ଶ୍ମଶାନ ସୀମା ନିର୍ଦ୍ଧାରଣ ଓ ନଳକୂପ ଖନନ ପାଇଁ ଦାବୀପତ୍ର

ପାତ୍ରପୁର : ପାତ୍ରପୁର ଗ୍ରାମରେ ଥିବା ସମସ୍ତ ଶ୍ମଶାନର ସୀମା ନିର୍ଦ୍ଧାରଣ ଓ ଶ୍ମଶାନରେ ନଳକୂପ ଖନନ ପାଇଁ ଗୁରୁବାର ପାତ୍ରପୁର ଗ୍ରାମର ଯୁବ ଗୋଷ୍ଠୀ ପାତ୍ରପୁର ତହସିଲଦାର ଅମିତ କୁମାର ନାୟକ ଓ ପାତ୍ରପୁର ବିଡିଓ ପ୍ରକାଶ ଚନ୍ଦ୍ର ଦାସଙ୍କୁ ଦାବୀ ପତ୍ର ପ୍ରଦାନ କରିଛନ୍ତି । ଦାବୀପତ୍ର ଅନୁସାରେ ଉକ୍ତ ଗ୍ରାମର ତଳ ବସ୍ ଷ୍ଟାଣ୍ଡ ତଥା ବ୍ରାହ୍ମଣନାଳ ଠାରେ ଥିବା ଶ୍ମଶାନର ସୀମା ନିର୍ଦ୍ଧାରଣ କରିବାର ଅଛି । ବସ୍ ଷ୍ଟାଣ୍ଡରେ ଥିବା ଶ୍ମଶାନର ସୀମା ଜଣାନଥିବା ଓ କିଛି ସ୍ୱାର୍ଥ ଲୋକଙ୍କ ଲୋଲୁପ ଦୃଷ୍ଟି ଯୋଗୁଁ ଆଗାମୀ ଦିନରେ ଏହି ଶ୍ମଶାନ ଜାଗାକୁ ନିଜ ନାମରେ ଅକ୍ତିଆର କରିବାର ଯୋଜନା କରୁଥିବା ଜାଣିବାକୁ ପାଇଥିବା ନେଇ ଦାବୀ ପତ୍ରରେ ଉଲ୍ଲେଖ କରାଯାଇଛି । ଯଦି ଏଭଳି ହୁଏ ତେବେ ଆଗାମି ଦିନରେ ମୃତ୍ୟୁ ପରେ ଜନସାଧରଣ ଶବ ଦାହ ପାଇଁ ସ୍ଥାନ ପାଇପାରିବେ ନାହିଁ ବୋଲି ଯୁବ ଗୋଷ୍ଠୀ ଦାବୀ କରିଛନ୍ତି । ସେହିପରି ବ୍ରାହ୍ମଣନାଳ ନିକଟରେ ଥିବା ଶ୍ମଶାନରେ ନଳକୂପ ନଥିବାରୁ ବହୁ ସମସ୍ୟା ଦେଖାଦେଉଛି । ଉକ୍ତ ସ୍ଥାନରେ ଏକ ନଳକୂପ ଖନନ କରିବା ପାଇଁ ଦାବୀ କରିଛନ୍ତି । ସେହିଭଳି ଗ୍ରାମର ଅନ୍ୟ ଶ୍ମଶାନରେ ମଧ୍ୟ ସୀମା ନିର୍ଦ୍ଧାରଣ ଓ ନଳ କୂପ ଖନନ ପାଇଁ ଦାବୀ ହୋଇଛି । ଦାବୀ ପତ୍ର ପ୍ରଦାନ ବେଳେ ବିକି ନାୟକ, ତୁଫାନ, ସୁଦର୍ଶନ ମହାରଣା, ଶିବାଜୀ ସେଠୀ, ସନ୍ତୋଷ ସେଠୀ, ଶ୍ରୀକାନ୍ତ ସେଠୀ, କୁରାମଣି ରଣା, ଶିବା ଆଚାରୀ, ସାମ୍ବାଦିକ ନୀଳାଞ୍ଚଳ ପଟ୍ଟନାୟକ, କ୍ଷୀରମଣି ନାୟକ, ସନ୍ତୋଷ ପଣ୍ଡା ପ୍ରମୁଖ ଉପସ୍ଥିତ ଥିଲେ ।

nis-ad
Leave A Reply

Your email address will not be published.