ପ୍ରସିଦ୍ଧ ଶିକ୍ଷାବିତ୍ ଓ ସୁଲେଖକ ଅମୂଲ୍ୟକୃଷ୍ଣ : ଓଡ଼ିଆ ଭାଷା ଓ ସାହିତ୍ୟ ପାଇଁ ଗୋୖରବ

ଭୁବନେଶ୍ୱର : ପ୍ରସିଦ୍ଧ ଶିକ୍ଷାବିତ୍ ଓ ସୁଲେଖକ ଅମୂଲ୍ୟକୃଷ୍ଣ ମିଶ୍ରଙ୍କର ଆଜି ୯୦ତମ ଜନ୍ମବାର୍ଷିକୀ ଉତ୍କଳ ବିଶ୍ୱବିଦ୍ୟାଳୟରେ ପାଳିତ ହୋଇଯାଇଛି । ସେ ଏକାଧାରରେ ଜଣେ ଗାଳ୍ପିକ, ନାଟ୍ୟକାର, ପ୍ରବନ୍ଧକ, ଔପନ୍ୟାସିକ ଥିଲେ । ଓଡ଼ିଆ ସାହିତ୍ୟ କ୍ଷେତ୍ରକୁ ସେ ମୋଟ ୩୫ଟି ପୁସ୍ତକ ଭେଟି ସଦୃଶ ଦେଇ ଯାଇଛନ୍ତି । ଶିକ୍ଷା, ସଂସ୍କୃତି ଓ ଜାତିବାଦୀ ଚେତନାରେ ଉଦ୍‌ବୁଦ୍ଧ ପରି ଏକ ପରିବାରରେ ଜନ୍ମିତ, ଅମୂଲ୍ୟକୃଷ୍ଣ ମୂଳରୁ ସ୍ୱାଭିମାନୀ ଓ ସ୍ୱାଧୀନଚେତା ରହିଆସିଥିଲେ । ରେଭେନ୍ସା କଲେଜରୁ ପଦାର୍ଥ ବିଜ୍ଞାନରେ ସ୍ନାତକୋତ୍ତର ଶିକ୍ଷା ସମାପ୍ତ କରିବା ପରେ ତରୁଣ ବୟସରେ ସେହି କଲେଜରୁ ହିଁ ଅଧ୍ୟାପକ ଚାକିରୀ ଜୀବନ ଆରମ୍ଭ କରିଥିଲେ । ପରବର୍ତ୍ତୀ ସମୟରେ ଭଂଜନଗର କଲେଜ, ଖୋର୍ଦ୍ଧାର ପ୍ରାଣନାଥ କଲେଜ, କଟକର ଜେକେବିକେ କଲେଜ, ଭୁବନେଶ୍ୱରର ରାଜଧାନୀ କଲେଜ ଓ ବିଜେବି କଲେଜ ଅଧ୍ୟକ୍ଷ ଭାବରେ ଦକ୍ଷତାର ସହ ଦାୟିତ୍ୱ ସଂପାଦନା କରିଥିଲେ ।

ସମ୍ମାନନୀୟ ଅତିଥି ଶ୍ରୀଯୁକ୍ତ ଶରତ ଚନ୍ଦ୍ର ମିଶ୍ର, ଅବସରପ୍ରାପ୍ତ ପୋଲିସ ଡ଼ି ଜି ଏବଂ ବିଶିଷ୍ଟ ଲେଖକ, ଉପସ୍ଥିତ ସଭାରେ ଯୋଗ ଦେଇ ସ୍ୱର୍ଗତ ଅମୂଲ୍ୟକୃଷ୍ଣ ମିଶ୍ରଙ୍କର ଜୀବନୀର ସ୍ମୃତିଚାରଣ କରି କହିଥିଲେ । “ପଦାର୍ଥ ବିଜ୍ଞାନର ଛାତ୍ର ଓ ଶିକ୍ଷକ ହୋଇଥିଲେ ହେଁ ଅମୂଲ୍ୟକୃଷ୍ଣଙ୍କର ଓଡିଆ ସାହିତ୍ୟ ଓ ସଂସ୍କୃତିରେ ଗଭୀର ପ୍ରବେଶ ରହିଥିଲା । ସେ ଜଣେ ଛାତ୍ରବତ୍ସଳ ଶିକ୍ଷକ ରୂପେ ସୁଖ୍ୟାତି ଅର୍ଜନ କରିଥିଲେ । ଡ଼କ୍ଟର ମିଶ୍ର ବହୁ ବର୍ଷ ଓଡିଶା ସରକାରୀ କଲେଜ ଶିକ୍ଷକ ମହାସଂଘର ସଭାପତି ପଦରେ ରହି ଏହାକୁ ଯଥାର୍ଥ ମାର୍ଗଦର୍ଶନ ଦେଇଥିଲେ” ।

