ମୁଖ୍ୟମନ୍ତ୍ରୀଙ୍କୁ ଭେଟିଲେ ନୀତି ଆୟୋଗ ଉପାଧ୍ୟକ୍ଷ; ଓଡ଼ିଶାକୁ ସ୍ୱତନ୍ତ୍ର ପାହ୍ୟା ମାନ୍ୟତା ଦାବି କଲେ ନବୀନ

ଅନ୍ୟ ରାଜ୍ୟ ତୁଳନାରେ ଓଡ଼ିଶାରେ ବ୍ୟାଙ୍କ ସେବା ପଛରେ ପଡ଼ିଛି । ସବୁ ପଞ୍ଚାୟତରେ ବ୍ୟାଙ୍କ ଶାଖା ଖୋଲିବା ଆବଶ୍ୟକ । ସେହିପରି ରାଜ୍ୟର ପ୍ରାୟ ୬ ହଜାର ଗାଁ ଏବେ ବି ମୋବାଇଲ୍‌ ସେବାରୁ ବଂଚିତ ହୋଇ ରହିଛନ୍ତି । ଏହି ଦୁଇ ଆବଶ୍ୟକତାକୁ ଅଗ୍ରାଧିକାର ଭିତ୍ତିରେ ପୂରଣ କରିବାକୁ ନୀତି ଆୟୋଗ ଉପାଧ୍ୟକ୍ଷଙ୍କ ପାଖରେ ଦାବି କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।

ଏହା ବ୍ୟତୀତ ଓଡ଼ିଶାକୁ ସ୍ୱତନ୍ତ୍ର ପାହ୍ୟା ମାନ୍ୟତା ଦାବି ମଧ୍ୟ ଉଠାଇଛନ୍ତି ମୁଖ୍ୟମନ୍ତ୍ରୀ । ଓଡ଼ିଶା ଗସ୍ତରେ ଆସିଥିବା ନୀତି ଆୟୋଗ ଉପାଧ୍ୟକ୍ଷ ସୁମନ ବେରୀ, ସଦସ୍ୟ ଡ. ବିନୋଦ କେ. ପାଉଲ ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ସାକ୍ଷାତ କରିଛନ୍ତି । ନବୀନ ନିବାସରେ ଆଲୋଚନା ସମୟରେ ଆସନ୍ତା ଅଗଷ୍ଟ ୭ ତାରିଖରେ ନୀତି ଆୟୋଗ ପରିଚାଳନା ପରିଷଦ ବୈଠକକୁ ମୁଖ୍ୟମନ୍ତ୍ରୀଙ୍କୁ ନିମନ୍ତ୍ରଣ କରିଛନ୍ତି । ଆଲୋଚନା ବେଳେ ନବୀନ କହିଛନ୍ତି ଓଡ଼ିଶାରେ ପ୍ରତିବର୍ଷ ପ୍ରାକୃତିକ ବିପର୍ଯ୍ୟୟ ଯୋଗୁଁ ବିକାଶ ବାଧାପ୍ରାପ୍ତ ହେଉଛି । କ୍ଷୟକ୍ଷତିକୁ ଭରଣା କରି ପୁଣି ବିକାଶ କ୍ଷେତ୍ରରେ ଆଗେଇବା ପାଇଁ ଓଡ଼ିଶାକୁ ସ୍ୱତନ୍ତ୍ର ପାହ୍ୟା ଦେବାକୁ ମୁଖ୍ୟମନ୍ତ୍ରୀ ଯୁକ୍ତି ବାଢ଼ିଥିଲେ । ରେଳର ବିକାଶ କ୍ଷେତ୍ରରେ କେନ୍ଦ୍ରର ଓଡ଼ିଶା ପ୍ରତି ଅବହେଳା ପ୍ରସଙ୍ଗ ଉଠାଇଥିଲେ । ଏ ସମ୍ପର୍କରେ ନୀତି ଆୟୋଗ ଉପାଧ୍ୟକ୍ଷଙ୍କୁ ବିସ୍ତୃତ ରିପୋର୍ଟ ଦିଆଯିବ ବୋଲି ସେ କହିଛନ୍ତି । ଏହି ଅବସରରେ ମୁଖ୍ୟମନ୍ତ୍ରୀ ନୀତି ଆୟୋଗ ଉପାଧ୍ୟକ୍ଷ ଶ୍ରୀ ବେରୀ ଓ ତାଙ୍କ ସହଯୋଗୀମାନଙ୍କୁ ହକି ଇଣ୍ଡିଆର ଜର୍ସି ପ୍ରଦାନ କରିଥିଲେ । ଏହି ଅବସରରେ ୫-ଟି ସଚିବ ଭି କେ ପାଣ୍ଡିଆନ ଉପସ୍ଥିତ ଥିଲେ ।

