ଭୁବନେଶ୍ୱର: ଅଭିନେତା ବାବୁଶାନ୍ ମହାନ୍ତି, ତାଙ୍କ ପତ୍ନୀ ତୃପ୍ତି ଶତପଥୀ ଓ ଅଭିନେତ୍ରୀ ପ୍ରକୃତି ମିଶ୍ର ବିବାଦ ଘଟଣାରେ ଖାରବେଳ ନଗର ଥାନା ପୁଲିସ୍ ମୋଟ ୭ ଜଣଙ୍କ ବୟାନ ରେକର୍ଡ କରିଛି। ଉଭୟ ପକ୍ଷରୁ କରାଯାଇଥିବା ୨ଟି ମାମଲାରେ ପୁଲିସ୍ ୭ ଜଣଙ୍କ ବୟାନ ରେକର୍ଡ କରିଛି।
ବାବୁଶାନଙ୍କ ମା’ ତଥା ଅଭିନେତ୍ରୀ ଅପରାଜିତା ମହାନ୍ତି, ତୃପ୍ତି ଶତପଥୀ, ତୃପ୍ତିଙ୍କ ବାପା ଲଳିତ ଶତପଥୀ, ତୃପ୍ତିଙ୍କ ମାଉସୀ ସଙ୍ଗୀତା ପ୍ରହରାଜ ଓ ମଉସା ଅଶୋକ ପ୍ରହରାଜଙ୍କ ସହିତ ପ୍ରକୃତିଙ୍କ ବାପା ମନ୍ମଥ ମିଶ୍ର ଓ ମାଆ କୃଷ୍ଣପ୍ରିୟା ମିଶ୍ରଙ୍କ ବୟାନ ରେକର୍ଡ କରିଛି ପୁଲିସ୍। ଏହାସହିତ ତୃପ୍ତିଙ୍କ ଅଭିଯୋଗ ଆଧାରରେ ବାବୁଶାନ୍ ମହାନ୍ତି ଓ ପ୍ରକୃତି ମିଶ୍ରଙ୍କୁ ନୋଟିସ୍ କରିଛି ପୁଲିସ୍।
ବାବୁଶାନ ଓ ପ୍ରକୃତି ଏବେ ଓଡ଼ିଶାରେ ନାହାନ୍ତି। ଏକ କାର୍ଯ୍ୟକ୍ରମରେ ଯୋଗ ଦେବା ପାଇଁ ଉଭୟ ଚେନ୍ନାଇ ଯାଇଛନ୍ତି। ସେଠାରୁ ଫେରିଲେ ତୁରନ୍ତ ଖାରବେଳ ନଗର ଥାନାରେ ହାଜର ହୋଇ ପକ୍ଷ ରଖିବାକୁ ସେମାନଙ୍କୁ କୁହାଯାଇଛି।
ଅନ୍ୟପକ୍ଷରେ ଆଜି ତୃପ୍ତିଙ୍କ ଘରକୁ ଯିବେ ତଦନ୍ତକାରୀ ଅଧିକାରୀ। ଘଟଣାର ବିଭିନ୍ନ ଦିଗକୁ ନେଇ ସେଠାରେ ସେ ପଚରାଉଚରା କରିବେ। ସତ୍ୟନଗରର ଯେଉଁ ଗେଷ୍ଟ ହାଉସ୍ରେ ପ୍ରକୃତି ରୁମ୍ ବୁକ୍ କରିଥିଲେ, ସେଠାରେ ପୁଲିସ୍ ଗତକାଲି ଛାନଭିନ କରିଛି। ଆଜି ମଧ୍ୟ ସେଠାରେ ଛାନଭିନ କରିବ ବୋଲି ଜଣାପଡ଼ିଛି।
ସୂଚନାଯୋଗ୍ୟ, ବାବୁଶାନଙ୍କ ପତ୍ନୀ ତୃପ୍ତି ଓ ଶ୍ୱଶୁର ଲଳିତ ଶତପଥୀଙ୍କ ନାଁରେ ପ୍ରକୃତିଙ୍କ ମା’ ଥାନାରେ ଏତଲା ଦେଇଥିବା ବେଳେ ତୃପ୍ତି ଶାଶୁ ଅପରାଜିତାଙ୍କ ସହିତ ଯାଇ ପ୍ରକୃତି ମିଶ୍ରଙ୍କ ନାଁରେ ଏତଲା ଦେଇଥିଲେ। ଉଭୟ ପକ୍ଷର ଏତଲାକୁ ଗ୍ରହଣ କରି ପୁଲିସ୍ ୨ଟି ମାମଲା ରୁଜୁ କରି ଘଟଣାର ତଦନ୍ତ କରୁଛି।
ବାବୁଶାନଙ୍କ ବିରୋଧରେ ୪୯୮ ଏ ଓ ପ୍ରକୃତିଙ୍କ ବିରୋଧରେ ୫୦୬ ଦଫା ଲାଗିଛି। ସେହିଭଳି ପ୍ରକୃତିଙ୍କ ମା’ କରିଥିବା ଅଭିଯୋଗ ଆଧାରରେ ତୃପ୍ତିଙ୍କ ବାପା ଲଳିତ ଶତପଥୀଙ୍କ ବିରୋଧରେ ଆଇପିସିର ଦଫା ୩୪୧, ୨୯୪, ୩୨୩, ୫୦୬, ୩୪ ଲାଗିଛି।