ଛତ୍ରପୁର : ଗତକାଲି ଆର୍ଯ୍ୟପଲ୍ଲୀ ପଞ୍ଚାୟତ ଉନ୍ନୟନ କମିଟି ପକ୍ଷରୁ ବିଭିନ୍ନ ଦାବୀ ନେଇ ଭାରତୀୟ ବିରଳ ମୃତ୍ତିକାର କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକଙ୍କୁ ଏକ ଲିଖିତ ଦାବୀ ପତ୍ର ପ୍ରଦାନ କରାଯାଇଥିଲା । ଦାବୀ ଗୁଡିକ ଯଥା ଶୀଘ୍ର ପୂରଣ ନ କରାଗଲେ ଆଗାମୀ ଦିନ ଆନ୍ଦୋଳନ ପନ୍ଥା ଗ୍ରହଣ କରାଯିବ ବୋଲି ମଧ୍ୟ ସେମାନେ ଉକ୍ତ ଦାବୀ ପତ୍ର ଉଲ୍ଲେଖ କରିଥିଲେ । ଏନେଇ ଗୁରୁବାର ପୂର୍ବାହ୍ନରେ ସ୍ଥାନୀୟ ଏସପିଙ୍କ ସମ୍ମିଳନୀ କକ୍ଷ ଠାରେ ଆର୍ଯ୍ୟପଲ୍ଲୀ ପଞ୍ଚାୟତ ଉନ୍ନୟନ କମିଟି ର କର୍ମକର୍ତ୍ତା ଓ ସଦସ୍ୟ ମାନଙ୍କୁ ନେଇ ଗଂଜାମ ଏସପି ବ୍ରିଜେଶ କୁମାର ରାୟଙ୍କ ପୈାରହିତ୍ୟରେ ଏକ ଆଲୋଚନା ବୈଠକ ଅନୁଷ୍ଠିତ ହୋଇଥିଲା । ଆସନ୍ତା ୪/୫ ଦିନ ମଧ୍ୟରେ ଜିଲ୍ଲାପ୍ରଶାସନ ଓ ଭାରତୀୟ ବିରଳ ମୃତ୍ତିକା କର୍ତ୍ତୃପକ୍ଷଙ୍କ ସହ ଆପଣ ମାନଙ୍କ ଏହି ଦାବୀ ଗୁଡିକ ଉପରେ ଆଲୋଚନା କରିବା ପରେ ପୁଣି ଆପଣ ମାନଙ୍କ ସହ ଆଲୋଚନା କରିବି ବୋଲି ଗଂଜାମ ଏସପି ଉପସ୍ଥିତ ଥିବା ଆର୍ଯ୍ୟପଲ୍ଲୀ ପଞ୍ଚାୟତ ଉନ୍ନୟନ କମିଟିର କର୍ମକର୍ତ୍ତା ଓ ସଦସ୍ୟ ଏବଂ ନେତୃ ମଣ୍ଡଳୀକୁ କହିଥିଲେ ।
ଭାରତୀୟ ବିରଳ ମୃତ୍ତିକା ପରିସରରେ ଥିବା ଏମଓପି ଗ୍ୟାସ ନିର୍ଗତ ପ୍ଲାଣ୍ଟ ସବୁଦିନ ପାଇଁ ବନ୍ଦ ରଖିବା, ପଂଚାୟତର ସବୁ ଘରକୁ ପଟ୍ଟା ପ୍ରଦାନ କରିବା, ଭାରତୀୟ ବିରଳ ମୃତ୍ତିକା କମ୍ପାନୀ ପକ୍ଷରୁ ଲିଜ୍ ରେ ଥିବା ଗ୍ରାମ କଣ୍ଟକ ଜାଗାକୁ ରଦ୍ଦ କରାଯିବା, କମ୍ପାନୀ ଦ୍ୱାରା ଖଣିଜ ପଦାର୍ଥ ବାଲି ଉତ୍ତୋଳନ କରିଥିବା (ଖାଲ, ଢେପ) ଜାଗାକୁ ରିପେରିଙ୍ଗ କରି ବୃକ୍ଷରୋପଣ କରିବା, କମ୍ପାନୀ ପକ୍ଷରୁ ବାହାର ଲୋକଙ୍କୁ ନିଯୁକ୍ତି ଦେଇଥିବା ସେମାନଙ୍କୁ ବହିଷ୍କାର କରି ସ୍ଥାନୀୟ ଲୋକଙ୍କୁ ନିଯୁକ୍ତି ଦେବା, ଗତ ୨୪.୦୯.୨୦୧୮ ରେ ଅତିରିକ୍ତ ଜିଲ୍ଲାପାଳଙ୍କ ପ୍ରକୋଷ୍ଠରେ ହୋଇଥିବା ଆରପିଡିଏସି କମିଟି ଏବଂ ଜିଲ୍ଲା ପ୍ରଶାସନର ମିଳିତ ଭାବେ ହୋଇଥିବା ୮ ଗୋଟି ଆଲୋଚନା ଦାବି ଗୁଡିକ ଉପରେ କାର୍ଯ୍ୟକ୍ଷମ କରିବା ଉପରେ ଆର୍ଯ୍ୟପଲ୍ଲୀ ପଂଚାୟତ ଉନ୍ନୟନ କମିଟି ର କର୍ମକର୍ତ୍ତା ମାନେ ଏହି ବୈଠକରେ ଗଂଜାମ ଏସପି ଶ୍ରୀ ରାୟଙ୍କ ଦୃଷ୍ଟି ଆକର୍ଷଣ କରିଥଲେ । ଏହି ଆଲୋଚନା ବୈଠକରେ ଅନ୍ୟ ମାନଙ୍କ ମଧ୍ୟରେ ଛତ୍ରପୁର ଏସଡିପିଓ ଗୈାତମ କିଷାନ , ବିଜୁ ଶ୍ରମିକ ସାମ୍ମୁଖ୍ୟର ଜିଲ୍ଲା ଉପସଭାପତି ଶଙ୍କର ପ୍ରସାଦ ଦାଶ, ଆର୍ଯ୍ୟପଲ୍ଲୀ ସରପଂଚ ତ୍ରିଲୋଚନ ବେହେରା, ଆର୍ଯ୍ୟପଲ୍ଲୀ ପଂଚାୟତ ଉନ୍ନୟନ କମିଟିର ଉପଦେଷ୍ଟା ତଥା ପୂର୍ବତନ ବିଜେଡି ଛତ୍ରପୁର ବ୍ଲକ ଉପସଭାପତି ଏମ୍. ଗୁମାଲି, ଆର୍ଯ୍ୟପଲ୍ଲୀ ପଂଚାୟତ ଉନ୍ନୟନ କମିଟିର ସଭାପତି ଆର. ଗୋବିନ୍ଦା, ସମ୍ପାଦକ ବି. ଭୀମସେନ, ଉପସଭାପତି ଏମ. ଦିଲ୍ଲୀପ, ବିଜେଡି ଯୁବନେତା କାହ୍ନୁଚରଣ ବେହେରା , ବି.ଚନ୍ଦ୍ରମଣି ପାତ୍ର , ଚମାଖଣ୍ଡି ସରପଞ୍ଚ ସିଏଚ. ମନୋଜ କୁମାର ରେଡ୍ଡୀଙ୍କ ସମେତ ବହୁ ଅଂଚଳବାସିନ୍ଦା ମାନେ ଉପସ୍ଥିତ ଥିଲେ ।
Sign in
Sign in
Recover your password.
A password will be e-mailed to you.
Prev Post