ବ୍ଲକରେ ଚାଲିଥିବା ଅରାଜକତା ଓ ଦୁର୍ନିତୀ ନେଇ ବିଡିଓଙ୍କୁ ଦାବୀପତ୍ର

ଛତ୍ରପୁର : ଛତ୍ରପୁର ବ୍ଲକରେ ଚାଲିଥିବା ଅରାଜକତା ଓ ଦୁର୍ନିତୀ ସମ୍ପର୍କରେ ଅଭିଯୋଗ ନେଇ ସ୍ଥାନୀୟ ବିଧାୟକଙ୍କ ସପକ୍ଷ ଗୋଷ୍ଠୀର ପଂଚାୟତ ପ୍ରତିନିଧି ଓ ବିଜୁ ଜନତା ଦଳର କିଛି ଦଳୀୟ ନେତୃ ମଣ୍ଡଳୀ ଗୁରୁବାର ଛତ୍ରପୁର ତହସିଲଦାର ତଥା ଭାରପ୍ରାପ୍ତ ବିଡିଓ ପ୍ରକାଶ କୁମାର ମିଶ୍ରଙ୍କୁ ଭେଟି ଏକ ଲିଖିତ ଦାବିପତ୍ର ପ୍ରଦାନ କରିଛନ୍ତି । ଏହାର ବିହିତ ତଦନ୍ତ କରି ଅପରାଧିଙ୍କ କବଳରୁ ଛତ୍ରପୁର ବ୍ଲକ ପ୍ରଶାସନକୁ ମୁକ୍ତ କରିବାକୁ ହେବ, ନଚେତ୍ ଆଗାମୀ ଦିନରେ ଆନ୍ଦୋଳନାତ୍ମକ ପନ୍ଥା ଗ୍ରହଣ କରିବାକୁ ବାଧ୍ୟ ହେବୁ ବୋଲି ସେମାନେ କଡା ଚେତାବନୀ ଦେଇଛନ୍ତି ।

ଗତ ବ୍ଲକ ଅଧ୍ୟକ୍ଷା ନିର୍ବାଚନ ପର ଠାରୁ ଛତ୍ରପୁର ବ୍ଲକ ଅଧ୍ୟକ୍ଷା କ୍ରମାଗତ ଭାବେ ପାତର ଅନ୍ତର ଓ ଆକ୍ରୋଶ ମୂଳକନୀତି ଅବଲମ୍ବନ କରି ପଂଚାୟତର ଉନ୍ନତି କାର୍ଯ୍ୟ ଓ ଦୈନନ୍ଦିନ କାର୍ଯ୍ୟ ପରିଚାଳନାରେ ଅସୁବିଧା ସୃଷ୍ଟି କରିଛନ୍ତି । ତାଙ୍କର କିଛି ଅନୁଗାମୀ କୁ ଛାଡିଦେଲେ ଅନ୍ୟ ମାନଙ୍କ ସମସ୍ତ କାର୍ଯ୍ୟରେ ଅଯଥା ହସ୍ତକ୍ଷେପ କରୁଛନ୍ତି । ପଂଚାୟତର କୌଣସି ଉନ୍ନୟନ ମୂଳକ କାର୍ଯ୍ୟ କରାଇ ଦେଉନାହାନ୍ତି । ବ୍ଲକ ଅଧ୍ୟକ୍ଷା ନିୟମିତ ବ୍ଲକକୁ ଆସୁନଥିବା ବେଳେ ତାଙ୍କର କିଛି ସମ୍ପର୍କୀୟ ଯେଉଁ ମାନଙ୍କ ଅପରାଧିକ ପୃଷ୍ଠଭୂମି ରହିଛି ସେମାନେ ତାଙ୍କ ଅଫିସ୍ କାର୍ଯ୍ୟାଳୟରେ ବିଳମ୍ବିତ ରାତ୍ର ପର୍ଯ୍ୟନ୍ତ ଖୋଲି ବ୍ଲକକୁ ନିୟନ୍ତ୍ରଣ କରୁଛନ୍ତି । ବିଭିନ୍ନ ପ୍ରକାର ଅନୀତିମୂଳକ କାର୍ଯ୍ୟ କରିବା ପାଇଁ ବ୍ଲକ କର୍ମଚାରୀ ମାନଙ୍କୁ ନିୟମିତ ଧମକ ଚମକ ଦେଇ ଡରାଇ ଆସୁଛନ୍ତି । ସେମାନଙ୍କ ଡର ଓ ଚାପରେ ବସବର୍ତ୍ତୀ ହୋଇ କନିଷ୍ଠ ଯନ୍ତ୍ରୀଙ୍କ ଠାରୁ ଆରମ୍ଭ କରି ପିଇଓ ଓ ଜିଆରଏସ ପର୍ଯ୍ୟନ୍ତ ତାଙ୍କରି କଥା ଶୁଣିବା ପାଇଁ ବାଧ୍ୟ ହେଉଛନ୍ତି । ଯାହା ଫଳରେ ଆମେ ମାନେ ବିଭିନ୍ନ ଉନ୍ନୟନ ମୂଳକ କାର୍ଯ୍ୟ ହିତାଧିକାରୀଙ୍କ ଚୟନ ଏବଂ ଲୋକଙ୍କ ସମସ୍ୟା ସମାଧାନ କରିବା କ୍ଷେତ୍ରରେ ଅସୁବିଧାର ସମ୍ମୁଖିନ ହେଉଅଛୁ । ଛତ୍ରପୁର ବ୍ଲକର କର୍ମଚାରୀ ଭୟଭୀତ ଅବସ୍ଥାରେ ରହି ତାଙ୍କ ବିରୁଦ୍ଧରେ କୌଣସି କ୍ଷେତ୍ରରେ ଅଭିଯୋଗ କରିବା ପାଇଁ ସାହାସ କରୁନାହାନ୍ତି ।

