ଚାକିରୀ ଦେବା ନାଁରେ ୧କୋଟିରୁ ଊର୍ଦ୍ଧ୍ୱ ଠକେଇ: ଦୁଇଠକଙ୍କ ବିରୋଧରେ ଲୁକ୍‌ଆଉଟ୍ ସର୍କୁଲାର ଜାରି

ଭୁବନେଶ୍ୱର : କ୍ରାଇମବ୍ରାଞ୍ଚର ଇଓଡବ୍ଲ୍ୟୁ(ଅର୍ଥନୈତିକ ଅପରାଧ ଶାଖା) ଆଖିରେ ଧୂଳିଦେଇ ଦୀର୍ଘଦିନ ହେବ ଲୁଚିଥିବା ଦୁଇ ଠକଙ୍କ ବିରୋଧରେ ଲୁକ୍‌ଆଉଟ୍ ସର୍କୁଲାର ଜାରି ହୋଇଛି । ମଙ୍ଗଳବାର ଇଓଡବ୍ଲ୍ୟୁ ପକ୍ଷରୁ ଏହି ସର୍କୁଲାର ଜାରି ହେବା ନେଇ ସୂଚନା ଦିଆଯାଇଛି । ଫେରାର୍ ଅଭିଯୁକ୍ତଦ୍ୱୟ ହେଲେ ଗଞ୍ଜାମ ଜିଲା ଭଞ୍ଜନଗର ଥାନା ଅଞ୍ଚଳର ଭିକୁ ବିଶୋଇ ଓ ଚେନ୍ନାଇର ମନିକନ୍ଦନ ।

ଏମାନେ ‘କିନ୍ନି ଇନ୍‌ଫୋଟେକ ପ୍ରାଇଭେଟ୍ ଲିମିଟେଡ୍‌’ର ଦୁଇ ନିର୍ଦ୍ଦେଶକ ଅଟନ୍ତି । ଅଭିଯୁକ୍ତଦ୍ୱୟ ଦେଶ ଛାଡ଼ି ପଳାଇଯିବାର ଆଶଙ୍କା ଥିବାରୁ ଇଓଡବ୍ଲ୍ୟୁ କେନ୍ଦ୍ର ସରକାରଙ୍କ ବ୍ୟୁରୋ ଅଫ୍ ଇମିଗ୍ରେସନ୍ (ବିଓଆଇ)ର ସହାୟତା ଲୋଡ଼ିଛି ।

ଇଓଡବ୍ଲ୍ୟୁର ଅନୁରୋଧକ୍ରମେ ବିଓଆଇ ପକ୍ଷରୁ ଦେଶର ସମସ୍ତ ବିମାନବନ୍ଦର ଓ ସମୁଦ୍ର ବନ୍ଦର ସମେତ ଅନ୍ୟାନ୍ୟ ଚେକ୍ ପୋଷ୍ଟରେ ଆଲର୍ଟ କରିଦିଆଯାଇଛି । ଅନ୍ୟପକ୍ଷେ ଅଭିଯୁକ୍ତଦ୍ୱୟ ମ୍ୟାଲେସିଆରେ ଲୁଟିଥିବା ଇଓଡବ୍ଲ୍ୟୁ ସନ୍ଦେହ କରୁଛି । ଏଥିସହ ଏମାନଙ୍କ ସମ୍ପର୍କରେ ସୂଚନା ଦେବାକୁ ଜନସାଧାରଣଙ୍କ ପାଇଁ ଇଓଡବ୍ଲ୍ୟୁ ଏକ ମୋବାଇଲ ନମ୍ବର(୯୪୩୯୨୧୬୪୫୧) ଜାରି କରିଛି । ଯିଏ ଏମାନଙ୍କ ସମ୍ପର୍କରେ ସୂଚନା ଦେବେ ତାଙ୍କୁ ଉପଯୁକ୍ତ ପୂରସ୍କାର ଦିଆଯିବ । ଏହାସହ ସମ୍ପୃକ୍ତ ବ୍ୟକ୍ତିଙ୍କ ନାମ ଓ ଠିକଣା ଗୋପନ ରଖାଯିବ ବୋଲି କୁହାଯାଇଛି । ସୂଚନା ଅନୁଯାୟୀ, ଅଭିଯୁକ୍ତଦ୍ୱୟ ‘କିନ୍ନି ଇନ୍‌ଫୋଟେକ୍ ପ୍ରାଇଭେଟ୍ ଲିମିଟେଡ୍‌’ ବ୍ୟତୀତ ଅନ୍ୟ ୭ଟି କମ୍ପାନୀର ନିର୍ଦ୍ଦେଶକ ଅଛନ୍ତି । ସେମାନେ ୨୦୨୧ମସିହାରୁ ଭଞ୍ଜନଗରରେ ଅଫିସ ଖୋଲି କିଛି ଏଜେଣ୍ଟଙ୍କୁ ନିଯୁକ୍ତି ଦେଇଥିଲେ ।

