ଅଶାନ୍ତ ହେଉଛି କର୍ଣ୍ଣାଟକ : ପ୍ରବୀଣଙ୍କ ପରେ ଫୈଜଲଙ୍କୁ ନିର୍ମମ ଭାବେ ହତ୍ୟା, ୧୪୪ ଧାରା ଲାଗୁ

ମେଙ୍ଗାଲୁରୁ: କର୍ଣ୍ଣାଟକାର ମେଙ୍ଗାଲୁରୁରେ ପୁଣି ଜଣେ ଯୁବକଙ୍କୁ ଅତ୍ୟନ୍ତ ନିର୍ମମ ଭାବେ ହତ୍ୟା କରାଯାଇଛି। ମେଙ୍ଗାଲୁର ଉପକଣ୍ଠ ସୁରାତକଲ ଠାରେ ଥିବା ଗୋଟିଏ ଟେକ୍ସଟାଇଲ ଦୋକାନ ବାହାରେ ମହମ୍ମଦ ଫୈଜଲ ନାମକ ଯୁବକଙ୍କୁ କିଛି ଦୁର୍ବୃତ୍ତ ଧାରୁଆ ଅସ୍ତ୍ରରେ ହାଣି ହତ୍ୟା କରିଛନ୍ତି। ଏହାକୁ ନେଇ ମେଙ୍ଗାଲୁରୁରେ ଚାପା ଉତ୍ତେଜନା ଦେଖିବାକୁ ମିଳିଛି।
ଏହାପୂର୍ବରୁ ବେଲ୍ଲାରେ ଠାରେ ବିଜେପିର ଯୁବ ନେତା ପ୍ରବୀଣ ନେତ୍ତାର ସମାନ ଢଙ୍ଗରେ ହତ୍ୟା କରାଯାଇଥିଲା। ମୃତ ପ୍ରବୀଣଙ୍କ ଘରକୁ ଗୁରୁବାର ସନ୍ଧ୍ୟାରେ ମୁଖ୍ୟମନ୍ତ୍ରୀ ବସବରାଜ ବୋମାଇ ଯାଇଥିବା ବେଳେ ମେଙ୍ଗାଲୁରୁ ଠାରେ ଫୈଜଲଙ୍କୁ ହତ୍ୟା କରାଯାଇଛି।
ମୃତ ଫୈଜଲଙ୍କ ଘର ସୁରାତକଲ ନିକଟସ୍ଥ ମାଙ୍ଗଲପେଟ ଅଞ୍ଚଳରେ। ତାଙ୍କୁ କିଛି ଦୁର୍ବୃତ୍ତ ସଂଘବଦ୍ଧ ଭାବେ ଆକ୍ରମଣ କରିବାରୁ ସେ ଗୁରୁତର ହୋଇଥିଲେ ଓ ହସ୍ପିଟାଲ ନିଆଯିବା ବାଟରେ ହିଁ ତାଙ୍କର ମୃତ୍ୟୁ ଘଟିଛି। ମେଙ୍ଗାଲୁରୁ ସିଟି ପୁଲିସ କମିଶନର ଏନ ଶଶି କୁମାର କହିଛନ୍ତି, ଫୈଜଲଙ୍କୁ ୩ରୁ ୪ ଜଣ ଯୁବକ ମିଳିତ ଭାବେ ଧାରୁଆ ଅସ୍ତ୍ରରେ ଆକ୍ରମଣ କରିଥିଲେ। ସିସିଟିଭିରେ ମଧ୍ୟ ଆକ୍ରମଣର ଦୃଶ୍ୟ ରହିଛି। ଏନେଇ ସୁରାତକଲ ପୁଲିସ୍‌ ଷ୍ଟେସନରେ ମାମଲା ରୁଜୁ ହୋଇଛି।
ଫୈଜଲ ଦୋକାନ ବାହାରେ କଥା ହେଉଥିବା ବେଳେ କିଛି ଯୁବକ ତାଙ୍କ ପାଖରେ ପହଞ୍ଚି ଆକ୍ରମଣ ଉଦ୍ୟମ କରିଥିଲେ। ସେ ଦୌଡ଼ିବାରୁ ସେମାନେ ତାଙ୍କୁ କାବୁ କରି ପ୍ରଥମେ ପ୍ରବଳ ମାଡ଼ ମାରିଥିଲେ। ଏହାପରେ ତାଙ୍କୁ ଧାରୁଆ ଅସ୍ତ୍ରରେ ହାଣି ଦେଇଥିଲେ। ହସ୍ପିଟାଲ ନିଆଯିବା ବାଟରେ ତାଙ୍କର ମୃତ୍ୟୁ ଘଟିଛି।
ଲୋକମାନେ ଘଟଣାକୁ ନେଇ ଆଦୌ ଗୁଜବର ପ୍ରଚାର କରନ୍ତୁ ନାହିଁ। ମୁଁ ନିଜେ ଘଟଣାସ୍ଥଳକୁ ଯାଇ ପ୍ରତ୍ୟେକ୍ଷଦର୍ଶୀଙ୍କୁ ପଚରାଉଚରା କରିଛି। ଆକ୍ରମଣ ପଛର କାରଣ ଏଯାଏ ଜଣାପଡ଼ିନି। ସ୍ଥିତିକୁ ଦେଖି ସୁରାତକଲ, ପାନମବୁର, ମୁଲକୀ ଓ ବାଜପେ ଅଞ୍ଚଳରେ ୧୪୪ ଧାରା ଲାଗୁ କରାଯାଇଛି।
ଜୁଲାଇ ୩୦ ତାରିଖ ସକାଳ ୬ଟା ଏଯାଏ ଏସବୁ ଅଞ୍ଚଳରେ ୧୪୪ ଧାରା ବଳବତ୍ତର ରହିବ। ଶୁକ୍ରବାର ଅର୍ଥାତ ଆଜି ଏହି ଅଞ୍ଚଳରେ ଥିବା ସମସ୍ତ ମଦ ଦୋକାନ ବନ୍ଦ ରଖିବାକୁ ନିର୍ଦ୍ଦେଶ ଦିଆଯାଇଛି। ଯଦି ଦରକାର ପଡ଼େ ଅନ୍ୟ ଅଞ୍ଚଳରେ ମଧ୍ୟ କଟକଣା ଲାଗୁ କରାଯିବ ବୋଲି କମିଶନର କହିଛନ୍ତି।
ଦୁର୍ବୃତ୍ତମାନଙ୍କୁ ଧରିବା ପାଇଁ ମେଙ୍ଗାଲୁରୁ କମିଶନରେଟ ଅଞ୍ଚଳରେ ୧୯ଟି ଚେକ ପୋଷ୍ଟ ତିଆରି କରାଯାଇଛି। ସୁରାତକଲ, ପାନମବୁର, ମୁଲକୀ ଓ ବାଜପେ ଅଞ୍ଚଳରେ ଥିବା ସମସ୍ତ ସ୍କୁଲକୁ ମଧ୍ୟ ବନ୍ଦ ରଖିବାକୁ ନିର୍ଦ୍ଦେଶ ଦିଆଯାଇଛି।

nis-ad
Leave A Reply

Your email address will not be published.