ମାଲକାନଗିରି (୨୩/୦୭) : ବଳାତ୍କାର ଏବଂ ବଳାତ୍କାରୀ ମାନସିକତା ରଖୁଥିବା ଅସାମାଜିକ ବ୍ୟକ୍ତିଙ୍କୁ ଆୟତ୍ତ କରିବା ନିମନ୍ତେ ସାମ୍ପ୍ରତିକ ସମୟରେ ବହୁ ଆଇନ୍ ତିଆରି ହୋଇଥିବା ସତ୍ତ୍ଵେ ଏଗୁଡ଼ିକର ଉପଯୁକ୍ତ ପ୍ରୟୋଗ, କଠୋରତା ବିହୀନ ତଥା କିଛି ଆଇନ୍ ର ଗଳାବାଟ ରହିଯାଉଥିବା କାରଣରୁ ଆଜି ମଧ୍ୟ ସମାଜରେ ଏହା ଏକ ବ୍ୟାଧିର ରୂପ ନେଇଛି । ବେଳେ ବେଳେ ସମାଜର କିଛି ଆଗ ଧାଡ଼ିର ଲୋକ କୁହନ୍ତି ଯେ ପିନ୍ଧିଥିବା ବସ୍ତ୍ର ମାଧ୍ୟମରେ ପରିପ୍ରକାଶ ହେଉଥିବା ନଗ୍ନତା ହିଁ ପୁରୁଷକୁ ଉନ୍ମାଦ କରି ବସେ ଏବଂ ସେହି ଉନ୍ମାଦନା ଜନ୍ମ ଦିଏ ଦୁଷ୍କର୍ମ ଭଳି ଏକ ମାନସିକତାକୁ । କିନ୍ତୁ ବାସ୍ତବରେ ମଣିଷ ପଣିଆର ମୃତ୍ୟୁ ହିଁ ଏଭଳି ଅସାମାଜିକ,କୁତ୍ସିତ,କଦାକାର ମାନସିକତାକୁ ଜନ୍ମ ଦିଏ । ପ୍ରତିଦିନ ଖବର କାଗଜରେ ଏକ ପୃଷ୍ଠା ଦୁଷ୍କର୍ମ ଓ ବଳାତ୍କାର ଜନିତ ଖବର ଦ୍ଵାରା ମଣ୍ଡିତ ହୋଇଥିବା ଚିତ୍ର ଏକ ପ୍ରକାରର ଦୈନିକ ଓ ସ୍ଵାଭାବିକ ହୋଇ ଯାଇଛି କହିଲେ ଅତ୍ୟୁକ୍ତି ହେବ ନାହିଁ । କେଉଁଠି ବର୍ଷ ପୂରୀ ନଥିବା ଦୁନିଆ ଦେଖି ନଥିବା କଅଁଳ ଶିଶୁ,କେଉଁଠି ୪/୫ ବର୍ଷର ଶିଶୁ ତ କେଉଁଠି ୧୩/୧୪ ବର୍ଷର କୈଶୋରୀ ଆଉ କେଉଁଠି ୨୪/୨୫ ବର୍ଷୀୟା ଯୁବତୀ ତ ଆଉ କେଉଁଠି ପ୍ରାପ୍ତ ବୟସ୍କା ମହିଳା ଏହି ପାଶବିକ ଅତ୍ୟାଚାର ତଥା ଯୌନ ପିପାସୁଙ୍କ ଲିପ୍ସା ଓ ଲାଳସାର ଶିକାର ହେଉଛନ୍ତି ।
ଏଭଳି ଏକ ଦାରୁଣ ଦୃଶ୍ୟ ସାମ୍ନାକୁ ଆସିଛି କୋରୁକୋଣ୍ଡା ବ୍ଲକ୍ ଅନ୍ତର୍ଗତ ଇନ୍ଦିରା କଲୋନୀ ଗ୍ରାମରୁ । ୨୦ ଜୁଲାଇ ବିଳମ୍ବିତ ରାତି ପ୍ରାୟ ୧୦.୦୦ ସମୟରେ ନିଜ ଘରୁ ରାସ୍ତା ଅପରପାର୍ଶ୍ବରେ ଥିବା ଭଉଣୀଙ୍କ ଘରକୁ ଯିବା ସମୟରେ ଜଣେ ମାନସିକ ଭାରସାମ୍ୟ ହରାଇଥିବା ୨୦ ବର୍ଷୀୟ ଯୁବତୀ ସୀତା (ଛଦ୍ମ ନାମ) ଙ୍କୁ ଅପହରଣ କରି ନେଇଥିଲେ କିଛି ଦୁର୍ବୃତ୍ତ । ଅଗ୍ନିଶମ ବିଭାଗ ଅଫିସ୍ ନିକଟ ଦେଇ ଯାଇଥିବା ଏକ ଅଣ ଓସାରିଆ ରାସ୍ତା ଦେଇ ନେଇ ଯାଇଥିଲେ ମୁଖ୍ୟ ରାସ୍ତାଠାରୁ କିଛି ଦୂରକୁ ନେଇ ସେଠାରେ ଘଟାଇଥିଲେ ଅମାନବୀୟ ଅତ୍ୟାଚାର ।