ଏଜେଣ୍ଟଙ୍କ ଦ୍ୱାରା କିଛି ଚାକିରୀ ଆଶାୟୀଙ୍କୁ ଯୋଗାଡ଼ କରିଥିଲେ । ଆଶାୟୀମାନଙ୍କୁ ଅନଲାଇନ୍ ପ୍ରୋଜେକ୍ଟ ଦେବା ଆଳରେ ଚାକିରୀ ଯୋଗାଇଥିଲେ । ଘରେ ବସି କାମ କରି ଟଙ୍କା ରୋଜଗାରର ସ୍ୱପ୍ନ ଦେଖାଇଥିଲେ । ସେମାନଙ୍କଠୁ ଲକ୍ଷାଧିକ ଟଙ୍କା ଆଣି ଏହାର ବହୁଗୁଣ ଦେବାକୁ କହିଥିଲେ । ହେଲେ ପରବର୍ତ୍ତୀ ସମୟରେ ଠକେଇ କରି ଫେରାର ହୋଇଯାଇଥିଲେ । ଏନେଇ ମନୋଜ କୁମାର ବରାଳ ନାମକ ଜଣେ ବ୍ୟକ୍ତି ଭଞ୍ଜନଗର ଥାନାରେ ଅଭିଯୋଗ କରିଥିଲେ ।

ଏହି ଘଟଣାରେ ଗଞ୍ଜାମ ଜିଲା ଭଞ୍ଜନଗର ଥାନା ପୋଲିସ ଜାନୁୟାରୀ ୧୫ରେ ଏକ ମାମଲା ରୁଜୁ କରିଥିଲା । ପରେ କମ୍ପାନୀର ୪ଜଣ ଏଜେଣ୍ଟ ରାଜେନ୍ଦ୍ର କୁମାର ଗୌଡ଼, ରାଜେଶ କୁମାର ଭୋଳ, ଚିନ୍ମୟ କୁମାର ଦାଶ ଓ ପ୍ରଭାତ କୁମାର ଦାଶଙ୍କୁ ଗିରଫ କରିଥିଲା । ହେଲେ ଠକେଇ ଘଟଣାରେ ମାଷ୍ଟରମାଇଣ୍ଡ ଥିବା ଭିକୁ ଓ ମନିକନ୍ଦନ ଫେରାର ହୋଇଯାଇଥିଲେ । ପରେ ଏକାଧିକ ଠକେଇ ଅଭିଯୋଗକ୍ରମେ ଏପ୍ରିଲ ୨୭ରେ ଇଓଡବ୍ଲ୍ୟୁ ଘଟଣାର ତଦନ୍ତ ଭାର ନେଇ ଏକ ମାମଲା ରୁଜୁ କରିଥିଲା । ସେପଟେ ଭଞ୍ଜନଗର ଏସ୍‌ଡିଜିଏମ୍ କୋର୍ଟ ମଧ୍ୟ ଫେରାର ଥିବା ଅଭିଯୁକ୍ତଦ୍ୱୟଙ୍କ ବିରୋଧରେ ଗିରଫ ବିହୀନ ଜାମିନ ପରୱାନା ଜାରି କରିଛନ୍ତି । ତେବେ ୧୦୦ରୁ ଉର୍ଦ୍ଧ୍ୱ ଆଶାୟୀଙ୍କ ଠାରୁ ଅଭିଯୁକ୍ତଦ୍ୱୟ ୧ କୋଟିରୁ ଉର୍ଦ୍ଧ୍ୱ ଟଙ୍କା ଠକି ଫେରାର୍ ହୋଇଯାଇଥିବା ଇଓଡବ୍ଲ୍ୟୁ ଜାଣିବାକୁ ପାଇଛି ।

nis-ad
Leave A Reply

Your email address will not be published.