ଇନ୍ସପେକ୍ଟର ସ୍ନିଗ୍ଧାରାଣୀଙ୍କ ନାଁରେ ମାମଲା, ଡ୍ରାଇଭରଙ୍କୁ ଜାମିନ

ବଲାଙ୍ଗୀର: କାର୍‌ ଧକ୍କାରେ ୩ ଜଣଙ୍କ ମୃତ୍ୟୁ ଘଟଣାରେ ବିବାଦରେ ଥିବା ପୋଲିସ ଇନ୍ସପେକ୍ଟର ସ୍ନିଗ୍ଧାରାଣୀ ସୁନାଙ୍କ ନାଁରେ ସୋନପୁର ପୁଲିସ ମାମଲା ରୁଜୁ କରିଛି। ଜଣେ ଅଭିଯୁକ୍ତକୁ ଅପରାଧରେ ସହଯୋଗ କରିବା ଅଭିଯୋଗରେ ତାଙ୍କ ନାଁରେ ମାମଲା ରୁଜୁ କରାଯାଇଛି। ସୋନପୁର ଏସ୍‌ପି ଅମରେଶ ପଣ୍ଡା ଏହି ସୂଚନା ଦେଇଛନ୍ତି।

ଏହାସହ ସ୍ନିଗ୍ଧାରାଣୀ ସୁନାଙ୍କୁ ନୋଟିସ ଜାରି କରାଯାଇଛି। ଅନ୍ୟପକ୍ଷରେ ସୁନାଙ୍କ କାର ଚଳାଉଥିବା ଡ୍ରାଇଭର ଅଜୟ ଜେଠୀଙ୍କୁ ଜାମିନ ମିଳିଛି। ଅଜୟଙ୍କୁ ତରଭା ଜେଏମ୍‌ଏଫ୍‌ସିରୁ ଜାମିନ ମିଳିଥିବା ତାଙ୍କ ଓକିଲ ଆଦି ପାଣିଗ୍ରାହୀ ସୂଚନା ଦେଇଛନ୍ତି। ଜୁଲାଇ ୧୨ ତାରିଖରେ ଅଜୟ ଜେଠୀଙ୍କୁ ଗିରଫ କରାଯାଇଥିଲା। ଅଜୟଙ୍କ ଡ୍ରାଇଭିଂ ଲାଇସେନ୍ସ ନ ଥିବାରୁ ତାଙ୍କ ନାଁରେ ମାମଲା ରୁଜୁ କରାଯାଇଥିଲା।

ସୂଚନାଯୋଗ୍ୟ, ମହାପ୍ରଭୁଙ୍କ ବାହୁଡ଼ା ଯାତ୍ରା ଡ୍ୟୁଟି ସାରି ଗତ ମଙ୍ଗଳବାର ସ୍ନିଗ୍ଧାରାଣୀ ସୁନା ଓ ତାଙ୍କ ଡ୍ରାଇଭର ଅଜୟ ଜେଠୀ କାର ଯୋଗେ ପୁରୀରୁ ସୁନ୍ଦରଗଡ଼ ଫେରୁଥିଲେ। ସୋନପୁର-ବଲାଙ୍ଗୀର ୫୭ନଂ. ଜାତୀୟ ରାଜପଥର ବଡ଼ବାହାଲି ଛକରେ ଛିଡ଼ା ହୋଇଥିବା ପରିବା ବୋଝେଇ ଏକ ଅଟୋ ଓ ବାଇକ୍‌କୁ ସେମାନଙ୍କ କାର୍‌ ଧକ୍କା ଦେଇଥିଲା। ଫଳରେ ୩ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ୬ ଜଣ ଗୁରୁତର ହୋଇଥିଲେ।

nis-ad
Leave A Reply

Your email address will not be published.