ପିକ୍‌ଅପ୍‌-ମ୍ୟାଜିକ୍‌ ଗାଡ଼ି ମୁହାଁମୁହିଁ, ସ୍ତ୍ରୀ ମୃତ, ସ୍ବାମୀ-ପୁଅଙ୍କ ସମେତ ୩ ଗୁରୁତର

ସାଲେପୁର: ସାଲେପୁର ଥାନା କଟକ-ଚାନ୍ଦବାଲି ରାସ୍ତାର ମ୍ୟାରିୟନ୍‌ ହୋଟେଲ ନିକଟରେ ଆଜି ଦିନ ପ୍ରାୟ ସାଢ଼େ ୨ଟାରେ ପିକ୍‌ଅପ୍‌ ଭ୍ୟାନ୍‌ ଓ ଟାଟା ମ୍ୟାଜିକ୍‌ ଗାଡ଼ି ମଧ୍ୟରେ ମୁହାଁମୁହିଁ ଧକ୍କା ହୋଇଛି। ଏହି ଦୁର୍ଘଟଣାରେ ମ୍ୟାଜିକ୍‌ ଗାଡ଼ିରେ ଥିବା ଜଣେ ମହିଳାଙ୍କ ମୃତ୍ୟୁ ଘଟିଥିଲା ବେଳେ ତାଙ୍କ ସ୍ବାମୀ ଓ ପୁଅଙ୍କ ସମେତ ତିନିଜଣ ଗୁରୁତର ଆହତ ହୋଇଥିବା ଜଣାପଡ଼ିଛି।

ସୂଚନା ମୁତାବକ, କେନ୍ଦ୍ରାପଡ଼ା ଜିଲ୍ଲା ରାଜନଗର ବ୍ଲକ୍‌ ପ୍ରହରାଜପୁର ଗ୍ରାମର କ୍ରିଷ୍ଣା ପ୍ରଧାନ(୩୧), ତାଙ୍କର ସ୍ତ୍ରୀ କଳ୍ପନା ପ୍ରଧାନ (୨୬) ଓ ୩ ବର୍ଷର ପୁଅ କ୍ରିଷ୍ଣାରାଜ ପ୍ରଧାନ ଦିଲ୍ଲୀରୁ ଟ୍ରେନ୍‌ରେ ଆସିବା ପରେ କଟକରୁ ଟାଟା ମ୍ୟାଜିକ୍‌ ଗାଡ଼ି ଭଡ଼ା କରି ଘରକୁ ଫେରୁଥିଲେ। ସାଲେପୁରର ମ୍ୟାରିୟନ୍‌ ହୋଟେଲ୍‌ ନିକଟରେ କେନ୍ଦ୍ରାପଡ଼ାରୁ କଟକ ଅଭିମୁଖେ ଯାଉଥିବା ଏକ ମାଲ୍‌ ବୋଝେଇ ପିକ୍‌ଅପ୍‌ ଭ୍ୟାନ୍‌ ସହ ମ୍ୟାଜିକ ଗାଡ଼ିର ମୁହାମୁହିଁ ଧକ୍କା ହୋଇଥିଲା।

ଦୁର୍ଘଟଣାରେ କଳ୍ପନାଙ୍କ ଘଟଣାସ୍ଥଳରେ ମୃତ୍ୟୁ ଘଟିଥିଲା ବେଳେ ମ୍ୟାଜିକ ଗାଡ଼ିରେ ଥିବା କ୍ରିଷ୍ଣା, ପୁଅ କ୍ରିଷ୍ଣାରାଜ ଓ ଗାଡ଼ି ଚାଲକ କୁଜଙ୍ଗ ଅଞ୍ଚଳର ଶ୍ରୀନିବାସ ପ୍ରଧାନ (୪୫) ଗୁରୁତର ଆହତ ହୋଇଥିଲା। ସାଲେପୁର ଅଗ୍ନିଶମ ବାହିନୀ ପହଞ୍ଚି ଆହତମାନଙ୍କୁ ଚିକିତ୍ସା ନିମନ୍ତେ ସାଲେପୁର ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରିଥିଲେ। ପ୍ରାଥମିକ ଚିକିତ୍ସା ପରେ ଅବସ୍ଥା ସଙ୍କଟାପନ୍ନ ଥିବାରୁ ତିନିଜଣଙ୍କୁ କଟକ ବଡ଼ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଥିବା ଜଣାଯାଇଛି। ପୁଲିସ ଡାକ୍ତରଖାନାରେ ପହଞ୍ଚି ଶବ ଜବତ କରିଛି। ପରିବାର ସଦସ୍ୟ ଆସିବା ପରେ ଶବ ବ୍ୟବଚ୍ଛେଦ ପାଇଁ କଟକ ପଠାଯିବ ବୋଲି ପୁଲିସ ସୂଚନା ଦେଇଛି। ଦୁର୍ଘଟଣାଗ୍ରସ୍ତ ଗାଡ଼ି ଦୁଇଟିକୁ ପୁଲିସ ଜବତ କରି ତଦନ୍ତ ଚଳାଇଛି।

nis-ad
Leave A Reply

Your email address will not be published.