ନୂଆଦିଲ୍ଲୀ: ଭାରତର ୧୫ତମ ରାଷ୍ଟ୍ରପତି ଚୟନ ପାଇଁ ସୋମବାର ପ୍ରାୟ ୪,୮୦୦ ନିର୍ବାଚିତ ସାଂସଦ ଏବଂ ବିଧାୟକ ଭୋଟ୍ ଦେବେ। ତେବେ, ଜାତୀୟ ଗଣତାନ୍ତ୍ରିକ ମେଣ୍ଟ (ଏନ୍ଡିଏ) ପ୍ରାର୍ଥୀ ଦ୍ରୌପଦୀ ମୁର୍ମୁ ବିରୋଧୀ ଦଳର ପ୍ରାର୍ଥୀ ଯଶୋବନ୍ତ ସିହ୍ନାଙ୍କ ଠାରୁ ଯଥେଷ୍ଟ ଆଗରେ ରହିଛନ୍ତି। କାରଣ ତାଙ୍କ ସପକ୍ଷରେ ୬୦ ପ୍ରତିଶତରୁ ଅଧିକ ଭୋଟ୍ ପଡ଼ିିବ ବୋଲି ଆଶା କରାଯାଉଛି।
ରାଷ୍ଟ୍ରପତି ଚୟନ ପାଇଁ ସଂସଦ ଭବନ ଏବଂ ରାଜ୍ୟ ବିଧାନସଭାଗୁଡ଼ିକରେ ମତଦାନ ହେବ ଯାହା ପାଇଁ ବାଲଟ ବାକ୍ସ ଗୁଡ଼ିକ ପୂର୍ବରୁ ଯାଇ ନିର୍ଦ୍ଧାରିତ ସ୍ଥାନମାନଙ୍କରେ ପହଞ୍ଚିସାରିଛି। ଜୁଲାଇ ୨୧ରେ ସଂସଦ ଭବନରେ ଭୋଟ୍ ଗଣନା ହେବ ଏବଂ ନୂତନ ରାଷ୍ଟ୍ରପତି ଜୁଲାଇ ୨୫ରେ ଶପଥ ନେବେ।
ବିଜୁ ଜନତା ଦଳ, ୱାଇଏସଆର କଂଗ୍ରେସ ପାର୍ଟି, ବହୁଜନ ସମାଜ ପାର୍ଟି, ଅଖିଳ ଭାରତୀୟ ଆନ୍ନା ଦ୍ରାବିଡ ମୁନେତ୍ରା କାଜଗମ, ତେଲୁଗୁ ଦେଶମ ପାର୍ଟି, ଜନତା ଦଳ-ଧର୍ମନିରପେକ୍ଷ, ଶିରୋମଣି ଅକାଳୀ ଦଳ, ଶିବସେନା ଏବଂ ବର୍ତ୍ତମାନ ଝାଡ଼ଖଣ୍ଡ ମୁକ୍ତି ମୋର୍ଚ୍ଚା, ଏନ୍ଡିଏ ପ୍ରର୍ଥୀ ମୁର୍ମୁଙ୍କ ପ୍ରତି ସମର୍ଥନ ଘୋଷଣା କରିବା ପରେ ମୁର୍ମୁଙ୍କ ଭୋଟ୍ ଅଂଶ ପ୍ରାୟ ଦୁଇ ତୃତୀୟାଂଶରେ ପହଞ୍ଚିବାର ସମ୍ଭାବନା ରହିଛି ଏବଂ ସେ ଏକ ସହଜ ସାଧ୍ୟ ବିଜୟ ଲାଭ କରିବେ। ଆଉ ରାଷ୍ଟ୍ରପତି ନିର୍ବାଚନରେ ଦ୍ରୌପଦୀ ମୁର୍ମୁ ଜିତିଲେ ସେ ହେବେ ଦେଶର ଶୀର୍ଷ ସାମ୍ବିଧାନିକ ପଦବୀ ଦଖଲ କରିବରେ ଆଦିବାସୀ ସଂପ୍ରଦାୟର ସର୍ବପ୍ରଥମ ଏବଂ ପୁଣି ସର୍ବପ୍ରଥମ ଆଦିବାସୀ ମହିଳା।
ଜାତୀୟ ଗଣତାନ୍ତ୍ରିକ ମେଣ୍ଟ ମନୋନୀତ ବ୍ୟକ୍ତିଙ୍କ ପାଖରେ ବର୍ତ୍ତମାନ ବିଭିନ୍ନ ଆଞ୍ଚଳିକ ଦଳର ସମର୍ଥନ ପରେ ୬.୬୭ ଲକ୍ଷରୁ ଅଧିକ ଭୋଟ୍ ରହିଛି। ମୋଟ ଭୋଟ ହେଉଛି ୧୦,୮୬,୪୩୧।
ଆନୁପାତିକ ପ୍ରତିନିଧିତ୍ୱ ବ୍ୟବସ୍ଥା ମାଧ୍ୟମରେ ରାଷ୍ଟ୍ରପତିଙ୍କୁ ନିର୍ବାଚିତ କରୁଥିବା ନିର୍ବାଚନ କଳେଜିୟମରେ ନିର୍ବାଚିତ ସାଂସଦ ଏବଂ ରାଜ୍ୟ ବିଧାନସଭାର ସଦସ୍ୟମାନେ ଅନ୍ତର୍ଭୁକ୍ତ। ମନୋନୀତ ସାଂସଦ ଏବଂ ବିଧାୟକ ଏବଂ ବିଧାନସଭା ପରିଷଦର ସଦସ୍ୟମାନେ ଏହି ନିର୍ବାଚନରେ ଭୋଟ୍ ଦେବାକୁ ହକଦାର ନୁହଁନ୍ତି।
ଜମ୍ମୁ- କଶ୍ମୀରରେ ଏକ ବିଧାନସଭାର ଅନୁପସ୍ଥିତି ହେତୁ ଏହି ରାଷ୍ଟ୍ରପତି ନିର୍ବାଚନରେ ସଂସଦର ଜଣେ ସଦସ୍ୟଙ୍କ ଭୋଟ୍ର ମୂଲ୍ୟ ୭୦୮ରୁ ୭୦୦କୁ ହ୍ରାସ ପାଇଛି। ସେହିପରି ରାଜ୍ୟଗୁଡ଼ିକରେ ପ୍ରତ୍ୟେକ ବିଧାୟକଙ୍କ ଭୋଟ୍ ମୂଲ୍ୟ ବିଭିନ୍ନ ରାଜ୍ୟରେ ଭିନ୍ନ ଭିନ୍ନ ହୋଇଥାଏ। ଉତ୍ତରପ୍ରଦେଶରେ ପ୍ରତ୍ୟେକ ବିଧାୟକଙ୍କ ଭୋଟ୍ ମୂଲ୍ୟ ୨୦୮ ରହିଛି ଏବଂ ଏହା ପରେ ଝାଡ଼ଖଣ୍ଡ ଏବଂ ତାମିଲନାଡୁରେ ୧୭୬। ମହାରାଷ୍ଟ୍ରରେ ଏହା ୧୭୫। ସିକ୍କିମରେ ପ୍ରତି ବିଧାୟକଙ୍କ ପାଇଁ ଭୋଟ୍ ମୂଲ୍ୟ ୭, ଯେତେବେଳେ କି ନାଗାଲାଣ୍ଡରେ ଏହା ୯ ଏବଂ ମିଜୋରାମରେ ୮
Sign in
Sign in
Recover your password.
A password will be e-mailed to you.