ରାଷ୍ଟ୍ରପତିଙ୍କୁ ରାଷ୍ଟ୍ରପତ୍ନୀ କହିଲେ ଅଧୀର ରଞ୍ଜନ : କ୍ଷମାମାଗି ସଫେଇଦେଲେ କହୁ କହୁ କହିଦେଇଛି

ନୂଆଦିଲ୍ଲୀ: ପୁଣି ବିବାଦ ଘେରରେ କଂଗ୍ରେସ ନେତା ଅଧିର ରଞ୍ଜନ ଚୌଧୁରୀ। ଦେଶର ନବ ନିର୍ବାଚିତ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ସଂପର୍କରେ ଆପତ୍ତିଜନକ ଟିପ୍ପଣୀ ଦେଇ ଅଡ଼ୁଆରେ ଫସିଛନ୍ତି ଅଧିର ରଞ୍ଜନ । ଦେଶର ରାଷ୍ଟ୍ରପତିଙ୍କୁ ‘ରାଷ୍ଟ୍ରପତ୍ନୀ’ ସମ୍ବୋଧିତ କରି ସେ ଝଡ଼ ସୃଷ୍ଟି କରିଛନ୍ତି। ଏନେଇ ଗଣମାଧ୍ୟମରେ ଜୋରଦାର ଚର୍ଚ୍ଚା ହେବା ପରେ ଦଳର ଅଧ୍ୟକ୍ଷା ସୋନିଆ ଗାନ୍ଧି ଉତ୍ତର ରଖିଛନ୍ତି। ଅଧିର ରଞ୍ଜନ ଚୌଧୁରୀ କ୍ଷମା ମାଗିବେ କି ବୋଲି ଗଣମାଧ୍ୟମ ପ୍ରତିନିଧି ସୋନିଆ ଗାନ୍ଧିଙ୍କୁ ପ୍ରଶ୍ନ କରିଥିଲେ। ଉତ୍ତରରେ ସୋନିଆ ଗାନ୍ଧି କହିଛନ୍ତି, ଅଧିର ରଞ୍ଜନ ଚୌଧୁରୀ ଏ ବିଷୟରେ କ୍ଷମା ମାଗିସାରିଛନ୍ତି।
ଏହି ପ୍ରସଙ୍ଗରେ ସଂସଦର ଉଭୟ ସଦନରେ ଶାସକ ଦଳ ପକ୍ଷରୁ ହଙ୍ଗାମା ଓ ନାରାବାଜି କରାଯାଇଥିଲା। ଫଳରେ ଲୋକସଭାକୁ ସ୍ଥଗିତ ରଖାଯାଇଛି। ରାଜ୍ୟସଭାରେ ଅର୍ଥମନ୍ତ୍ରୀ ନିର୍ମଳା ସୀତା ରମଣ କହିଥିଲେ ଯେ, ଏଭଳି ମନ୍ତବ୍ୟ କଂଗ୍ରେସ ପକ୍ଷରୁ ଜାଣିଶୁଣି ଦିଆଯାଇଛି। ଏହା ଲିଙ୍ଗଗତ ଭେଦଭାବକୁ ଦର୍ଶାଉଛି । ଦେଶରେ ଜଣେ ପ୍ରଥମ ଆଦିବାସୀ ମହିଳା ରାଷ୍ଟ୍ରପତି ହୋଇଥିବାରୁ ସମଗ୍ର ଦେଶ ଉତ୍ସବ ପାଳୁଛି। ହେଲେ ଅଧିର ରଞ୍ଜନ ଦେଇଛନ୍ତି ଦୁର୍ଭାଗ୍ୟଜନକ ବୟାନ।
ଅନ୍ୟପକ୍ଷରେ ଆଜି ସକାଳେ ଅଧିର ରଞ୍ଜନ କ୍ଷମା ମାଗି କହିଥିଲେ, କହୁ କହୁ ସେମିତି କହି ଦେଇଛି। ଏହାକୁ ନେଇ ବିଜେପି ପର୍ବତସମ ପ୍ରସଙ୍ଗ କରୁଛି।
ଗଣମାଧ୍ୟମକୁ ଜବାବ ଦେଇ ଅଧିର ରଞ୍ଜନ କହିଥିଲେ, ମୁଁ କେବଳ ଥରେ କହିଥିଲି। ଜୀଭ ସ୍ଲିପ କରିବାରୁ ମୋ ମୁହଁରୁ ବାହାରି ଯାଇଥିଲା। ହେଲେ ଶାସକ ଦଳର ଅଭ୍ୟାସ ହେଉଛି ଛୋଟ କଥାକୁ ବଡ଼ କରିବା।

