ୱେଷ୍ଟଇଣ୍ଡିଜ୍ ଦିନିକିଆ ଲାଗି ଭାରତୀୟ ଦଳ ଘୋଷିତ: ଧାୱନ ଅଧିନାୟକ, ଜାଦେଜା ଉପଅଧିନାୟକ

ମୁମ୍ବାଇ: ୱେଷ୍ଟଇଣ୍ଡିଜ୍ ବିପକ୍ଷ ତିନି ଟିକିଆ ଦିନିକିଆ ଶୃଙ୍ଖଳା ଲାଗି ବୁଧବାର ୧୬ ଜଣିଆ ଭାରତୀୟ ଦଳ ଘୋଷଣା କରାଯାଇଛି। ବାମହାତୀ ଓପ୍‌ନର ଶିଖର ଧାୱନଙ୍କୁ ଦ୍ବିତୀୟ ଥର ଲାଗି ଭାରତୀୟ ଦଳର ଅଧିନାୟକ ନିଯୁକ୍ତ କରାଯାଇଥିଲା ବେଳେ ଅଲରାଉଣ୍ଡର ରବୀନ୍ଦ୍ର ଜାଦେଜା ଉପଅଧିନାୟକ ପଦ ପାଇଛନ୍ତି। ଅନ୍ୟପକ୍ଷରେ ନିୟମିତ ଅଧିନାୟକ ରୋହିତ ଶର୍ମାଙ୍କ ସହ ପୂର୍ବତନ ଅଧିନାୟକ ବିରାଟ କୋହଲି, ଅଲରାଉଣ୍ଡର ହାର୍ଦିକ ପାଣ୍ଡ୍ୟା, ଦ୍ରୁତ ବୋଲର ଯଶପ୍ରୀତ୍‌ ବୁମ୍‌ରା, ମହମ୍ମଦ ସାମି ଏବଂ ୱିକେଟ୍ ରକ୍ଷକ ଋଷଭ ପନ୍ତଙ୍କୁ ଏହି ଶୃଙ୍ଖଳାରୁ ବିଶ୍ରାମ ମିଳିଛି। ଅସ୍ତ୍ରୋପଚାର ପାଇଁ ଓପନର କେଏଲ୍ ରାହୁଲଙ୍କୁ ଚୟନକର୍ତ୍ତା ଏହି ଶୃଙ୍ଖଳା ଲାଗି ବିଚାରକୁ ନେଇନାହାନ୍ତି। ଏହା ପୂର୍ବରୁ ଶ୍ରୀଲଙ୍କା ଗସ୍ତରେ ଧାୱନ ପ୍ରଥମ ଥର ପାଇଁ ଭାରତୀୟ ଦଳର ଅଧିନାୟକ ନିଯୁକ୍ତ ହୋଇଥିଲେ।
ଯୁବ ଓପନର ଶୁବମନ ଗିଲ୍ ଭାରତୀୟ ଦିନିକିଆ ଦଳକୁ ଫେରିଛନ୍ତି। ସେହିଭଳି ୱିକେଟ୍ ରକ୍ଷକ ବ୍ୟାଟର୍ ସଞ୍ଜୁ ସାମସନ୍ ମଧ୍ୟ ବର୍ଷକ ପରେ ଦିନିକିଆ ଦଳରେ ସୁଯୋଗ ପାଇଛନ୍ତି। ସାମସନ୍ ଓ ଈଶାନ କିଶନଙ୍କ ରୂପରେ ଦୁଇ ଜଣ ୱିକେଟ୍‌ରକ୍ଷକ ଦଳରେ ରହିଛନ୍ତି। ଇଂଲଣ୍ଡ ବିପକ୍ଷ ଦିନିକିଆ ଶୃଙ୍ଖଳାରେ ସାମିଲ ଥିବା ବାମହାତୀ ଦ୍ରୁତ ବୋଲର ଅର୍ଶଦୀପ ସିଂହ ନିଜ ସ୍ଥାନ ବଜାୟ ରଖିଥିଲା ବେଳେ ପ୍ରସିଦ୍ଧ କୃଷ୍ଣା, ମହମ୍ମଦ ସିରାଜ, ଶାର୍ଦୁଳ ଠାକୁର, ୟୁଝବେନ୍ଦ୍ର ଚହଲ ବି ଦଳରେ ସ୍ଥାନ ପାଇଛନ୍ତି। ନୂଆ ମୁହଁ ଭାବେ ଋତୁରାଜ ଗାଏକ୍ବାଡ୍ ଓ ଆୱେଶ ଖାନଙ୍କୁ ଡାକରା ମିଳିଛି। ଗତ ଫେବ୍ରୁଆରିରେ ୱେଷ୍ଟଇଣ୍ଡିଜ୍ ବିପକ୍ଷରେ ଦୁଇଟି ଦିନିକିଆ ଖେଳିଥିବା ଦୀପକ ହୁଦାଙ୍କୁ ମଧ୍ୟ ସୁଯୋଗ ମିଳିଛି। ଦ୍ରୁତ ବୋଲର ଦୀପକ ଚହର ଓ କଚଟି ବୋଲର କୁଲଦୀପ ଯାଦବଙ୍କୁ ବିଚାରକୁ ନିଆଯାଇନାହିଁ। ସୂଚନାଯୋଗ୍ୟ ଭାରତୀୟ ଦଳର ୱେଷ୍ଟଇଣ୍ଡିଜ୍ ଗସ୍ତ ଚଳିତ ମାସ ୨୨ ତାରିଖରୁ ଆରମ୍ଭ ହେବ। ଏହି ଗସ୍ତରେ ଭାରତ ମଧ୍ୟ ୫ଟି ଟ୍ବେଣ୍ଟି-୨୦ ମ୍ୟାଚ୍ ଖେଳିବ। ତେବେ ସେଥିଲାଗି ପରବର୍ତ୍ତୀ ପର୍ଯ୍ୟାୟରେ ଭାରତୀୟ ଦଳ ଘୋଷଣା କରାଯିବ।
ଭାରତୀୟ ଦିନିକିଆ ଦଳ: ଶିଖର ଧାୱନ (ଅଧିନାୟକ), ଋତୁରାଜ ଗାଏକ୍ବାଡ୍, ଶୁବମନ ଗିଲ୍, ଦୀପକ ହୁଦା, ସୂର୍ଯ୍ୟକୁମାର ଯାଦବ. ଶ୍ରେୟସ୍ ଆୟର, ଈଶାନ କିଶନ, ସଞ୍ଜୁ ସାମସନ, ରବୀନ୍ଦ୍ର ଜାଦେଜା (ଉପଅଧିନାୟକ), ଶାର୍ଦୁଳ ଠାକୁର, ୟୁଝବେନ୍ଦ୍ର ଚହଲ, ଅକ୍ଷର ପଟେଲ, ଆୱେଶ ଖାନ୍, ପ୍ରସିଦ୍ଧ କୃଷ୍ଣା, ମହମ୍ମଦ ସିରାଜ, ଅର୍ଶଦୀପ ସିଂହ।
ଭାରତ-ୱେଷ୍ଟ୍‌ଇଣ୍ଡିଜ ଶୃଙ୍ଖଳା ସୂଚୀ
ଜୁଲାଇ ୨୨: ପ୍ରଥମ ଦିନିକିଆ, ପୋର୍ଟ ଅଫ୍‌ ସ୍ପେନ୍‌, ରାତି ୭.୦୦
ଜୁଲାଇ ୨୪: ଦ୍ବିତୀୟ ଦିନିକିଆ, ପୋର୍ଟ ଅଫ୍‌ ସ୍ପେନ୍‌, ରାତି ୭.୦୦
ଜୁଲାଇ ୨୭: ତୃତୀୟ ଦିନିକିଆ, ପୋର୍ଟ ଅଫ୍‌ ସ୍ପେନ୍‌, ରାତି ୭.୦୦
ଜୁଲାଇ ୨୯: ପ୍ରଥମ ଟ୍ବେଣ୍ଟି-୨୦, ତରୌବା, ରାତି ୮.୦୦
ଅଗଷ୍ଟ ୧: ଦ୍ବିତୀୟ ଟ୍ବେଣ୍ଟି-୨୦, ବାସେଟେରେ, ରାତି ୮.୦୦
ଅଗଷ୍ଟ ୨: ତୃତୀୟ ଟ୍ବେଣ୍ଟି-୨୦, ବାସେଟେରେ, ରାତି ୮.୦୦
ଅଗଷ୍ଟ ୬: ଚତୁର୍ଥ ଟ୍ବେଣ୍ଟି-୨୦, ଲଡରହିଲ୍‌, ରାତି ୮.୦୦
ଅଗଷ୍ଟ ୭: ପଞ୍ଚମ ଟ୍ବେଣ୍ଟି-୨୦, ଲଡରହିଲ୍‌, ରାତି ୮.୦୦

nis-ad
Leave A Reply

Your email address will not be published.