ପରିବାର ବର୍ଗ ଯୁବତୀଙ୍କୁ ଘରକୁ ନ ଫେରିବା ଦେଖି ଯେତେବେଳେ ଖୋଜା ଖୋଜି କରି ଘଟଣା ସ୍ଥଳରେ ପହଞ୍ଚିଲେ ସେଠାରେ ପୀଡ଼ିତା ଜଣକ ଅଚେତ ଅବସ୍ଥାରେ ପଡ଼ିଥିବା ଦେଖିଥିଲେ । ଅର୍ଦ୍ଧ ନଗ୍ନ ସେହି ଶରୀରଟି ନିବସ୍ତ୍ର ହୋଇ ବସ୍ତ୍ର ଗୁଡ଼ିକ ଏଣେତେଣେ ପଡ଼ିଥିବା ଏବଂ ଯୁବତୀଙ୍କ ଚୁଡ଼ି ଭାଙ୍ଗି ପଡିଥିବା ଦେଖି ହତବାକ୍ ହୋଇଥିଲେ ପରିବାର ବର୍ଗ । ତେବେ ନିକଟରେ ରହିଥିବା ଏକ ମଟର ସାଇକେଲକୁ ଦେଖି ଦୁର୍ବୃତ୍ତ ବ୍ୟବହାର କରିଥିବା ଅନୁମାନ କରି ସଙ୍ଗେ ସଙ୍ଗେ ଅଗ୍ନିଶମ ବିଭାଗ କର୍ମଚାରୀଙ୍କ ଜରିଆରେ ମାଲକାନଗିରି ଆଦର୍ଶ ଥାନାଙ୍କ ଜ୍ଞାତବ୍ୟ ସାରକୁ ଆଣିଥିଲେ । ଏହା ପରେ ପୋଲିସ୍ ଘଟଣା ସ୍ଥଳରେ ପହଞ୍ଚି ମଟର ସାଇକେଲ ଜବତ କରିଥିଲେ ଏବଂ ମଟର ସାଇକେଲ ମାଲିକ ଖିଲଗୁଡ଼ା ଗ୍ରାମର କାର୍ତ୍ତିକ ଜାନୀଙ୍କ ବୋଲି ଜଣା ପଡ଼ିଥିଲା । ଏ ନେଇ ପୀଡିତାଙ୍କ ଭାଇ ଶଙ୍କର ମାଝି ମାଲକାନଗିରି ଆଦର୍ଶ ଥାନାରେ କେଶ ନଂ ୦୪୧୫/୨୦୨୨ ଆଧାରରେ ଏକ ଏତଲା ଦାଏର କରିଥିବା ସୂଚନା ମିଳିଛି । ଏତଲାକୁ ଭିତ୍ତି କରି ଇନ୍ସପେକ୍ଟର ରିଗନ୍ କିଣ୍ଡୋଙ୍କ ତଦନ୍ତ ଜରିଆରେ କାର୍ତ୍ତିକ ଜାନୀଙ୍କୁ କୋର୍ଟ ଚାଲାଣ କରାଯାଇଛି।
ଘଟଣାରେ ସଂପୃକ୍ତ ଅନ୍ୟ ଦୂର୍ବୃତ୍ତଙ୍କୁ ଖୋଜା ଖୋଜି ଜାରି ରହିଥିବା ସ୍ଥଳେ ପିଡୀତାଙ୍କ ଡ଼ାକ୍ତରୀ ମାଇନା କରାଯାଇଛି କିନ୍ତୁ ମାନସିକ ସନ୍ତୁଳନ ହରାଇଥିବା ସୀତା ଘଟଣା ସମ୍ପର୍କରେ କୌଣସି ପ୍ରତିକ୍ରିୟା ଦେବାରେ ସକ୍ଷମ ହୋଇ ପାରୁନଥିବା କାରଣରୁ ତଦନ୍ତ ପ୍ରକ୍ରିୟା ମନ୍ଥର ହେବାରେ ଲାଗିଛି । ସେପଟେ ଗତକାଲି ସହଯୋଗ ବିକାଶ ପରିଷଦ, ବାଲିମେଳାର ଏକ ଟିମ୍ ଘଟଣା ସ୍ଥଳରେ ପହଞ୍ଚି ପୀଡ଼ିତାଙ୍କ ପରିବାର ସହ ଆଲୋଚନା କରିଛନ୍ତି । ସହଯୋଗ ଟିମ୍ ଏବଂ ସର୍ବୋପରି ଇନ୍ଦିରା କଲୋନୀର ଗ୍ରାମବାସୀ ତୁରନ୍ତ ତଦନ୍ତ କରି ପିଡୀତା ଯୁବତୀ ଓ ତାଙ୍କ ପରିବାରକୁ ଅବିଳମ୍ବେ ନ୍ୟାୟ ପ୍ରଦାନ କରିବାକୁ ଦାବି କରିଛନ୍ତି । ତେବେ ଦେଖିବାକୁ ବାକି ରହିଲା କ୍ରମଶଃ ମନ୍ଥର ହୋଇ ହୋଇ ଯାଉଥିବା ଏହି ତଦନ୍ତ ପ୍ରକ୍ରିୟା ପିଡୀତା ମାନସିକ ସନ୍ତୁଳନ ହରାଇଥିବା ସୀତାଙ୍କୁ ନ୍ୟାୟ ଦେବାରେ ସମର୍ଥ ହେଉଛି ନା ନାହିଁ ।
Sign in
Sign in
Recover your password.
A password will be e-mailed to you.
Next Post