ଅଧ୍ୟକ୍ଷା ଏବଂ ତାଙ୍କ ସମର୍ଥକ ମାନଙ୍କ ଏଭଳି ଆକ୍ରୋଷ ମୂଳକ କାର୍ଯ୍ୟ ଯୋଗୁଁ ଆଜି ଛତ୍ରପୁର ବ୍ଲକ ଏମନରେଗା ଠାରୁ ଆରମ୍ଭ କରି ସମସ୍ତ ଉନ୍ନୟନ ମୂଳକ କାର୍ଯ୍ୟ ରେ ପଛୁଆ ପଡିଯାଇଛି ବୋଲି ସେମାନେ ଉକ୍ତ ଦାବିପତ୍ର ରେ ଦର୍ଶାଇଛନ୍ତି । ଏହି ଦାବି ପତ୍ର ପ୍ରଦାନ ବେଳେ ଛତ୍ରପୁର ବ୍ଲକ ବିଜେଡି ସଭାପତି ପ୍ରବାସୀ ପ୍ରଧାନ, ଛତ୍ରପୁର ବ୍ଲକ ଯୁବ ବିଜେଡି ସଭାପତି ସୁବାସ ଚନ୍ଦ୍ର ନାହାକ, ଶ୍ରୀରାମଚନ୍ଦ୍ରପୁର ସମିତିସଭ୍ୟ ଏସ୍‌. ଚକ୍ରପାଣି ରେଡ୍ଡୀ, ୧୯ ନଂ ଜିଲ୍ଲା ପରିଷଦ ସଭ୍ୟା ରଶ୍ମିତା ନାହକ, ୨୧ ନଂ ଜିଲ୍ଲା ପରିଷଦ ସଭ୍ୟା ଛବିତା ବେହେରା, ମହାନାଦପୁର ସରପଂଚ ରବିନ୍ଦ୍ର ରାଉଳ, ପୋଟ୍ଟଲାମପୁର ସମିତିସଭ୍ୟ ଶମ୍ଭୁନାଥ ସ୍ୱାଇଁ, କଣମଣା ସରପଂଚ ବି. ଦମୟନ୍ତି, ସମିତିସଭ୍ୟା ରଶ୍ମିତା ଦେଉରୀ, ଚିକଲଖଣ୍ଡି ସମିତିସଭ୍ୟା ସ୍ୱାଗତିକା ପ୍ରଧାନ, ସୁନ୍ଦରପୁର ସରପଂଚ ଗଗନ କୁମାର ବେହେରା, ସୁନ୍ଦରପୁର ସମିତିସଭ୍ୟା ସୁଜ୍ଞାନୀ ସେଠୀଙ୍କ ସମେତ ବହୁତ ବିଜୁ ଜନତା ଦଳର ଯୁବ ନେତୃତ୍ୱ ମାନେ ଉପସ୍ଥିତ ଥିଲେ । ପ୍ରାରମ୍ଭରେ ସ୍ଥାନୀୟ ଅନସ୍ଲୋ ମିନି ଷ୍ଟାଡିୟମ ଠାରୁ ଶ୍ରୀରାମଚନ୍ଦ୍ରପୁର ସମିତିସଭ୍ୟ ଏସ୍‌. ଚକ୍ରପାଣି ରେଡ୍ଡୀଙ୍କ ନେତୃତ୍ୱରେ ବିଧାୟକଙ୍କ ସପକ୍ଷ ଗୋଷ୍ଠୀର ସମସ୍ତ ପଂଚାୟତ ପ୍ରତିନିଧି ଓ ବିଜେଡି ନେତା ମାନେ ଏକ ବାଇକ ଶୋଭାଯାତ୍ରାରେ ଛତ୍ରପୁର ବ୍ଲକ କାର୍ଯ୍ୟାଳୟରେ ପହଂଚିଥିଲେ ।ଅନ୍ୟପଟେ ମୋ ବିରୋଧରେ ଆସିଥିବା ଅଭିଯୋଗ ଅମୂଳକ l ଏହାକୁ ମୁଁ ଦୃଢ ଭାବେ ଖଣ୍ଡନ କରୁଅଛି l ମୁଁ ନିୟମିତ ଅଫିସ ଆସୁଛି l ଯେଉଁମାନେ ଅଭିଯୋଗ କରୁଛନ୍ତି ସେମାନେ କେବେ ହେଲେ ମୋତେ ମିଶି ନାହାନ୍ତି l ରାଜନୀତି ଉଦ୍ଦେଶ୍ୟ ରଖି ମିଛ ଅଭିଯୋଗ କରୁ ଅଛନ୍ତି l ଛତ୍ରପୁର ବ୍ଲକର ଉନ୍ନୟନ କାର୍ଯ୍ୟ ସୂଚାରୁ ରୂପେ ଚାଲୁ ରହିଅଛି ବୋଲି ଏକ ପ୍ରେସ ବିବୃତି ଯୋଗେ ଛତ୍ରପୁର ବ୍ଲକ ଅଧ୍ୟକ୍ଷା କିରନ କୁମାରୀ ଦାସ ସୂଚନା ଦେଇଛନ୍ତି

nis-ad
Leave A Reply

Your email address will not be published.