୫-ଟି ରୂପାନ୍ତରଣରେ କଟକର ଆଉ ୨୦ଟି ସ୍କୁଲ୍‌

କଟକ: ସହରର ଆଉ ୨୦ଟି ସ୍କୁଲକୁ ୫-ଟି ରୂପାନ୍ତରଣର ତୃତୀୟ ପର୍ଯ୍ୟାୟରେ ସ୍ଥାନ ମଳିଛି। ଏହା ପୂର୍ବରୁ ପ୍ରଥମ ଓ ଦ୍ବିତୀୟ ପର୍ଯ୍ୟାୟରେ ପୌର ନିଗମର ୨୨ଟି ସ୍କୁଲକୁ ରୂପାନ୍ତରଣ କରାଯାଇଥିଲା। ତୃତୀୟ ପର୍ଯ୍ୟାୟରେ ୨୦ଟି ସ୍କୁଲକୁ ମନୋନିତ କରାଯାଇଥିବା ବେଳେ ଆଜି ୮ଟି ସ୍କୁଲକୁ ନିଗମର କମିସନର୍‌ ନିଖିଲ୍‌ ପୱନ୍‌ କଲ୍ୟାଣ ବୁଲି ଦେଖିବା ସହ ସେଗୁଡିକର ସମସ୍ୟା ଓ ଆବଶ୍ୟକତା ଉପରେ ଆଲୋଚନା କରିଛନ୍ତି।

ରାଜ୍ୟ ସରକାରଙ୍କ ୫-ଟି ଯୋଜନାର ସ୍କୁଲ ରୂପାନ୍ତରଣ ତୃତୀୟ ପର୍ଯ୍ୟାୟରେ ସହରର ୨୦ଟି ସ୍କୁଲକୁ ସ୍ଥାନ ମିଳିଛି। ସେଥିମଧ୍ୟରୁ ବାରବାଟୀ ନିର୍ବାଚନମଣ୍ଡଳିରୁ ୯ଟି, ଚୌଦ୍ବାରରୁ ୭ଟି ଓ ସଦର ନିର୍ବାଚନମଣ୍ଡଳୀରୁ ୪ଟି ରହିଛି। ନଗମର ୧୮ଟି ୱାର୍ଡର ୨୦ଟି ସ୍କୁଲ ଏଥିରେ ସାମିଲ ହୋଇଛି। ରୂପାନ୍ତକରଣ ଯୋଜନାରେ ସ୍କୁଲଗୁଡିକରେ ୨ଟି ସ୍ମାର୍ଟ କ୍ଲାସ୍‌ରୁମ, ଗୋଟିଏ ସାଇନ୍ସ ଲାବୋରେଟୋରି, ଇ-ଲାଇବ୍ରେରି ନିର୍ମାଣ କରାଯିବ। ସ୍କୁଲରେ ପିଇବା ପାଣି, ଶୌଚାଳୟ, ଆଲୋକୀକରଣର, ଖେଳପଡିଆ ଉନ୍ନତୀକରଣ, ବଗିଚା, ପାଚେରି ରଙ୍ଗ, ରାସ୍ତା ମରାମତି ଆଦି କାମ କରାଯିବ। ଆଜି ୨୦ଟି ସ୍କୁଲ ମଧ୍ୟରୁ ରାଜାବଗିଚା, ମାନସିଂପାଟଣା, ହାଡ଼ିବନ୍ଧୁ, ଚୌଧୁରୀବଜାର, ଖ୍ରୀଷ୍ଟ କଲଜିଏଟ୍‌ ସ୍କୁଲ, ଭକ୍ତମଧୁ ବିଦ୍ୟାପୀଠ, ମାରୱାଡ଼ି ହାଇସ୍କୁଲ ଓ ପ୍ରାକ୍ଟିସିଂ ବାଳିକା ହାଇସ୍କୁଲକୁ ଅପରା କମିସନର୍‌ ଶ୍ରୀ କଲ୍ୟାଣ ବୁଲି ଦେଖିଛନ୍ତି।

ବିଶେଷ ଭାବେ ଭକ୍ତମଧୁ ବିଦ୍ୟାପୀଠର ୨ଟି ପରିସରକୁ ବ୍ୟବହାର କରିବା ସହ ଖ୍ରୀଷ୍ଟ କଲଜିଏଟ୍‌ ସ୍କୁଲର ପୁରୁଣା କୋଠାର ସଂରକ୍ଷଣ ପାଇଁ ବ୍ୟବସ୍ଥା କରିବାକୁ‌ କମିସନର କହିଛନ୍ତି। ଚଳିତବର୍ଷ ସେପ୍ଟମ୍ବର ଓ ଅକ୍ଟୋବର ମାସରେ କାମ ଆରମ୍ଭ କରି ଡିସେମ୍ବର ସୁଦ୍ଧା ଶେଷ କରିବାକୁ ସ୍ଥିର ହୋଇଛି। କମିସନରଙ୍କ ପରିଦର୍ଶନରେ ସ୍କୁଲର ସମସ୍ତ ଶିକ୍ଷକ, ସ୍ଥାନୀୟ କର୍ପୋରେଟର୍‌, ପୁରାତନ ଛାତ୍ର ସଂସଦ କର୍ମକର୍ତ୍ତା, ଅଭିଭାବକଙ୍କ ସହ ନିଗମର ସିଟି ଇଂଜିନିୟର ସୁବାରାଓ ପାତ୍ର, ଡେପୁଟି କମିସନର ସାନିଟେସନ ସଞ୍ଜୀବିତା ରାଏ ଓ ବିଭିନ୍ନ ବିଭାଗର ଅଧିକାରୀ ଉପସ୍ଥିତ ଥିଲେ। ଉପରୋକ୍ତ ୮ଟି ସ୍କୁଲ ସହିତ ଅନ୍ୟ ୧୨ଟି ସ୍କୁଲ ହେଲା ଥୋରିଆସାହି ବାଳିକା ହାଇସ୍କୁଲ, ରେଲୱେ ସେଟେଲମେଣ୍ଟ, ବୁଢିମଙ୍ଗଳା ବିଦ୍ୟାପୀଠ, କୁଞ୍ଜବିହାରୀଜିଉ, ବାଦାମବାଡି ନ୍ୟୁ କଲୋନି, ଜଗତପୁର, ନିମପୁର, ମଧୁସୂଦନ ବାଳିକା ହାଇସ୍କୁଲ, ଆଚାର୍ଯ୍ୟ ହରିହର, ଧାକୁଲେଇ ବିଦ୍ୟାପୀଠ ଓ ଲକ୍ଷେଶ୍ବର ହାଇସ୍କୁଲ ରହିଛି।

nis-ad
Leave A Reply

Your email address will not be published.