ମିଳିଲାନି ଶବବାହକ ଗାଡ଼ି, ମା’ର ମୃତଦେହକୁ ବାଇକ୍‌ରେ ବୋହିଲା ପୁଅ

ଭୋପାଳ: ସ୍ମାର୍ଟ ସିଟି, ପୁରା ଚକାଚକ୍‌ ରାସ୍ତା। ସ୍ୱାସ୍ଥ୍ୟ ସୁବିଧା ବି ବେଶ୍‌ ଭଲ। କିନ୍ତୁ ରୋଗୀଙ୍କ ମୃତ୍ୟୁ ପରେ ତାଙ୍କ ମୃତଦେହକୁ ଘରେ ପହଞ୍ଚାଇବା ପାଇଁ ମିଳୁନି ଶବବାହକ ଗାଡି। କିଏ ମୃତଦେକୁ କାନ୍ଧରେ ବୋହି ନେଉଛି ତ ଆଉ କିଏ ବାଇକ୍‌ରେ। ଏଭଳି କିଛି ଚକିତ କଲା ଭଳି ଦୃଶ୍ୟ ସାମ୍ନାକୁ ଆସିଛି ମଧ୍ୟପ୍ରଦେଶରୁ।
ମଧ୍ୟପ୍ରଦେଶ ଅନୁପପୁର ଗୁଡାରୁ ଗାଁର ଜୟମନ୍ତ୍ରୀ ଯାଦବ। ଛାତିରେ ଯନ୍ତ୍ରଣା ଅନୁଭବ କରିବା ପରେ ଚିକିତ୍ସା ପାଇଁ ପୁଅ ସୁନ୍ଦର ଯାଦବ ଜିଲ୍ଲା ହସ୍ପିଟାଲ ଶହଡୋଲରେ ଭର୍ତ୍ତି କରାଇଥିଲେ। ଜୟମନ୍ତ୍ରୀଙ୍କ ଅବସ୍ଥା ଗୁରୁତର ହେବା ପରେ ତାଙ୍କୁ ମେଡିକାଲ କଲେଜକୁ ସ୍ଥାନାନ୍ତର କରାଯାଇଥିଲା। ତେବେ ଏଠାରେ ତାଙ୍କ ମା’ଙ୍କ ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ହୋଇଥିଲା। ତେବେ ମୃତ୍ୟୁ ପରେ ଶବକୁ ନେବା ପାଇଁ ହସ୍ପିଟାଲକୁ ଶବବାହକ ଗାଡି ମାଗିଥିଲେ ତାଙ୍କ ପରିବାର ଲୋକେ। କିନ୍ତୁ ହସ୍ପିଟାଲ ମନା କରିଦେଇଥିଲା। ଏହାପରେ ପ୍ରାଇଭେଟ୍‌ ଗାଡି ଶବକୁ ନେବା ପାଇଁ ୫ ହଜାର ଟଙ୍କା ମାଗିଥିଲା। ଏତେ ଟଙ୍କା ପାଖରେ ନଥିବାରୁ ବାଧ୍ୟ ହୋଇ ପୁଅ ମା’ର ମୃତଦେହକୁ ବାଇକ୍‌ରେ ବାନ୍ଧି ୮୦ କିଲୋମିଟର ରାସ୍ତା ବୋହି ନେଇ ନିଜ ଗାଁରେ ପହଞ୍ଚିଥିଲେ। ଏହି ପୂରା ଘଟଣାର ଭିଡିଓ ଏବେ ସୋଶାଲ ମିଡିଆରେ ଭାଇରାଲ ହେବାରେ ଲାଗିଛି।
ଜିଲ୍ଲା ହସ୍ପିଟାଲର ଚିକିତ୍ସା ଅବହେଳା ଯୋଗୁ ତାଙ୍କ ମା’ ଜୟମନ୍ତ୍ରୀଙ୍କ ମୃତ୍ୟୁ ହୋଇଥିବା ନେଇ ପୁଅ ଅଭିଯୋଗ ଆଣିଛନ୍ତି। ଏଥିସହ ମେଡିକାଲ କର୍ତ୍ତୃପକ୍ଷଙ୍କୁ ମା’ର ମୃତ୍ୟୁ ପାଇଁ ସେ ଦାୟୀ କରିଛନ୍ତି। କହିବାକୁ ଗଲେ ଶହଡୋଲ ହସ୍ପିଟାଲ ଜିଲ୍ଲାର ସବୁଠାରୁ ବଡ ହସ୍ପିଟାଲ ମଧ୍ୟରୁ ଗୋଟିଏ। କିନ୍ତୁ ଏଠାରେ ଲୋକେ ଭଲ ଚିକିତ୍ସା ପାଇବା ତ ଦୂରର କଥା ଶବବାହକ ଗାଡି ମଧ୍ୟ ମିଳୁନି। ସୁବିଧା ନାଁରେ ଏଠାରେ କେବଳ ଟଙ୍କା ଲୁଟ୍‌ ହେଉଥିବା ମୃତକଙ୍କ ପରିବାର ଲୋକେ ଅଭିଯୋଗ ଆଣିଛନ୍ତି।

nis-ad
Leave A Reply

Your email address will not be published.