ହସ୍ତଶିଳ୍ପ କାରିଗରମାନଙ୍କ ଜିଲ୍ଲାସ୍ତରୀୟ ପରିଚାଳନା କମିଟି ବୈଠକ

ଛତ୍ରପୁର (୨୨/୦୭) : ଜିଲ୍ଲାର ହସ୍ତ ଶିଳ୍ପ କାରିଗର ମାନଙ୍କୁ ଆତ୍ମ ନିର୍ଭରଶୀଳ, ପ୍ରଶିକ୍ଷଣ ଓ ପ୍ରୋତ୍ସାହନର ଆବଶ୍ୟକତା ରହିଛି । ଗଞ୍ଜାମ ଜିଲ୍ଲାରେ ଉପଲବ୍ଧ କଞ୍ଚାମାଲ ରେ ସେମାନେ ସୁନ୍ଦର ସୁନ୍ଦର କାରୁକାର୍ଯ୍ୟ ,କରିପାରିବେ ଏବଂ ସେଗୁଡିକ ବାହାର ରାଜ୍ୟ ଓ ବିଦେଶରେ ବିକ୍ରିବଟାର ସୁବିଧା ହୋଇ ପାରିଲେ ସେମାନଙ୍କ ଆର୍ଥିକ ମାନଦଣ୍ଡର ବିକାଶ ହେବା ସାଥେସାଥେ ଜିଲ୍ଲାର କାରୁକାର୍ଯ୍ୟ ସୁଦୂର ପ୍ରସାରୀ ହୋଇ ପାରିବ ବୋଲି ଜିଲ୍ଲାପାଳ ଦିବ୍ୟଜ୍ୟୋତି ପରିଡା ପ୍ରକାଶକରିଛନ୍ତି । ଜିଲ୍ଲାପାଳଙ୍କ ସଦ୍ଭାବନା ସମ୍ମିଳନୀ କକ୍ଷ ଠାରେ ଶୁକ୍ରବାର ଅନୁଷ୍ଠିତ ଜିଲ୍ଲା ସ୍ତରୀୟ ପରିଚାଳନା କମିଟିର ଅଧ୍ୟକ୍ଷତା କରି ଜିଲ୍ଲାପାଳ ଶ୍ରୀ ପରିଡା ଅବଗତ କରାଇଥିଲେଯେ ଗଞ୍ଜାମ ଜିଲ୍ଲା ସମୁଦ୍ର ନିକଟବର୍ତ୍ତି ଜିଲ୍ଲା, ସମୁଦ୍ରମଧ୍ୟରୁ ଅନେକ ସାମଗ୍ରୀ ସଂଗ୍ରହ ହୋଇ ପାରୁଛି ଏବଂ କିଆ ପତ୍ର ଯଥେଷ୍ଟ ପରିମାଣରେ ରହିଛି । ଯଦି ସେଗୁଡିକ ହସ୍ତ ଶିଳ୍ପୀ ମାନଙ୍କ ଦ୍ବାରା କାରୁକାର୍ଯ୍ୟ କରାଯାଇ ବିକ୍ରି କରାଯାଏ ଶିଳ୍ପୀଗଣ ଅଧିକ ଲାଭବାନ ହୋଇ ପାରିବେ । ଉନ୍ନତମାନର ହସ୍ତଶିଳ୍ପ ଉତ୍ପାଦନ ପାଇଁ କାରିଗରୀ କୁଶଳତା ନିତାନ୍ତ ଜରୁରି । ଏଥିପାଇଁ ରାଜ୍ୟ ଓ ଜିଲ୍ଲା ସ୍ତରରେ ହସ୍ତଶିଳ୍ପ ତାଲିମ କେନ୍ଦ୍ର ପ୍ରସ୍ତୁତ କରାଯାଇଛି । ଶିଳ୍ପ ଉନ୍ନୟନ ଯୋଜନା ୨୦୨୨-୨୩ ଆର୍ଥକ ବର୍ଷ ନିମନ୍ତେ ଏମ୍ବ୍ରିଓଡୋରୀ, ପଟ୍ଟ ଚିତ୍ର, ଆପ୍ଲିକ, ନଡା