କ୍ୟାବିନେଟ୍‌ ସଜାଡ଼ିବେ ମମତା, ସାମିଲ ହେବେ ୫ ନୂଆ ମନ୍ତ୍ରୀ

କୋଲ୍‌କାତା: ପଶ୍ଚିମବଙ୍ଗ କ୍ୟାବିନେଟ୍‌କୁ ଅଦଳବଦଳ କରି ୫ଜଣ ନୂଆ ମନ୍ତ୍ରୀଙ୍କୁ ସାମିଲ କରିବା ଲାଗି ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ନିଷ୍ପତ୍ତି ଗ୍ରହଣ କରିଛନ୍ତି। ରାଜ୍ୟରେ ପାର୍ଥ ଚାଟାର୍ଜୀଙ୍କ ‘ଚାକିରି ପାଇଁ ନଗଦ ଅର୍ଥ ଦୁର୍ନୀତି’ ଚହଳ ପକାଇଥିବା ବେଳେ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ କ୍ୟାବିନେଟ୍‌ ସଜାଡ଼ିବା ପାଇଁ ସ୍ଥିର କରିଥିବା କୁହାଯାଉଛି।
ଏ ସଂକ୍ରାନ୍ତରେ ଆଜି ସୂଚନା ଦେଇ ମୁଖ୍ୟମନ୍ତ୍ରୀ ବାନାର୍ଜୀ କହିଛନ୍ତି, ଆମେ ଆମ ମନ୍ତ୍ରାଳୟ ପୁନର୍ବିନ୍ୟାସ କରିବୁ। କିନ୍ତୁ, ସମ୍ପୂର୍ଣ୍ଣରୂପେ ନୁହେଁ। ସମ୍ପୂର୍ଣ୍ଣ ପରିବର୍ତ୍ତନ କରାଯିବ ବୋଲି କେତେକ ଗଣମାଧ୍ୟମ ରିପୋର୍ଟ କରୁଛନ୍ତି। ପାର୍ଥ ଜେଲ୍‌ରେ ଅଛନ୍ତି; ସୁବ୍ରତ ମୁଖାର୍ଜୀ ଓ ସାଧନ ପାଣ୍ଡେଙ୍କର ଗତବର୍ଷ ଦେହାନ୍ତ ହୋଇଯାଇଛି। ଖାଲିପଡ଼ିଥିବା ପଦ ପୂରଣ ହେବା ଆବଶ୍ୟକ।
ବରିଷ୍ଠ ମନ୍ତ୍ରୀ ପାର୍ଥ ଚାଟାର୍ଜୀଙ୍କ ନିକଟରୁ ବିପୁଳ ପରିମାଣର ନଗଦ ଟଙ୍କା ଉଦ୍ଧାର କରାଯିବା ପରେ ତାଙ୍କୁ ରାଜ୍ୟ ମନ୍ତ୍ରିମଣ୍ଡଳରୁ ବହିଷ୍କାର କରାଯାଇଛି। ଗତବର୍ଷ ଆଉ ଜଣେ ବରିଷ୍ଠ ମନ୍ତ୍ରୀ ସୁବ୍ରତ ମୁଖାର୍ଜୀଙ୍କର ଦେହାନ୍ତ ହୋଇଯାଇଥିଲା। ପଞ୍ଚାୟତ ବିଭାଗ ସମେତ ମୁଖାର୍ଜୀଙ୍କ ହାତରେ ଅନେକ ଗୁରୁତ୍ବପୂର୍ଣ୍ଣ ବିଭାଗ ଥିଲା। ଏଥିପାଇଁ ପଶ୍ଚିମବଙ୍ଗ କ୍ୟାବିନେଟ୍‌ରେ ଅଦଳବଦଳ ହେବ ବୋଲି ଆଶା କରାଯାଉଛି।
କ୍ୟାବିନେଟ୍‌କୁ ୫ଜଣ ନୂତନ ମନ୍ତ୍ରୀଙ୍କୁ ଅଣାଯିବ ବୋଲି ବିଶେଷସୂତ୍ରରୁ ଜଣାପଡ଼ିଛି। କ୍ୟାବିନେଟ୍‌ରେ ହୋଇଥିବା ଅଦଳବଦଳ ସଂକ୍ରାନ୍ତରେ ବୁଧବାର ଦିନ ଘୋଷଣା କରାଯାଇପାରେ। ସମ୍ପ୍ରତି କ୍ୟାବିନେଟ୍‌ରୁ ୪ଜଣ ମନ୍ତ୍ରୀଙ୍କୁ ପ୍ରତ୍ୟାହାର କରାଯାଇ ସେମାନଙ୍କୁ ‘ତୃଣମୂଳ କଂଗ୍ରେସ’କୁ ସୁଦୃଢ଼ କରାଯିବା କାର୍ଯ୍ୟରେ ନିୟୋଜନ କରାଯିବ।
ଏହା ବ୍ୟତିରେକେ, ପଶ୍ଚିମବଙ୍ଗରେ ଆଉ ୭ଟି ନୂତନ ଜିଲ୍ଲା ଗଠନ କରାଯାଇଛି। ୭ଟି ଜିଲ୍ଲାରୁ ୬ଟି ହେଉଛି ସୁନ୍ଦରବନ, ଇଚ୍ଛେମତୀ, ରଣଘାଟ, ବିଷ୍ଣୁପୁର, ଜଙ୍ଗିପୁର ଏବଂ ବର୍‌ହମ୍‌ପୁର। ବସିରହାଟ ଅଞ୍ଚଳରେ ଆଉ ଗୋଟାଏ ଜିଲ୍ଲାର ନାମକରଣ କରାଯିବ। ଏହାକୁ ମିଶାଇ ପଶ୍ଚିମବଙ୍ଗର ସମୁଦାୟ ଜିଲ୍ଲାସଂଖ୍ୟା ୩୦ରେ ପହଞ୍ଚିଛି।

nis-ad
Leave A Reply

Your email address will not be published.