୩ ଦିନ ମଧ୍ୟରେ ସୋନିଆଙ୍କୁ ଇଡି ୧୨ ଘଣ୍ଟା ଜେରା କଲା

ନୂଆଦିଲ୍ଲୀ: ନ୍ୟାଶନାଲ ହେରାଲ୍ଡ ମାମଲାରେ ଫସିଥିବା କଂଗ୍ରେସ ଅଧ୍ୟକ୍ଷ ସୋନିଆ ଗାନ୍ଧିଙ୍କୁ ଆଜି ପ୍ରବର୍ତ୍ତନ ନିର୍ଦ୍ଦେଶାଳ(ଇଡି) ପ୍ରାୟ ୩ ଘଣ୍ଟାର ଜେରା ପରେ ଛାଡ଼ିଛି। ଆଜି କ୍ରମାଗତ ଦ୍ୱିତୀୟ ଦିନ ପାଇଁ ଇଡି ଜେରାରର ସମ୍ମୁଖୀନ ହୋଇଛନ୍ତି ସୋନିଆ। ମଙ୍ଗଳବାର ତାଙ୍କୁ ଦୁଇଟି ପର୍ଯ୍ୟାୟରେ ୬ ଘଣ୍ଟା ଜେରା କରାଯାଇଥିଲା। ଏହାପୂର୍ବରୁ ଜୁଲାଇ ୨୧ରେ ମଧ୍ୟ ସୋନିଆଙ୍କୁ ପ୍ରାୟ ୩ ଘଣ୍ଟା ଧରି ପଚରାଉଚରା କରାଯାଇଥିଲା।
୩ ଦିନ ମଧ୍ୟରେ ସୋନିଆଙ୍କୁ ଇଡି ପ୍ରାୟ ୧୨ ଘଣ୍ଟା ଜେରା କରିଛି। ଏହି ସମୟରେ ତାଙ୍କୁ ତଦନ୍ତକାରୀ ସଂସ୍ଥା ୧୦୦ଟି ପ୍ରଶ୍ନ ପଚାରିଥିବା ଜଣାପଡ଼ିଛି। ସୋନିଆ ମଧ୍ୟ ସବୁ ପ୍ରଶ୍ନର ଉତ୍ତର ଚଟାପଟ ଦେଇଛନ୍ତି। ଏବେ ଇଡି ପକ୍ଷରୁ ତାଙ୍କୁ ଜେରା ପାଇଁ ଆଉ କୌଣସି ନୂଆ ସମନ କରାଯାଇନି।
ସୋନିଆଙ୍କ ପୂର୍ବରୁ ନ୍ୟାଶନାଲ ହେରାଲ୍ଡ ମାମଲାରେ ତାଙ୍କ ପୁଅ ରାହୁଲ ଗାନ୍ଧିଙ୍କୁ ୫ ଦିନ କାଳ ଜେରା କରାଯାଇଥିଲା। ଏହି ସମୟରେ ସେ ୧୫୦ଟି ପ୍ରଶ୍ନର ଉତ୍ତର ଦେଇଥିଲେ। ନ୍ୟାଶନାଲ ହେରେଲ୍ଡ ଖବରକାଗଜ ଓ ୟଙ୍ଗ ଇଣ୍ଡିଆନ ପ୍ରାଇଭେଟ ଲିଃରେ ରାହୁଲ ଗାନ୍ଧିଙ୍କ ଭଳି ସୋନିଆଙ୍କ ଭୂମିକା କ’ଣ ରହିଥିଲା, ସେକଥା ଜାଣିବାକୁ ଇଡି ପ୍ରୟାସ କରିଛି। ରାହୁଲ ଓ ସୋନିଆ ୟଙ୍ଗ ଇଣ୍ଡିଆନର ସିଂହ ଭାଗ ଅଂଶଧନ ନିଜ ପାଖରେ ରଖିଥିଲେ। ତେଣୁ ରାହୁଲ ଓ ସୋନିଆଙ୍କ ବୟାନ ମେଳ ଖାଉଛି କି ନାହିଁ, ତା’ ଉପରେ ଇଡିର ଅଧିକାରୀମାନେ ଫୋକସ କରିଛନ୍ତି।