ଅନ୍ୟତମ ସମ୍ମାନନୀୟ ଅତିଥି ଶ୍ରୀଯୁକ୍ତ ସାତକଡ଼ି ହୋତା, ଅବସରପ୍ରାପ୍ତ ପ୍ରଶାସକ ଏବଂ ବିଶିଷ୍ଟ ଲେଖକ ସଭାରେ ଯୋଗ ଦେଇ ଡ଼କ୍ଟର ଅମୁଲ୍ୟକୃଷ୍ଣ ମିଶ୍ରଙ୍କ ସହିତ ତାଙ୍କର ନିବିଡ ସମ୍ପର୍କ ବିଷୟରେ ଆଲୋକପାତ କରିଥିଲେ । ଅତି କମ ବର୍ଷ ବୟସରେ ଅମୂଲ୍ୟକୃଷ୍ଣଙ୍କ ଜୀବନଦୀପ ଲିଭିଯାଇଥିଲା ସତ କିନ୍ତୁ ତାଙ୍କ ଜୀବନ କାଳ ମଧ୍ୟରେ ସେ ଅମଳିନ ପ୍ରତିଭାର ଯେଉଁ ସ୍ୱାକ୍ଷର ରଖିଯାଇଛନ୍ତି ତାହା କ୍ୱଚିତ ବ୍ୟକ୍ତିଙ୍କଠାରେ ଦେଖିବାକୁ ମିଳେ କହି ଏହି ଜୟନ୍ତୀ ଅବସରରେ ତାଙ୍କସ୍ମୃତି ପ୍ରତି ଗଭୀର ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଥିଲେ ।

ଡ଼କ୍ଟର ଅମୂଲ୍ୟକୃଷ୍ଣ ମିଶ୍ର ଯେ ଜଣେ ହୃଦୟ ଖୋଲା ଲୋକଟିଏ ଥିଲେ, ଯାହା ସହିତ ସବୁ ଜୀବନ୍ତ କଥା କହି ଜୀବନକୁ କେମିତି ଖୁସିରେ ବଂଚିବା, ଏକାଠି ରହିବା, ଏକାଠି ବଂଚିବା ମିଳିମିଶି ରହିବା କଥା ମନେପକାଇ ସଭାଟିକୁ ଭାବବିହ୍ୱଳ କରିଦେଇ ଥିଲେ ମୁଖ୍ୟ ଅତିଥି ପ୍ରଫେସର ଜୟନ୍ତ ମହାପାତ୍ର । ଡ଼କ୍ଟର ମିଶ୍ରଙ୍କର ପ୍ରଥମେ ଗୁରୁ ପରେ ତାଙ୍କର ସହକର୍ମୀ ହୋଇ କେମିତ ଅତି ଆପଣାର ବନ୍ଧୁ ଟିଏ ହୋଇଯାଇଥିଲେ ତାହା ସେ ଖୁବ ସୁନ୍ଦର ଭାବରେ ବର୍ଣ୍ଣନା କରିଥିଲେ ।