ନୀତି ଆୟୋଗ ଉପାଧ୍ୟକ୍ଷ ଶ୍ରୀ ବେରୀ ମୁଖ୍ୟମନ୍ତ୍ରୀଙ୍କୁ ସାକ୍ଷାତ କରିବା ପୂର୍ବରୁ ମୁଖ୍ୟ ଶାସନ ସଚିବ ସୁରେଶ ମହାପାତ୍ର, ଉନ୍ନୟନ କମିଶନର ପ୍ରଦୀପ ଜେନାଙ୍କ ସମେତ ରାଜ୍ୟ ସରକାରଙ୍କ ଅନ୍ୟ ବରିଷ୍ଠ ଅଧିକାରୀଙ୍କ ସହ ଆଲୋଚନା କରିଥିଲେ । ଲୋକସେବା ଭବନର ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ବୈଠକରେ ଉନ୍ନୟନ କମିଶନର ତଥା ଅତିରିକ୍ତ ମୁଖ୍ୟ ଶାସନ ସଚିବ ସ୍ୱାଗତ ଭାଷଣ ଦେଇଥିବା ବେଳେ ମୁଖ୍ୟ ଶାସନ ସଚିବ ବିସ୍ତୃତ ସୂଚନା ଦେଇଥିଲେ ।

ରାଜ୍ୟ ସରକାରଙ୍କ ତରଫରୁ ଉନ୍ନୟନ କମିଶନର ତଥା ଅତିରିକ୍ତ ମୁଖ୍ୟ ଶାସନ ସଚିବଙ୍କ ଦ୍ୱାରା ଏକ ପାୱାରପଏଣ୍ଟ୍‌ ଉପସ୍ଥାପନା କରାଯାଇଥିଲା । ପଞ୍ଚାୟତିରାଜ ଓ ପାନୀୟ ଜଳ ଏବଂ ଅର୍ଥ ବିଭାଗର ପ୍ରମୁଖ ଶାସନ ସଚିବ ରାଜ୍ୟରେ ସରକାରଙ୍କ ଦ୍ୱାରା କାର୍ଯ୍ୟକାରୀ ହୋଇଥିବା ସଫଳତା ଉପରେ ଆଲୋକପାତ କରିଥିଲେ । ନୀତି ଆୟୋଗ ଉପାଧ୍ୟକ୍ଷ ଏବଂ ସଦସ୍ୟମାନେ ରାଜ୍ୟ ସରକାରଙ୍କ ଦ୍ୱାରା କାର୍ଯ୍ୟକାରୀ ହେଉଥିବା ପ୍ରକଳ୍ପଗୁଡ଼ିକର ସଫଳତାକୁ ନେଇ ପ୍ରଶଂସା କରିଥିଲେ ।

ପୂର୍ବରୁ ନୀତି ଆୟୋଗ ଉପାଧ୍ୟକ୍ଷ ଓ ସହଯୋଗୀ ସକାଳେ ଭୁବନେଶ୍ୱରରେ ପ୍ରତିଷ୍ଠା ହୋଇଥିବା ବିଶ୍ୱ ଦକ୍ଷତା କେନ୍ଦ୍ର ପରିଦର୍ଶନ କରିଥିଲେ । ପରେ ସେମାନେ ମହିଳାମାନଙ୍କ ଦ୍ୱାରା ପରିଚାଳିତ ଏକ ଉଦ୍ୟୋଗ, ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର, ୫-“ଟି’ରେ ରୂପାନ୍ତରିତ ହୋଇଥିବା ଉଚ୍ଚବିଦ୍ୟାଳୟ, ଅଙ୍ଗନବାଡ଼ି କେନ୍ଦ୍ର ଏବଂ ପିପିଲିଠାରେ ଥିବା ୱେଲନେସ୍‌ କେନ୍ଦ୍ର ସହ ରାଜ୍ୟ ସରକାରଙ୍କ ଦ୍ୱାରା କାର୍ଯ୍ୟକାରୀ କରାଯାଇଥିବା ବିକାଶମୂଳକ କାର୍ଯ୍ୟକ୍ରମଗୁଡ଼ିକୁ ନିରୀକ୍ଷଣ କରିଥିଲେ । ଗଣ୍ଡମୁଣ୍ଡାସି୍ଥତ ଓଡ଼ିଶା କ୍ରାଫ୍ଟ ମ୍ୟୁଜିୟମ “କଳାଭୂମି’ ପରିଦର୍ଶନ କରିଥିଲେ ।

nis-ad
Leave A Reply

Your email address will not be published.