ନ୍ୟାଶନାଲ ହେରାଲ୍ଡ ପରିଚାଳିତ ହେଉଥିବା କମ୍ପାନୀ ଏଜେଏଲକୁ ୟଙ୍ଗ ଇଣ୍ଡିଆ ଟେକ ଓଭର କରିଥିଲା। ଏହି ସମୟରେ ବ୍ୟାପକ ହେରଫେର ହୋଇଥିବା କୁହାଯାଉଛି। ଦେଶର ପ୍ରଥମ ପ୍ରଧାନମନ୍ତ୍ରୀ ଜବାହର ଲାଲ ନେହରୁ ଏହି ଖବରକାଗଜକୁ ପ୍ରତିଷ୍ଠା କରିଥିଲେ। ଇଡି କହିଛି ଯେ ଏଜେଏଲର ପ୍ରାୟ ୮୦୦ କୋଟି ଟଙ୍କାର ସମ୍ପତ୍ତି ବେଆଇନ ଭାବେ ୟଙ୍ଗ ଇଣ୍ଡିଆନ ଦଖଲ କରିଛି। ଆୟକର ବିଭାଗର କହିବା କଥା ଏଜେଏଲର ସମ୍ପତ୍ତି ୟଙ୍ଗ ଇଣ୍ଡିଆନର ଶେୟାର ହୋଲ୍ଡର୍ସମାନଙ୍କର ବୋଲି ବିଚାର କରିବାକୁ ପଡ଼ିବ। ଏହାର ଅର୍ଥ ରାହୁଲ ଓ ସୋନିଆ ଏହି ସମ୍ପତ୍ତି ଉପରେ ଟିକସ ଦେବା କଥା। ହେଲେ ସେମାନେ ଟିକସ ଫାଙ୍କିଛନ୍ତି।
ଅନ୍ୟପକ୍ଷରେ କଂଗ୍ରେସ କହିଛି ଯେ “କୌଣସି ପ୍ରକାରର ଭୁଲ କାମ ହୋଇନି। ୟଙ୍ଗ ଇଣ୍ଡିଆନ ଗୋଟିଏ ଲାଭ ଜନକ ସଂସ୍ଥା ନୁହେଁ। ତେଣୁ ମନି ଲଣ୍ଡରିଂର ପ୍ରଶ୍ନ ହିଁ ଉଠୁନି।” ଏହି ସବୁ ବିବାଦକୁ ନେଇ ସୋନିଆ ଓ ରାହୁଲଙ୍କୁ ଇଡି ଜେରା କରିଛି।
ଆଜି ମଧ୍ୟାହ୍ନ ପ୍ରାୟ ୧୧.୧୫ରେ ସୋନିଆ ଇଡି କାର୍ଯ୍ୟାଳୟରେ ପହଞ୍ଚିବା ପରେ ତାଙ୍କୁ ଜେରା ଆରମ୍ଭ କରାଯାଇଥିଲା। ଜେଡ୍‌ ପ୍ଲସ ସୁରକ୍ଷା ଓ ଝିଅ ପ୍ରୟଙ୍କା ଗାନ୍ଧି ଭଦ୍ରାଙ୍କ ସହ ସୋନିଆ ଇଡି କାର୍ଯ୍ୟାଳୟ ଭିତରୁ ଯାଇଥିଲେ। ପ୍ରିୟଙ୍କା ମେଡିସିନ ଧରି ବସି ରହିଥିଲେ। ସେହିପରି ମେଡିକାଲ ଟିମକୁ ଷ୍ଟାଣ୍ଡବାଏରେ ବି ରଖାଯାଇଥିଲା।

nis-ad
Leave A Reply

Your email address will not be published.