିର୍ମାଣ କାର୍ଯ୍ୟ ମଧ୍ୟ ବୁଲି ଦେଖିଥିଲେ।

ସୁନ୍ଦରଗଡ଼ ଜିଲ୍ଲାରେ ଶିକ୍ଷିତ ଯୁବକ ଯୁବତୀଙ୍କୁ ନିଯୁକ୍ତି ଉପଯୋଗୀ କୋଚିଂ ଦେବା ପାଇଁ ‘ସୁଦକ୍ଷ’ କାର୍ଯ୍ୟକ୍ରମ ଚାଲିଛି। ରବିବାର ଦିନ ଜିଲ୍ଲାପାଳ କୋଇଡ଼ାସ୍ଥିତ ‘ସୁଦକ୍ଷ’ କେନ୍ଦ୍ର ପରିଦର୍ଶନ କରି ଛାତ୍ରଛାତ୍ରୀମାନଙ୍କୁ କୋଚିଂ କାର୍ଯ୍ୟକ୍ରମ ବିଷୟରେ ପଚାରି ବୁଝିଥିଲେ। ସେହିପରି ସେ କୋଇଡ଼ା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ପରିସରରେ ଥିବା ସମନ୍ୱିତ ଭୌତିକ ଚିକିତ୍ସା କେନ୍ଦ୍ରକୁ ଯାଇ ସେଠାରେ ଭିନ୍ନକ୍ଷମ ଏବଂ ରୋଗୀମାନଙ୍କ ପାଇଁ ରହିଥିବା ବିଭିନ୍ନ ସେବା ସମ୍ପର୍କରେ କଥା ହୋଇଥିଲେ।

କୋଇଡ଼ା ବ୍ଲକର ବିଭିନ୍ନ ଖଣିରେ କାମ କରୁଥିବା ଶ୍ରମିକମାନଙ୍କ ସୁବିଧା ପାଇଁ ତେହେରେଇଠାରେ ଏକ ଅସ୍ଥାୟୀ ରହଣିସ୍ଥଳ ନିର୍ମାଣ କରାଯାଉଛି। ସେଠାରେ ୧ ହଜାର ଶ୍ରମିକ ରହିପାରିବା ଭଳି ବ୍ୟବସ୍ଥା କରାଯିବ। ଜିଲ୍ଲାପାଳ ଏହି ପ୍ରକଳ୍ପ କାର୍ଯ୍ୟର ଅଗ୍ରଗତି ସମୀକ୍ଷା କରିଥିଲେ।

ଏହି ଗସ୍ତ ବେଳେ ବଣାଇଁ ଉପଜିଲ୍ଲାପାଳ ସୁରଞ୍ଜନ ସାହୁ, ଓଡ଼ିଶା ଖଣି ନିଗମର ଆଞ୍ଚଳିକ ପ୍ରବନ୍ଧକ ପ୍ରଶାନ୍ତ କୁମାର ସାହୁ, କୋଇଡ଼ା ବ୍ଲକ ଅଧ୍ୟକ୍ଷ ସୁରେଶ ନାଏକ, ଜିଲ୍ଲା ପରିଷଦ ସଭ୍ୟ ଅଶୋକ ନାଏକ, କୋଇଡ଼ା ବିଡିଓ ପଲ୍ଲବୀରାଣୀ ରାଜ, ତହସିଲଦାର ଡି ଶୁଭଦର୍ଶି ଯୋଶୀ, ଟେନସା ସରପଞ୍ଚ ଅନିତା ପୃଷ୍ଟିଙ୍କ ସହିତ ବିଭିନ୍ନ ବିଭାଗର ଅଧିକାରୀ ଏବଂ ଡିଏମଏଫର ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ।

କୋଇଡ଼ା ବ୍ଲକରେ ନିର୍ମାଣ କରାଯାଉଥିବା ଟ୍ରକ ଟର୍ମିନାଲ, ଖଣି ଶ୍ରମିକଙ୍କ ଅସ୍ଥାୟୀ ରହଣିସ୍ଥଳ ଏବଂ ଚାଷୀଙ୍କ ପାଇଁ ତିଆରି ହେଉଥିବା ଗୋଦାମ ଘର ଏବଂ ମାର୍କେଟ ୟାର୍ଡ ଆଦି ଲାଗି ସୁନ୍ଦରଗଡ଼ ଜିଲ୍ଲା ଖଣିଜ ପ୍ରତିଷ୍ଠାନ (ଡିଏମଏଫ) ପାଣ୍ଠିରୁ ଆର୍ଥିକ ସହାୟତା ଯୋଗାଇ ଦିଆଯାଉଛି। ସେହିପରି ଡିଏମଏଫର ଆର୍ଥିକ ସହାୟତାକ୍ରମେ ଜିଲ୍ଲାରେ ଚାଲିଥିବା ବିଭିନ୍ନ ଦକ୍ଷତା ବିକାଶ କାର୍ଯ୍ୟକ୍ରମ ମଧ୍ୟରେ ‘ସୁଦକ୍ଷ’ ରହିଛି।
ବିଶ୍ୱରଂଜନ ହୋତା
ସୁନ୍ଦରଗଡ଼
ଜିଲ୍ଲା ପ୍ରତିନିଧି

nis-ad
Leave A Reply

Your email address will not be published.