ଶ୍ରୀଲଙ୍କା ରାଷ୍ଟ୍ରପତିଙ୍କ ଭଳି ହେବ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅବସ୍ଥା: ଟିଏମସି ବିଧାୟକ

ନୂଆଦିଲ୍ଲୀ: ଶ୍ରୀଲଙ୍କା ଏବେ ଦେବାଳିଆ ହୋଇଥିବା ବେଳେ ଦେଶବାସୀଙ୍କ ଆକ୍ରୋଶରୁ ବଞ୍ଚିବା ପାଇଁ ଦେଶ ଛାଡ଼ି ପଳାଇଛନ୍ତି ରାଷ୍ଟ୍ରପତି ଗୋଟବାୟା ରାଜପକ୍ଷେ। ଏହି ଘଟଣା ପରେ ଶ୍ରୀଲଙ୍କାର ସ୍ଥିତିକୁ ଭାରତ ସହ ଯୋଡ଼ି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଟାର୍ଗେଟ କରିଛି ଟିଏମସି। ରବିବାର ଦିନ ତୃଣମୂଳ କଂଗ୍ରେସ ବିଧାୟକ ଇଡ୍ରିସ୍ ଅଲି କହିଛନ୍ତି ଯେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅବସ୍ଥ‌ା ଶ୍ରୀଲଙ୍କାର ରାଷ୍ଟ୍ରପତି ଗୋଟବାୟା ରାଜପକ୍ଷେଙ୍କ ଭଳି ହେବ।
ଶ୍ରୀଲଙ୍କାର ରାଷ୍ଟ୍ରପତି ଗୋଟବାୟା ରାଜପକ୍ଷେଙ୍କ ଇସ୍ତଫା ଦାବିରେ ବିକ୍ଷୋଭକାରୀମାନେ ରାଷ୍ଟ୍ରପତି ଭବନକୁ ପ୍ରବେଶ କରିବା ପରେ ଗୋଟାବାୟା ରାଜପକ୍ଷେ ଶନିବାର ତାଙ୍କ ସରକାରୀ ବାସଭବନ ଛାଡି ପଳାଇବାକୁ ବାଧ୍ୟ ହୋଇଥିଲେ। ଏହି ଘଟଣାକୁ ଦେଖି ଶ୍ରୀଲଙ୍କାର ରାଷ୍ଟ୍ରପତିଙ୍କ ସହ ଏବେ ଯାହା ଘଟୁଛି ତାହା ଭବିଷ୍ୟତରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଘଟିବ ବୋଲି କହିଛନ୍ତି ଇଡ୍ରିସ୍ ଅଲି।
ସୂୂଚନା ମୁତାବକ, ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କୁ କୋଲକାତାର ସିଆଲଦା ମେଟ୍ରୋ ଷ୍ଟେସନର ଉଦଘାଟନୀ ସମାରୋହକୁ ନିମନ୍ତ୍ରଣ କରାନଯିବା ପରେ ଅଲିଙ୍କ ଏଭଳି ମନ୍ତବ୍ୟ ଆସିଛି। ଜୁଲାଇ ୧୧ରେ କେନ୍ଦ୍ରମନ୍ତ୍ରୀ ସ୍ମୃତି ଇରାନୀ ମେଟ୍ରୋ ଷ୍ଟେସନର ଉଦଘାଟନ କରିବେ ବୋଲି ଜଣାପଡ଼ିଛି। ଅଲି କହିଛନ୍ତି ଯେ ମମତା ବାନାର୍ଜୀଙ୍କୁ ନିମନ୍ତ୍ରଣ ନକରିବା ଏକ ଅନ୍ୟାୟ, କାରଣ ସେ ରେଳମନ୍ତ୍ରୀ ଭାବରେ କାର୍ଯ୍ୟ କରୁଥିବାବେଳେ ଏହି ପ୍ରକଳ୍ପ ତାଙ୍କ ଦ୍ବାରା ଆରମ୍ଭ ହୋଇଥିଲା। ଉଦଘାଟନୀ ସମାରୋହରେ ରାଜ୍ୟ ସରକାରଙ୍କ କୌଣସି ମାନ୍ୟଗଣ୍ୟ ବ୍ୟକ୍ତିଙ୍କୁ ନିମନ୍ତ୍ରଣ କରାଯାଇ ନଥିବାରୁ ଟିଏମସି ଏବେ ବିଜେପିକୁ ଟାର୍ଗେଟ କରିବା ଆରମ୍ଭ କରିଛି।

nis-ad
Leave A Reply

Your email address will not be published.