ସାଳନ୍ଦୀ ଓ ବୈତରଣୀ ନଦୀ ଉଛୁଳି ଗାଁରେ ପଶିଲା ଜୁଆର ପାଣି

ଆରଡି: ଲଘୁଚାପ ପ୍ରଭାବରେ ଗତ ୨ଦିନ ହେବ ଭଦ୍ରକ ଜିଲାର ଜଳଦେଶ ଭାବେ ପରିଚିତ ଚାନ୍ଦବାଲି ସ୍ଥିତ ଧାମରା ଠାରେ ସମୁଦ୍ର ଅଶାନ୍ତ ହୋଇପଡିଛି । ଏପରିକି ସମୁଦ୍ର ଉଚ୍ଚ ଜୁଆର ଢେଉ କୂଳ ଲଂଘି ବୈତରଣୀ ଓ ସାଳନ୍ଦୀ ନଦୀ ଉଛୁଳିବାରେ ଲାଗିଛି । ଫଳରେ ଆରଡି ନିକଟସ୍ଥ ଶୀତଳପୁର, ପାଲଟପୁର, ସାନପଙ୍କି, କୁଲିବିନ୍ଧା, ଗରିପୁର ଆଦି ଗାଁ ଚାରିପାଖେ ଜୁଆରପାଣି ଲହଡି ଭାଙ୍ଗୁଛି ।

ବିଶେଷକରି ଶୀତଳପୁର ଗାଁ ଦାଣ୍ଡରେ ଆଣ୍ଠୁଏ ଉଚ୍ଚରୁ ଜୁଆରପାଣି ପ୍ରବାହିତ ହେଉଥିବାରୁ ବିଭିନ୍ନ ସମୟରେ ସାଳନ୍ଦୀ ନଦୀରେ ଥିବା ବଡବଡ ହିଂସ୍ର କୁମ୍ଭୀର ଶୋଇ ରହୁଛନ୍ତି ନଦୀପଠାରେ ।

ଭୟରେ ଗାଁ ଲୋକଙ୍କ ଯାତାୟାତ ଠପ ହୋଇଯାଇଥିବା ଗ୍ରାମବାସୀ କହିଛନ୍ତି। ରାସ୍ତାରେ ଜୁଆର ସମୟ ଠାରୁ ଭଟ୍ଟା ପର୍ଯ୍ୟନ୍ତ ସମୁଦ୍ରପାଣି ଲହଡି ମାରିବା ଫଳରେ ବିଦ୍ୟାଳୟକୁ ଛାତ୍ରଛାତ୍ରୀ ନଯାଇପାରି ଘରେ ରହୁଛନ୍ତି । ସେହିପରି ନଈକୂଳରେ ବସବାସ କରୁଥିବା ୨୦ରୁ ଊର୍ଦ୍ଧ୍ଵ ପରିବାର ଭୟରେ ଜୀବନ ବିତାଉଛନ୍ତି । କିଛିଦିନ ତଳେ ନଦୀବନ୍ଧ ଧସିଯିବା ସହ ଭୂସ୍ଖଳନ ହେବାରୁ ୫ଟି ପରିବାର ବାସହରା ହୋଇଯାଇଥିଲେ ।

ଏବେ ସମୁଦ୍ର ଜୁଆର ପାଣି ଦୁର୍ବିସହ କରିଛି । ଏହାସହ ଭୂଇଁପୁର, ନାନ୍ଦପୁର, କୋଇଲିଖା, ବାଙ୍କମୁଆଁ, ପହଣା, ମୁଆଁ, ସନ୍ତରା ଆଦି ଅଞ୍ଚଳରେ ଶହଶହ ଏକର ଧାନତଳି କ୍ଷେତରେ ପାଣି ମାଡିଯାଇ ଗତ ୨ଦିନ ହେବ ଜୁଆରପାଣି ଲହଡି ଭାଙ୍ଗୁଥିବାରୁ ଧାନତଳି ପଚିବା ଆଶଙ୍କା ଦେଖାଦେଇଛି ବୋଲି ଚାଷୀମାନେ କହିଛନ୍ତି।

nis-ad
Leave A Reply

Your email address will not be published.