ବିଜୟ ଆଶା ଛଡ଼ାଇ ନେଲା ଇଂଲଣ୍ଡ, ସିରିଜ୍‌ ୨-୨ରେ ଡ୍ର

ବର୍ମିଂହାମ: ଭାରତ ଠାରୁ ବିଜୟ ଆଶା ଛଡ଼ାଇ ନେଇଛି ଇଂଲଣ୍ଡ ଟିମ୍। ବର୍ମିଂହାମର ଏଜବାଷ୍ଟନରେ ଖେଳାଯାଉଥିବା ପଞ୍ଚମ ଟେଷ୍ଟକୁ ଆଜି ୭ ୱିକେଟକୁ ଜିତି ନେଇଛି ଇଂଲଣ୍ଡ ଟିମ୍। ପ୍ରଥମ ପାଳିରେ ଭଲ ଖେଳ ଦେଖାଇଥିଲେ ହେଁ ଦ୍ୱିତୀୟ ପାଳିରେ ନୈରାସ୍ୟଜନକ ଖେଳ ପ୍ରଦର୍ଶନ କରିବା ଭାରତୀୟ କ୍ରିକେଟ ଟିମ୍ ପରାଜୟର କାରଣ ହୋଇଛି। ଅଲ ରାଉଣ୍ଡର ଜନି ବେୟାରଷ୍ଟୋ ଦୁଇଟି ଇନିଂସରେ କ୍ରମାଗତ ଶତକିୟ ପାରି ଖେଳିବା ଓ ଦ୍ୱିତୀୟ ପାଳିରେ ଜୋ ରୁଟ୍‌ଙ୍କ ଶତକୀୟ ଇନିଂସ୍ ଇଂଲଣ୍ଡ କ୍ରିକେଟ ଟିମ୍‌କୁ ବିଜୟ ହାସଲରେ ସହଯୋଗ କରିଥିଲା।
ସୂଚନା ଥାଉକି, ପ୍ରଥମ ଇନିଂସ୍‌ରେ ଲଢ଼ୁଆ ଖେଳ ଦେଖାଇ ଭାରତୀୟ ଟିମ୍ ୪୧୬ ରନ୍‌ କରିଥିଲେ। ଋଷଭ ପନ୍ତ ଓ ରବୀନ୍ଦ୍ର ଜାଡେଜାଙ୍କ ଶତକୀୟ ପାରି ଭାରତୀୟ ଟିମ୍‌କୁ ଏକ ସମ୍ମାନଜନକ ସ୍କୋର କରିବାରେ ସହଯୋଗ କରିଥିଲା। ଦୁହେଁ ଯଥାକ୍ରମେ ୧୪୫ ଓ ୧୦୪ ରନ କରିଥିଲେ। ଏହାର ପିଛା କରି ଇଂଲଣ୍ଡ ମାତ୍ର ୨୮୪ ରନ୍‌ରେ ଅଲ୍‌ଆଉଟ୍ ହୋଇଥିଲା। ଯାହା ଭିତରେ ଜନି ବେୟାରଷ୍ଟୋଙ୍କ ଶତକୀୟ ସ୍କୋର ରହିଥିଲା। ସେ ୧୦୫ ରନ କରିଥିଲେ। ଦ୍ୱିତୀୟ ପାଳିରେ ଭାରତୀୟ ଟିମ୍ ସମସ୍ତ ୱିକେଟ ହରାଇ ମାତ୍ର ୨୪୫ ରନ୍‌ କରିପାରିଥିଲା। ଯାହାଭିତରେ ପନ୍ତ ଓ ପୂଜାରାଙ୍କ ଅର୍ଧଶତକ ରହିଥିଲା। ଦୁହେଁ ଯଥାକ୍ରମେ ୫୭ ଓ ୬୬ ରନ୍ କରିଥିଲେ।
ଦ୍ୱିତୀୟ ପାଳିରେ ୩୭୮ ରନ୍‌ ବିଜୟ ଲକ୍ଷ୍ୟର ପିଛା କରି ଇଂଲଣ୍ଡ ଟିମ୍ ଖୁବ୍ ସହଜରେ ଏହାକୁ ହାସଲ କରିନେଇଥିଲା। ଯାହା ଭିତରେ ଜୋ ରୁଟ୍‌ଙ୍କ ଅପରାଜିତ ୧୪୨ ରନ୍‌ ଓ ଜୋ ବେୟାରଷ୍ଟୋଙ୍କ ଅପରାଜିତ ୧୧୪ ରନ୍ ପାରି ରହିଥିଲା। ଦୁହିଁଙ୍କ ଭିତରେ ଅପରାଜିତ ୨୬୯ ରନ୍‌ର ଭାଗିଦାରୀ ହୋଇଥିଲା। ଏହାଛଡ଼ା ଆଲେକ୍ସ ଲିସ୍‌ଙ୍କ ୫୬ ରନ୍‌ ଓ ଜାକ୍‌ କ୍ରାଓଲେ ୪୬ ରନ୍‌ଙ୍କ ଯୋଗଦାନ ଟିମ୍‌ର ବିଜୟରେ ଖୁବ୍ ସହଯୋଗ କରିଥିଲା। ଫଳରେ ଖୁବ୍ ସହଜରେ ୩୭୮ ରନ୍‌ ବିଜୟ ଲକ୍ଷ୍ୟ ହାସଲ କରି ନେଇଥିଲା ଇଂଲଣ୍ଡ ଦଳ। ଦ୍ୱିତୀୟ ପାଳିରେ ଭାରତୀୟ ବୋଲିଂ ଇଂଲଣ୍ଡର ଖେଳାଳିଙ୍କ ଆଗରେ ପ୍ରଭାବହୀନ ରହିଥିଲା।
ଫଳରେ ଭାରତୀୟ ଦଳର ବିଜୟ ଆଶା ଧୂଳିସାତ୍ ହୋଇଛି। ଦ୍ୱିତୀୟ ପାଳିରେ ଖରାପ ବୋଲିଂ ଭାରତୀୟ ଦଳ ପରାଜୟର ମୁଖ୍ୟ କାରଣ ହୋଇଛି। ଫଳରେ ସିରିଜ୍‌ ୨-୨ରେ ବରାବର ହୋଇଛି।

nis-ad
Leave A Reply

Your email address will not be published.