ଅଭିନେତ୍ରୀ ବର୍ଷାଙ୍କୁ ଦିଲ୍ଲୀ ପୋଲିସର ସମନ୍‌ ପରେ ଏସ୍‌ସି/ଏସ୍‌ଟି କମିଶନଙ୍କ ପକ୍ଷରୁ କମିଶନରେଟ ପୁଲିସ ଓ କଟକ ଜିଲ୍ଲାପାଳଙ୍କୁ ରିପୋର୍ଟ ତଲବ

କଟକ ୩୦/୦୭: ସାଂସଦ ତଥା ଅଭିନେତା ଅନୁଭବ ମହାନ୍ତିଙ୍କର ଜଣେ ସହଯୋଗୀଙ୍କୁ ଜାତିଆଣ ଆକ୍ଷେପ କରିବା ଅଭିଯୋଗରେ ଦିଲ୍ଲୀର ନର୍ଥ ଏଭିନିୟୁ ଥାନାରେ ରୁଜୁ ହୋଇଥିବା ମାମଲାରେ ଶୁକ୍ରବାର ବର୍ଷା ପ୍ରିୟଦର୍ଶିନୀଙ୍କୁ ନୋଟିସ୍‌ ଜାରି ହୋଇଛି । ସେହି ଥାନାର ଦୁଇ ଜଣ କର୍ମଚାରୀ କଟକ ଆସି ପୁରୀଘାଟ ଥାନାରେ ବର୍ଷାଙ୍କୁ ଏହି ନୋଟିସ୍‌ ଦେଇଛନ୍ତି । 

ଅନ୍ୟପଟେ ଜାତୀୟ ଏସ୍‌ସି/ଏସ୍‌ଟି କମିଶନଙ୍କ ପକ୍ଷରୁ କମିଶନରେଟ୍‌ ପୋଲିସ ଓ କଟକ ଜିଲ୍ଲାପାଳଙ୍କୁ ରିପୋର୍ଟ ତଲବ କରିଛନ୍ତି ।

ସୂଚନା ମୁତାବିକ, ଏହି ମାମଲା ଦୁଇ ବର୍ଷ ପୁରୁଣା । ୨୦୨୦ରେ ବର୍ଷା ସେତେବେଳେ ଦିଲ୍ଲୀରେ ସ୍ୱାମୀ ଅନୁଭବଙ୍କ ପାଖରେ ରହୁଥିଲେ । ଉକ୍ତ ସମୟରେ ଅନୁଭବଙ୍କ ପାଖରେ ଜଣେ ସହଯୋଗୀ ରହୁଥିଲେ । ସେହି ସହଯୋଗୀ ଜଣକ ଦଳିତ । ବର୍ଷା ତାଙ୍କୁ ଜାତିଆଣ ଆକ୍ଷେପ କରିଥିବା ନେଇ ସେହି ସମୟରେ ଉକ୍ତ ସହଯୋଗୀ ଜଣକ ଏତଲ ଦେଇଥିଲେ । ଏସ୍‌ସିଏସ୍‌ଟି ଆକ୍ଟରେ ଏହି ମାମଲା ରୁଜୁ ହୋଇଥିଲା । ଜଣେ ଏସିପି ଏହାର ତଦନ୍ତ ଭାର ନେଇଛନ୍ତି । ଏହି ମାମଲାରେ ପଚରାଉଚରା ପାଇଁ ଦୁଇ ଜଣ ହାବିଲ୍‌ଦାର ଦିଲ୍ଲୀରୁ ଆସିଥିଲେ ।

ସେମାନେ ପୁରୀଘାଟ ଥାନାକୁ ଆସି ବର୍ଷାଙ୍କ ବିରୋଧରେ ରୁଜୁ ମାମଲା ସଂପର୍କରେ ଥାନା ଅଧିକାରୀଙ୍କୁ ଅବଗତ କରାଇଥିଲେ । ଏହା ପରେ ପୁରୀଘାଟ ପୁଲିସ ବର୍ଷାଙ୍କୁ ଥାନାକୁ ଡକାଇଥିଲା । ଏହା ପରେ ଦିଲ୍ଲୀରି ହାବିଲ୍‌ଦାର ବର୍ଷାଙ୍କୁ ଏହି ନୋଟିସ୍‌ ଦେଇଛନ୍ତି । ଦୁଇ ଦିନରେ ଭିତରେ ନର୍ଥ ଏଭିନିୟୁ ଥାନାରେ ହାଜର ହେବାକୁ ନୋଟିସ୍‌ରେ ଉଲ୍ଲେଖ ଥିଲା । ମାତ୍ର ବର୍ଷା ଆସନ୍ତା ୧୫ ଦିନ ଭିତରେ ଥାନାରେ ହାଜରା ଦେବେ ବୋଲି ଲିଖିତ ଭାବେ ଦୁଇ ହାବିଲଦାରଙ୍କୁ ସୂଚନା ପ୍ରଦାନ କରିଛନ୍ତି । ଅନ୍ୟପଟେ ଦିଲ୍ଲୀ ପୋଲିସର ନୋଟିସ୍‌ ପରେ ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀ ଓଡିଶା ହାଇକୋର୍ଟରେ ଆଗୁଆ ଜାମିନ୍‌ ଆବେଦନ କରିଛନ୍ତି ।

ସେପଟେ ଜାତୀୟ ଏସ୍‌ସି/ଏସ୍‌ଟି କମିଶନଙ୍କ ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀଙ୍କ ଆଉ ଏକ ଝଟ୍‌କା ଦେଇଛନ୍ତି । ଦିଲ୍ଲୀ ପୋଲିସର ସମନ୍‌ ପରେ ଜାତୀୟ ଏସ୍‌ସି/ଏସ୍‌ଟି କମିଶନଙ୍କ ପକ୍ଷରୁ କମିଶନରେଟ୍‌ ପୋଲିସ ଓ କଟକ ଜିଲ୍ଲାପାଳଙ୍କୁ ରିପୋର୍ଟ ତଲବ କରିଛନ୍ତି।

nis-ad
Leave A Reply

Your email address will not be published.