ବ୍ୟବସାୟୀଙ୍କୁ ବନ୍ଧୁକ ଦେଖାଇ ଦାଦାବଟି ମାଗିବା ଅଭିଯୋଗରେ ଦୁଇ ଗିରଫ

ବ୍ରହ୍ମପୁର : ଜଣେ ଆଳୁ ପିଆଜ ବ୍ୟବସାୟୀଙ୍କୁ ବନ୍ଧୁକ ଦେଖାଇ ୧୦ ହାଜର ଟଙ୍କା ଦାଦାବଟି ମାଗିବା ସହ ମାଡ ମାରିବା ଅଭିଯୋଗ ନେଇ ସଦର ଥାନାରେ ଅଭିଯୋଗ ହୋଇଥିଲା । ସେହି ଅଭିଯୋଗକୁ ଭିତ୍ତି କରି ସଦର ଥାନା ପୁଲିସ ଥାନା କେସ ନଂ ୩୦୧/୨୨ରେ ଏକ ମାମଲା ରୁଜୁ କରି ଆଜି ଦୁଇ ଅଭିଯୁକ୍ତଙ୍କୁ ଗିରଫ କୋର୍ଟ ଚାଲାଣ କରିଥିବା ଜଣାପଡିଛି । ଗିରଫ ଅଭିଯୁକ୍ତ ମାନେ ହେଲେ ଲୋଚାପଡ଼ା ରାମକୃଷ୍ଣ ନଗର ହରିଜନ ସାହିର ତାରିଣୀ ଦାସ(୨୪) ଓ ଆଙ୍କୁଲି ନିଗମ ନଗରର ରୁଦ୍ର ପ୍ରସାଦ ମହାନ୍ତି(୧୯)। ସେହିପରି ଘଟଣାର ମୁଖ୍ୟ ଅଭିଯୁକ୍ତ ଓ ତାଙ୍କର ଅନ୍ୟ ଜଣେ ସହଯୋଗୀ ଫେରାର ହୋଇଯାଇଥିବା ସୂଚନା ମିଳିଛି । ପ୍ରକାଶଥାଉକି, ପି.ପର୍ଶୁରାମ ପାତ୍ର ଲୋଚାପଡା ଅଞ୍ଚଳରେ ଆଳୁ ପିଆଜ ବ୍ୟବସାୟ କରନ୍ତି । ଚଳିତ ମାସ ୧୦ ତାରିଖ ରାତିରେ ପର୍ଶୁରାମ ଦୋକାନରେ ବସିଥିବା ବେଳେ ୪ଜଣ ଯୁବକ ସେଠାରେ ପହଞ୍ଚି ତାଙ୍କୁ ୧୦ ହଜାର ଟଙ୍କା ଦାଦାବଟି ମାଗିଥିଲେ । ପର୍ଶୁରାମ ଟଙ୍କା କାହିଁକି ଦେବୀ ପ୍ରଶ୍ନ କରିବା ଲାଗି ବ୍ୟବସାୟୀ ଓ ଯୁବକମାନଙ୍କ ମଧ୍ୟରେ ବଚସା ହୋଇଥିଲା । ସେହି ସମୟରେ ସେଠାରେ ପର୍ଶୁରାମଙ୍କ ପୁଅ ପି. ଚନ୍ଦ୍ର ପହଞ୍ଚିବା ପରେ ଅଭିଯୁକ୍ତମାନେ ତାଙ୍କୁ ବନ୍ଧୁକ ଦେଖାଇ ମାଡ ମାରିବା ସହ ଫେରାର ହୋଇଯାଇଥିଲେ । ଘଟଣାକୁ ନେଇ ଚନ୍ଦ୍ର ସଦର ଥାନାରେ ଅଭିଯୋଗ କରିଥିଲେ। ଅଭିଯୋଗ ପରେ ପୁଲିସ୍ ଏକ ମାମଲା ରୁଜୁ କରିଥିଲା l ସଦର ଏସଡିପିଓ ଶିବଶଙ୍କର ମହାପାତ୍ର ଙ୍କ ନେତୃତ୍ୱ ରେ ଏକ ଟିମ ଗଠନ କରି ଘଟଣାର ତଦନ୍ତ କରି ଅଭିଯୁକ୍ତଙ୍କୁ ଧରିବାକୁ ବିଭିନ୍ନ ସ୍ଥାନରେ ଚଢାଉ କରାଯାଇଥିଲା । ମୁଖ୍ୟ ଅଭିଯୁକ୍ତ କେ. ପ୍ରସାଦ ରାଓଙ୍କ ଘରେ ଚଢାଉ କରିବା ବେଳେ ସେ ଓ ତାଙ୍କ ଜଣେ ସହଯୋଗୀ ଚମ୍ପଟ ମାରିଥିଲେ ମଧ୍ୟ ଉପରୋକ୍ତ ଦୁଇ ଅଭିଯୁକ୍ତଙ୍କୁ ପୁଲିସ କାବୁ କରିଥିଲା । ଅଭିଯୁକ୍ତଙ୍କ ନିକଟରୁ ପୁଲିସ ଏକ ବୁଲେଟ ଗାଡି ଜବତ କରିଥିବା ସଦର ଥାନା ଅଧିକାରୀ ମହେନ୍ଦ୍ର ସାହୁ ସୂଚନା ଦେଇଛନ୍ତି ।

nis-ad
Leave A Reply

Your email address will not be published.