ଗଞ୍ଜାମ ଜିଲ୍ଲା ବରିଷ୍ଠ କଳାକାର ସଂଘର ସାଙ୍ଗଠନିକ ବୈଠକ

ବ୍ରହ୍ମପୁର (୧୫/୦୭) : କଳା ଓ କଳାକାର ହିତୈଷୀ ମହାମଞ୍ଚ “ଗଞ୍ଜାମ ଜିଲ୍ଲା ବରିଷ୍ଠ କଳାକାର ସଂଘ” ପକ୍ଷରୁ ବାଲାଜୀ ପେଣ୍ଠ ସାହି ସ୍ଥିତ ମଞ୍ଚଜ୍ୟୋତି କାର୍ଯ୍ୟାଳୟ ପରିସରରେ ପବିତ୍ର ଗୁରୁ ପୂର୍ଣ୍ଣିମା ଅବସରରେ ଏକ ସାଙ୍ଗଠନିକ ବୈଠକ ଅନୁଷ୍ଠିତ ହୋଇ ଯାଇଛି । ଅପରାହ୍ନ ଚାରି ଘଟିକାରେ ସଂଘ କାର୍ଯ୍ୟକାରୀ ସଭାପତି ଦୁର୍ଗା ପ୍ରସାଦ ଆଚାର୍ଯ୍ୟ ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବୈଠକରେ ନିଖିଳ ଓଡ଼ିଶା ବରିଷ୍ଠ କଳାକାର ମହାସଂଘ ସଭାପତି ସୀମାନ୍ତ ନଟରାଜ ଡ଼ା ତିରୁପତି ସାହୁ, ନାଟ୍ୟବିଦ୍ୟାବୁଦ୍ଧ ପ୍ରଫୁଲ୍ଲ ବେହେରା, ନାଟ୍ୟକାର ସୁରେନ୍ଦ୍ର କୁମାର ଜେନା, ନାଟ୍ୟ ସୂର୍ଯ୍ୟ ଦେବେନ୍ଦ୍ର ପ୍ରସାଦ ଶର୍ମା ପ୍ରମୁଖ ଅତିଥି ରୂପେ ଯୋଗଦେଇ ଗୁରୁ ପୂର୍ଣ୍ଣିମା ଓ ଗୁରୁଙ୍କ ଉଚ୍ଚାସନ ସମ୍ପର୍କରେ ଆଲୋକପାତ କରିବା ସହିତ ସମାଜ ସଂସ୍କାରକ କଳାକାର ସମାଜ କି ସରକାରୀ କି ବେସରକାରୀ ସ୍ତର ସବୁଠି ଅବହେଳିତ ହୋଇ ରହିଛି ଯାହାକି ସମାଜ ପ୍ରତି କିଛି ଭଲ ଲକ୍ଷଣ ନୁହଁ ବୋଲି ମତବ୍ୟକ୍ତ କରିଥିଲେ । ଏଠାରେ ସୂଚନା ଯୋଗ୍ୟ ଯେ, କରୋନା ମହାମାରୀ କାଳରେ ରାଜ୍ୟ କି କେନ୍ଦ୍ର କୌଣସି ସରକାର ଜୀବିକା ବିହୀନ ବିପନ୍ନ କଳାକାରମାନଙ୍କ ପ୍ରତି ଏତେ ଟିକେ ବି ସହାୟତାର ହାତ ବଢ଼େଇ ନଥିଲେ । ପୁଣି ସରକାରୀ ବ୍ୟବସ୍ଥା କ୍ରମରେ ସମସ୍ତ ବରିଷ୍ଠ କଳାକାରଙ୍କୁ ଭତ୍ତା ବ୍ୟବସ୍ଥା ନାହିଁ । ସଂପ୍ରତି ରାଜ୍ୟ ସରକାର ଭତ୍ତା ଚୟନ କ୍ଷେତ୍ରରେ ଅହେତୁକ ବିଳମ୍ବ କରି ଚାଲିଛନ୍ତି । କେନ୍ଦ୍ରରେ ମଧ୍ୟ ତଦୃପ । ପୁରୁଣା କଳାକାରଙ୍କୁ ବର୍ଷେ ଦୁଇ ବର୍ଷରେ ଥରେ ଭତ୍ତା ମିଳୁଛି । ଚଳିତ ବର୍ଷର କେନ୍ଦ୍ର ଭତ୍ତା ଫାଇଲ ଦୀର୍ଘ ଦିନ ଧରି ସଂସ୍କୃତି ମନ୍ତ୍ରୀଙ୍କ ନିକଟରେ ପଡ଼ିରହିଛି । ସରକାରଙ୍କ ଏତାଦୃଶ ବୈମାତୃକ ମନୋବୃତ୍ତି ଘେନି ବୈଠକରେ କ୍ଷୋଭ ପ୍ରକାଶ କରାଯାଇଥିଲା । ସଂଘ ସମ୍ପାଦକ ସୁବାସ ଚନ୍ଦ୍ର ସାହୁ ରୋଶନ୍ ସ୍ବାଗତ ଭାଷଣ କ୍ରମରେ ସଂଘ ପକ୍ଷରୁ ଅଗଷ୍ଟ ଆଠରେ ଗ୍ରାମୀଣ ନାଟ୍ୟ ଦିବସ ଏବଂ ସେପ୍ଟେମ୍ବର ପାଞ୍ଚ ପବିତ୍ର ଗୁରୁ ଦିବସ ଅବସରରେ ଗୁରୁ ପୂଜନ ଉତ୍ସବ ମହାସମାରୋହରେ ପାଳିତ ହେବ ବୋଲି ସୂଚନା ଦେଇଥିଲେ । ପରିଶେଷରେ ସହସମ୍ପାଦକ ବଳଦେବ ସାହୁ ଆନୁଷ୍ଠାନିକ ଧନ୍ୟବାଦ ଅର୍ପଣ କରିଥିଲେ ।

nis-ad
Leave A Reply

Your email address will not be published.