କରୁକାର୍ଯ୍ୟ ପ୍ରଶିକ୍ଷଣ ନିମନ୍ତେ ଆବେଦନ ପତ୍ର ଗ୍ରହଣ କରାଯାଇଛି । ମହିଳା ସ୍ବୟଂ ସହାୟକ ଗୋଷ୍ଠୀ ମାନଙ୍କୁ ମଧ୍ୟ ପ୍ରଶିକ୍ଷଣ ପ୍ରଦାନ କରାଯାଇ ଆର୍ଥିକ ସହାୟତା ଯୋଗାଇ ଦିଆଯିବ । ପଟ୍ଟ ଚିତ୍ର, ପଥର ଖୋଦେଇ କାରୁକାର୍ଯ୍ୟ, କାଷ୍ଠ କାରୁକାର୍ଯ୍ୟ, ପିତ୍ତଳ କାରୁକାର୍ଯ୍ୟ, ରୂପା କାରୁକାର୍ଯ୍ୟ, ଡୋକ୍ରା କାରୁକାର୍ଯ୍ୟ ଏହିଭଳି ୪୪ ଗୋଟି କାରୁକାର୍ଯ୍ୟର ପ୍ରଶିକ୍ଷଣ ପ୍ରଦାନ କରାଯିବ । ଶିଳ୍ପୀ ମାନଙ୍କ ଦ୍ବାରା ପ୍ରସ୍ତୁତ ହେଉଥିବା କାରୁକାର୍ଯ୍ୟ ଗୁଡିକ ବାହାର ରାଜ୍ୟରେ ଅଧିକ ଦରରେ ବିକ୍ରି ହୋଇ ପାରିଲେ ଶିଳ୍ପୀ ମାନେ ହସ୍ତଶିଳ୍ପ କ୍ଷେତ୍ରରେ ସାମିଲ ହୋଇ ଏଥିପ୍ରତି ଅଧିକ ଆକୃଷ୍ଟ ହେବେ, ବର୍ଷ ତମାମ ସେମାନେ ଏହି କାର୍ଯ୍ୟରେ ନିୟୋଜିତ ହେବେ ଯାହା ଫଳରେ କାରୁକାର୍ଯ୍ୟ ସଂଖ୍ୟା ବୃଦ୍ଧି ହେବା ସହିତ ସେମାନେ ଆତ୍ମ ନିର୍ଭରଶୀଳ ହୋଇ ପାରିବେ ବୋଲି ଜିଲ୍ଲାପାଳ ଜଣାଇଥିଲେ । ଏଥି ସକାଶେ କାର୍ଯ୍ୟ ଖସଡା ପ୍ରସ୍ତୁତ କରିବାକୁ ହସ୍ତଶିଳ୍ପ ସହକାରୀ ନିର୍ଦ୍ଦେଶକଙ୍କୁ ନିର୍ଦ୍ଦେଶ ପ୍ରଦାନ କରିଥିଲେ ।
ବୈଠକରେ ଓରମାସ୍ ର ସହକାରୀ ମୁଖ୍ୟ ନିର୍ବାହୀ ଅଧିକାରୀ ଡଃ ଜ୍ୟୋତି ପ୍ରକାଶ ମହାନ୍ତି, ହସ୍ତଶିଳ୍ପ ସହକାରୀ ନିର୍ଦ୍ଦେଶକ ଉମାପତି ବେନିଆ ବେହେରା, ଲିଡ୍ ବ୍ୟାଙ୍କ ଶାଖା ପରିଚାଳକ ଅଶୋକ କୁମାର ପଣ୍ଡା, ନାବାର୍ଡ ଡିଡିଏମ୍. ଡଃ ଏସ୍. ମିଶ୍ର, ହସ୍ତଶିଳ୍ପୀ ପ୍ରମୁଖ ଉପସ୍ଥିତ ଥିଲେ ।

nis-ad
Leave A Reply

Your email address will not be published.