ଉଦ୍ଧବଙ୍କ ଖୋଲା ଚ୍ୟାଲେଞ୍ଜ, ଯଦି ସାହସ ଅଛି ତେବେ ନିର୍ବାଚନ ଲଢ଼

ମୁମ୍ବାଇ: ମହାରାଷ୍ଟ୍ରକୁ ନୂଆ ମୁଖ୍ୟମନ୍ତ୍ରୀ ମିଳିବା ପରେ ବି ସରିନି ରାଜନୀତି। ଏକନାଥ ସିନ୍ଦେ ବିଜେପି ସହ ମିଶି ମହାରାଷ୍ଟ୍ରରେ ସରକାର ଗଠନ କରିଛନ୍ତି। ତେବେ ମୁଖ୍ୟମନ୍ତ୍ରୀ ଆସନ ହାତରୁ ଚାଲିଗଲା ପରେ ଜ୍ୱର ବାୟାରେ ତାଟିଆ କାମୁଡା ଭଳି ହେଉଛନ୍ତି ଶିବସେନା ନେତା ଉଦ୍ଧବ ଠାକରେ। ଶିବସେନା ବୈଠକରେ ଆଜି ବିଜେପି ଉପରେ ଜୋରଦାର ବର୍ଷିଛନ୍ତି ଉଦ୍ଧବ।
ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ଶିବସେନା ମୁଖ୍ୟ ଉଦ୍ଧବ ଠାକରେ ସାଂଘାତିକ ଅଭିଯୋଗ ଆଣିବା ସହ କହିଛନ୍ତି ଯେ, ଶିବସେନାକୁ ଶେଷ କରିଦେବାକୁ ବିଜେପି ଚାହୁଁଥିବା ସେ କହିଛନ୍ତି। ଜିଲ୍ଲା ସଭାପତିଙ୍କ ସହ ବୈଠକ କରି କିଛି ଏଭଳି କହିଛନ୍ତି ଉଦ୍ଧବ । ଶିବସେନାକୁ ଆହୁରି ସୁଦୃଢ କରିବାକୁ ଜିଲ୍ଲା ସଭାପତି ମାନଙ୍କୁ ଆହ୍ୱାନ ଦେଇଛନ୍ତି ଉଦ୍ଧବ ଠାକରେ। ଏହାସହ ଯଦି ସାହସ ଅଛି ତେବେ ନିର୍ବାଚନ ଲଢିକି ଦେଖାନ୍ତୁ ବୋଲି ଉଦ୍ଧବ ଉଭୟ ବିଜେପି ଓ ସିନ୍ଦେ ଗୋଷ୍ଠୀକୁ ଚ୍ୟାଲେଞ୍ଜ ଦେଇ କହିଛନ୍ତି।
ଗୋଟିଏ ପଟେ ସିନ୍ଦେଙ୍କ ଗୋଷ୍ଠୀ ଲଗାତାର ନିଜର ଶକ୍ତି ବୃଦ୍ଧି କରୁଥିବା ବେଳେ ଅନ୍ୟପଟେ ଜିଲ୍ଲା ସଭାପତିମାନଙ୍କ ସହ ବୈଠକ କରି ଏବେ ବି ଶିବସୈନିକ ତାଙ୍କ ସହ ଥିବା ନେଇ ସଂକେତ ଦେଇଛନ୍ତି। ଏହି ବୈଠକରେ ଉଦ୍ଧବ କହିଛନ୍ତି ଏଭଳି ରାଜନୈତିକ ଖେଳ ଖେଳିବା ଅପେକ୍ଷା ସାଧାରଣ ଲୋକଙ୍କ ପାଖକୁ ଯାଅ। ଯଦି ଆମେ ଭୁଲ ଥିବୁ ତେବେ ଲୋକ ଆମକୁ ଘରେ ବସାଇଦେବେ ଯଦି ତୁମେ ଭୁଲ ଥିବ ତେବେ ତୁମର ମଧ୍ୟ ସମାନ ଅବସ୍ଥା କରିବେ। ଏହାସହ ଜିଲ୍ଲାଧ୍ୟକ୍ଷଙ୍କୁ ଉଦ୍ଧବ କହିଛନ୍ତି, ଯଦି ଲଢିବାର ଅଛି ତେବେ ମୋ ସହ ରୁହ। ବିଧାନସଭାକୁ ମନଇଚ୍ଛା ଢ଼ଙ୍ଗରେ ଚଳାଇବା ସମ୍ବିଧାନର ଅପମାନ।
ଡଃ ବାବାସାହେବ ଆମ୍ବେଦକରଙ୍କ ସମ୍ବିଧାନକୁ ଭାଙ୍ଗିବା ପାଇଁ ଚେଷ୍ଟା କରାଯାଉଥିବା ଉଦ୍ଧବ ଅଭିଯୋଗ କରିଛନ୍ତି। ବିଧାନସଭାରେ ମନମୁତାବକ ଆଚରଣ ଅର୍ଥ ସମ୍ବିଧାନର ଅପମାନ। ରାଜ୍ୟରେ ସମ୍ବିଧାନର ମାନଦଣ୍ଡକୁ ସଠିକ୍‌ ରୂପେ ପାଳନ କରାଯାଉଛି ନା ନାହିଁ ତା’ ଉପରେ ଦୃଷ୍ଟି ଦେବାକୁ ବିଶେଷଜ୍ଞମାନଙ୍କୁ ଉଦ୍ଧବ ନିବେଦନ କରିଛନ୍ତି।
ଉଲ୍ଲେଖଯୋଗ୍ୟ, ଗତ ମାସରେ ଶିବସେନାର ୩୯ରୁ ଅଧିକ ବିଧାୟକ ଉଦ୍ଧବ ଠାକରେଙ୍କ ହାତ ଛାଡି ଏକନାଥ ସିନ୍ଦେଙ୍କ ଗୋଷ୍ଠୀରେ ସାମିଲ ହୋଇଥିଲେ। ଏଥିଯୋଗୁ ଉଦ୍ଧବ ଠାକରେଙ୍କ ନେତୃତ୍ୱାଧୀନ ମହା ବିକାଶ ଅଘାଡି ସରକାରର ପତନ ଘଟିଥିଲା। ଏହାପରେ ଉଦ୍ଧବ ସରକାର ନିଜ ପଦରୁ ଇସ୍ତଫା ଦେବାର ଦିନକ ପରେ ଏକାନାଥ ସିନ୍ଦେ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇଥିଲେ। ସେ ବିଜେପି ସହ ମିଶି ମହାରାଷ୍ଟ୍ରରେ ସରକାର ଗଠନ କରିଛନ୍ତି।

nis-ad
Leave A Reply

Your email address will not be published.