ଖରାପ ପାଗ ଯୋଗୁ ସ୍ଥଗିତ ହେଲା ଅମରନାଥ ଯାତ୍ରା

ନୂଆଦିଲ୍ଲୀ: ଖରାପ ପାଗ ଯୋଗୁଁ ଅମରନାଥ ଯାତ୍ରାକୁ ସାମୟିକ ଭାବେ ସ୍ଥଗିତ ରଖାଯାଇଛି। ଅଧିକାରୀମାନେ କହିଛନ୍ତି ଯେ ବର୍ତ୍ତମାନ ପର୍ଯ୍ୟନ୍ତ ଉଭୟ ପହଲଗାମ ଏବଂ ବାଲଟାଲ ତରଫରୁ ପବିତ୍ର ଗୁମ୍ଫା ଅଭିମୁଖେ ଆଗକୁ ବଢ଼ୁଥିବା ଯାତ୍ରୀଙ୍କ ଯାତ୍ରାକୁ ବନ୍ଦ କରି ଦିଆଯାଇଛି। ବର୍ଷା ଏବଂ ପ୍ରତିକୂଳ ପାଗ ଯୋଗୁଁ ଏହି ନିଷ୍ପତ୍ତି ନିଆଯାଇଛି। ପାଗ ଭଲ ହେବା ମାତ୍ରେ ଯାତ୍ରା ଆରମ୍ଭ ହେବ । ଏପର୍ଯ୍ୟନ୍ତ ପ୍ରାୟ ୬୫ ହଜାର ଭକ୍ତ ପବିତ୍ର ଗୁମ୍ଫା ପରିଦର୍ଶନ କରି ସାରିଥିବା କହିଛନ୍ତି ଅଧିକାରୀ।
ଆଜି ପୂର୍ବାହ୍ନରେ, ୬୩୦୦ ରୁ ଅଧିକ ଅମରନାଥ ତୀର୍ଥଯାତ୍ରୀଙ୍କ ଷଷ୍ଠ ବ୍ୟାଚ କଡା ସୁରକ୍ଷା ମଧ୍ୟରେ ନିଜ ଯାତ୍ରା ଆରମ୍ଭ କରିଥିଲେ। ସିଆରପିଏଫର କଡ଼ା ସୁରକ୍ଷା ମଧ୍ୟରେ ଭଗବତୀ ଯାତ୍ରୀ ନିବାସରୁ ୨୩୯ଟି ଗାଡ଼ିରେ ସେମାନେ ଅମରନାଥ ଗୁମ୍ଫା ଅଭିମୁଖେ ବାହାରିଥିଲେ । ମାତ୍ର ସେମାନଙ୍କ ଯାତ୍ରାକୁ ଅଧାରେ ଅଟକାଇ ଦିଆଯାଇଛି।
ଜମ୍ମୁ କାଶ୍ମୀରର ଲେଫ୍ଟନାଣ୍ଟ ଗଭର୍ଣ୍ଣର ମନୋଜ ସିହ୍ନା ସୋମବାର ଅମରନାଥ ଯାତ୍ରା ପାଇଁ ସ୍ଥାପିତ ବାଲଟାଲ ବେସ୍‌ କ୍ୟାମ୍ପ ପରିଦର୍ଶନ କରି ସେଠାରେ ଥିବା ବ୍ୟବସ୍ଥାକୁ ଅନୁଧ୍ୟାନ କରିଥିଲେ। ଏଥିସହ ବାଲଟାଲ ବେସ୍‌ କ୍ୟାମ୍ପରେ ମିଳୁଥିବା ସୁବିଧା, ସେବା ଗୁଣବତ୍ତା ଆଦି ବିଷୟରେ ଯାଞ୍ଚ କରିଥିଲେ ।
ପାକିସ୍ତାନରୁ ବୋମା ଚୋରା ଚାଲାଣ ହୋଇଥିବା ଖବର ପ୍ରଚାରିତ ହେବା ପରେ ଏହା ଏକ ଭୟଙ୍କର ବିପଦ ବୋଲି କହିଛନ୍ତି ଜମ୍ମୁ କଶ୍ମୀରର ମହାନିର୍ଦ୍ଦେଶକ ଦିଲବାଗ ସିଂ । କିନ୍ତୁ ଅମରନାଥ ଯାତ୍ରା ପାଇଁ ପର୍ଯ୍ୟାପ୍ତ ସୁରକ୍ଷା ବ୍ୟବସ୍ଥା କରାଯାଇଥିବାରୁ ଭୟଭୀତ ହେବାର କିଛି ନାହିଁ ବୋଲି ସେ କହିଛନ୍ତି । ସୀମା ପାର୍ଶ୍ୱରେ ପ୍ରାୟ ୧୫୦ ଆତଙ୍କବାଦୀ ଉପସ୍ଥିତ ଅଛନ୍ତି, କିନ୍ତୁ ସୁରକ୍ଷା ବାହିନୀ ସମ୍ପୂର୍ଣ୍ଣ ସତର୍କ ଅଛନ୍ତି। କଶ୍ମୀର ଉପତ୍ୟାକାରେ ପ୍ରବେଶ କରିବାକୁ ଆତଙ୍କବାଦୀଙ୍କ ଯୋଜନାକୁ ବିଫଳ କରି ଦିଆଯାଇଥିବା ସେ କହିଛନ୍ତି।
ପ୍ରାୟ ୨ ବର୍ଷର ବ୍ୟବଧାନ ପରେ ଚଳିତ ବର୍ଷ ଜୁନ୍‌ ୩୦ ତାରିଖରୁ ଅମରନାଥ ଯାତ୍ରା ଆରମ୍ଭ ହୋଇଛି। ପ୍ରତି ବର୍ଷ ୪୩ ଦିନ ପର୍ଯ୍ୟନ୍ତ ତୀର୍ଥ ଯାତ୍ରୀମାନେ ଅମରନାଥ ଗୁମ୍ଫା ଅଭିମୁଖେ ଯାତ୍ରା କରନ୍ତି। ଚଳିତ ବର୍ଷ ଏହି ଯାତ୍ରା ଆସନ୍ତା ଅଗଷ୍ଟ ୧୧ରେ ରାଧା ବୃନ୍ଦାବନ ଅବସରରେ ଶେଷ ହେବାର କାର୍ଯ୍ୟକ୍ରମ ରହିଛି। ହେଲେ ଏବେ ଯାତ୍ରାକୁ ସାମୟିକ ଭାବେ ବନ୍ଦ କରାଯାଇଥିବାରୁ ଯାତ୍ରୀମାନେ ନିରାଶ ହୋଇପଡ଼ିଛନ୍ତି ।

nis-ad
Leave A Reply

Your email address will not be published.