ସଭାପତି ଡ଼କ୍ଟର ହୁସେନ୍ ରବି ଗାନ୍ଧୀ, ବିଶିଷ୍ଟ କବି, ନିଜ ଗୁରୁଙ୍କୁ ସ୍ମରଣ କରି ଡ଼କ୍ଟର ଅମୂଲ୍ୟଙ୍କ ସହ ବିତାଇ ଥିବା ମୁହୂର୍ତ୍ତର କିଛି ଅନୁଭୂତିକୁ ପ୍ରକାଶ କରି କହିଥିଲେ ଯେ, ସ୍ୱର୍ଗତ ଅମୂଲ୍ୟକୃଷ୍ଣ ମିଶ୍ର ଜଣେ ସରକାରୀ ନୀତି ନିୟମ ଭିତରେ ଥାଇ ମଧ୍ୟ ଅନେକ ଗୁରୁତ୍ୱପୂର୍ଣ୍ଣ ଭୂମିକା ନେଇ ଶିକ୍ଷା, ସରକାର, ବିକାଶ, ସମାଜ ପାଇଁ ଏକ ଦାୟିତ୍ୱବଦ୍ଧ କାର୍ଯ୍ୟ କରି ଯାଇଥିଲେ । ଭକ୍ତକବି ସାଲବେଗଙ୍କ ସାହିତ୍ୟ ଉପରେ ଗବେଷଣା କରି ସେ ଡକ୍ଟରେଟ ଡିଗ୍ରୀ ହାସଲ କରିଥିଲେ । ନିଜର ପିତା ଦୟାନିଧି ମିଶ୍ରଙ୍କ ଅପ୍ରକାଶିତ ଲେଖାଗୁଡିକୁ ଲୋକଲୋଚନକୁ ଆଣିବା ଓ ତାଙ୍କର ସ୍ମୃତିରକ୍ଷା କରିବା ଲାଗି ସେ ସତତ ଚେଷ୍ଟିତ ଥିଲେ । ଭାରତର ବିଭାଜନ ତାଙ୍କୁ କିପରି ବ୍ୟଥିତ ଓ ମ୍ରିୟମାଣ କରିଥିଲା ତାହା ଜ୍ୱଳନ୍ତ ପ୍ରତିଫଳନ ହୋଇଛି ତାଙ୍କ ରଚିତ “ଫେରାଇ ଦିଅ ମୋର ଅଖଣ୍ଡ ଭାରତ” ପୁସ୍ତକରେ । ତାଙ୍କର ଅନ୍ୟାନ୍ୟ ରଚନାବଳୀଗୁଡିକ ମଧ୍ୟରେ-ଶାନ୍ତି ସଂଗ୍ରାମ, ଆହୁତି, ଭକ୍ତ ସାଲବେଗ, କାମଧେନୁର ଲୁହ, ମାଇଲ ଖୁଣ୍ଟ ଏବଂ ବିପ୍ଲବୀ ପ୍ରାଣନାଥ ପଟ୍ଟନାୟକଙ୍କ ପ୍ରଥମ ଜୀବନୀ ପୁସ୍ତକ ଅଲିଭା ଶିକ୍ଷା ଆଦି ଓଡିଶା ସାହିତ୍ୟ କ୍ଷେତ୍ରରେ ବେଶ୍ ପାଠକୀୟ ସ୍ୱୀକୃତି ଲାଭ କରିସାରିଛି ବୋଲି ଡ଼କ୍ଟର ହୁସେନ୍ କହିଥିଲେ ।

ଡ଼କ୍ଟର ପ୍ରତାପାଦିତ୍ୟ ମିଶ୍ର ସଭାଟି ପରିଚାଳନା କରିଥିଲେ ଏବଂ ଡ଼କ୍ଟର ତରୁଣାଦିତ୍ୟ ମିଶ୍ର ସମସ୍ତ ମଂଚାସୀନ ଓ ଉପସ୍ଥିତ ବ୍ୟକ୍ତିମାନଙ୍କୁ ଏବଂ ଡ଼. ରାଜେନ୍ଦ୍ର ନାରାୟଣ ଦାସ, ଜେର୍ମନୀ, ଡ଼କ୍ଟର ଅମୂଲ୍ୟକୃଷ୍ଣ ମିଶ୍ରଙ୍କ ସ୍ମୃତି ଅବସରରେ କୃତଜ୍ଞତା ଜ୍ଞାପନ କରି ଧନ୍ୟବାଦ ସହ ସଭାଟିକୁ ସାଙ୍ଗ କରିଥିଲେ ।

nis-ad
Leave A Reply

Your email address will not be published.