ସେ କହିଛନ୍ତି, “ଭୁଲ ବଶତଃ ମୋ ପାଟିରୁ ରାଷ୍ଟ୍ରପତିଙ୍କ ପାଇଁ ଶବ୍ଦଟି ଖସି ଯାଇଥିଲା। ମୁଁ ଜଣେ ବେଙ୍ଗଲୀ। ମୁଁ ସାଧାରଣତଃ ହିନ୍ଦୀ ସହ ସେତେଟା ଜଡ଼ିତ ନୁହେଁ। ମୁଁ ଗୋଟିଏ ଭୁଲ କରିଥିବା ସ୍ୱୀକାର କରୁଛି। ନିର୍ବାଚନ ବେଳେ ସୋନିଆ ଗାନ୍ଧିଙ୍କ ସମ୍ପର୍କରେ କ’ଣ ସବୁ କୁହାଯାଇଥିଲା? ସାଂସଦ ଶଶି ଥରୁରଙ୍କ ପତ୍ନୀଙ୍କ ସମ୍ପର୍କରେ କି ଭଳି ଶବ୍ଦ ସବୁ ପ୍ରୟୋଗ ହୋଇଥିଲା?
ସଂସଦ ଭିତରେ ସେମାନେ କେମିତି ରେଣୁକା ଚୌଧୁରୀଙ୍କ ସମ୍ପର୍କରେ ଶବ୍ଦ ପ୍ରୟୋଗ କରିଥିଲେ? ସେକଥା କାହାକୁ ବି ଦେଖାଯାଉନି। ସେ ଯାହା ବି ହେଉ ମୁଁ ନିଜେ ରାଷ୍ଟ୍ରପତିଙ୍କ ଠାରୁ ସମୟ ମାଗିଛି। ସମ୍ଭବତଃ ମୁଁ ତାଙ୍କୁ ଦେଖା କରିବାକୁ ସମୟ ପାଇବି। ଯଦି ମୁଁ ତାଙ୍କୁ ଦେଖା କରିବି, ତା’ହେଲେ ବ୍ୟକ୍ତିଗତ ଭାବେ ତାଙ୍କ ସହ କଥା ହେବି। ଯଦି ମୁଁ ତାଙ୍କ ଭାବାବେଗକୁ ଆଘାତ ପହଞ୍ଚାଇଛି, ତା’ହେଲେ ତାଙ୍କୁ କ୍ଷମା ମାଗିବି।
କିନ୍ତୁ ଏହି ସବୁ ଠକମାନଙ୍କୁ କେବେ ହେଲେ କ୍ଷମା ମାଗିବି ନାହିଁ। ସେମାନେ ସମସ୍ତେ ଜଣେ ଜଣେ ଠକ। ସେମାନେ ସମସ୍ତେ ମହିଳାଙ୍କୁ ଅସମ୍ମାନ କରିବାରେ ବେଶ ପାରଙ୍ଗମ। ସେମାନେ ଜଣଙ୍କ ପରେ ଜଣେ ମହିଳାଙ୍କୁ ଅପମାନିତ କରିଛନ୍ତି। କ’ଣ ସେମାନଙ୍କୁ ମୁଁ ସେସବୁ ମନେ ପକାଇ ଦେବି?”
ସେ ଆହୁରି କହିଛନ୍ତି, “ ସେମାନେ ଆଦିବାସୀଙ୍କ ପାଇଁ ଏବେ କୁମ୍ଭୀର କାନ୍ଦଣା କାନ୍ଦୁଛନ୍ତି। ମୋଦିଜୀଙ୍କ ଶାସନ ସମୟରେ ଦେଶର ଆଦିବାସୀମାନେ ସବୁଠାରୁ ଅଧିକ କଷ୍ଟ ପାଇଛନ୍ତି। ତଥ୍ୟ ଯାଞ୍ଚ କରନ୍ତୁ। ଦେଶର ଅବସ୍ଥା ଆପଣମାନେ ଭଲ ଭାବେ ବୁଝି ପାରିବେ।”
ବିଜୟଚୌକରେ ବୁଧବାର କଂଗ୍ରେସ ପକ୍ଷରୁ ବିକ୍ଷୋଭ କରାଯାଉଥିଲା। ଏହି ସମୟରେ ଅଧିର ରଞ୍ଜନ ଚୌଧୁରୀ ସାମ୍ବାଦିକମାନଙ୍କୁ କହିଥିଲେ ଯେ କଂଗ୍ରେସ ନେତାମାନେ ରାଷ୍ଟ୍ରପତ୍ନୀଙ୍କ ପାଖକୁ ଯିବେ। ଏହା ଗଣମାଧ୍ୟମରେ ପ୍ରକାଶ ପାଇବା ପରେ ସଂସଦ ଠାରୁ ଆରମ୍ଭ କରି ବିଭିନ୍ନ ସ୍ଥାନରେ ବିଜେପି ପକ୍ଷରୁ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି।
ଅନ୍ୟପଟେ କେନ୍ଦ୍ର ମନ୍ତ୍ରୀ ସ୍ମୃତି ଇରାନୀ କହିଛନ୍ତି, ଆଦିବାସୀଙ୍କୁ ସମ୍ମାନ ଦେବା କଂଗ୍ରେସକୁ ଜଣାନାହିଁ। କଂଗ୍ରେସ ହେଉଛି ଆଦିବାସୀ, ମହିଳା ଓ ଦଳିତ ବିରୋଧୀ । କଂଗ୍ରେସ ଦେଶର ସୁପ୍ରିମ କମାଣ୍ଡାରଙ୍କୁ ଅପମାନିତ କରିଛି । ଏହା ସୋନିଆ ଗାନ୍ଧିଙ୍କ ପ୍ରରୋଚନାରେ ହୋଇଥିବା ସେ ଅଭିଯୋଗ କରିଛନ୍ତି। କଂଗ୍ରେସ ଦେଶକୁ କ୍ଷମା ମାଗିବା ଉଚିତ ବୋଲି ସେ ଦାବି କରିଛନ୍ତି।

nis-ad
Leave A Reply

Your email address will not be published.