ଆଗ ଗୋଡ଼ ଛୁଇଁଲେ, ପରେ ବାସ୍ତୁବିତ୍‌ଙ୍କୁ ଛୁରୀ ଭୁସିଲେ

ବେଙ୍ଗାଲୁରୁ: ଦେଶରେ ଲଗାତର ବୃଦ୍ଧି ପାଇବାରେ ଲାଗିଛି ହତ୍ୟା ଘଟଣା। ରାଜସ୍ଥାନର ଉଦୟପୁର ଓ ମହାରାଷ୍ଟ୍ରର ଅମରାବତୀ ପରେ ଏବେ କର୍ଣ୍ଣାଟକର ବେଙ୍ଗାଲୁରୁରେ ବି ଜଘନ୍ୟ ହତ୍ୟାକାଣ୍ଡ ଘଟିଛି। ସହର ଫେମସ୍‌ ବାସ୍ତୁବିତ୍‌ ତଥା ‘ସରଳ ବାସ୍ତୁ’ ଫେମ୍‌ ଚନ୍ଦ୍ରଶେଖରଙ୍କୁ ହତ୍ୟା କରାଯାଇଛି। କର୍ଣ୍ଣାଟକର ହୁବଳି ସ୍ଥିତ ଏକ ହୋଟେଲରେ ତାଙ୍କୁ ଛୁରୀ ଭୁସି ହତ୍ୟା କରାଯାଇଥିବା ଜଣାପଡିଛି। ଏହି ହତ୍ୟାକାଣ୍ଡର ସିସିଟିଭି ଫୁଟେଜ ଏବେ ସାମ୍ନାକୁ ଆସିଛି। ସିସିଟିଭି ଫୁଟେଜ ଆଧାରରେ ହତ୍ୟାକାରୀଙ୍କ ଚେହେରା ସାମ୍ନାକୁ ଆସିଛି।
ପୁଲିସ ସୂଚନା ମୁତାବକ, ‘ସରଳ ବାସ୍ତୁ’ର ପ୍ରତିଷ୍ଠାତା ଚନ୍ଦ୍ରଶେଖର ଗୁରୁଜୀ ବେଙ୍ଗାଲୁରୁର ପ୍ରେସିଡେନ୍ସି ହୋଟେଲକୁ ଯାଇଥିବାବେଳେ ତାଙ୍କୁ କେତେକ ବ୍ୟକ୍ତି ପ୍ରଥମେ ଅଟକାଇ ତାଙ୍କ ଗୋଡ ଛୁଇଁଥିଲେ। ପରେ ତାଙ୍କୁ ଛୁରୀ ଭୁସି ହତ୍ୟା କରିଥିଲେ। ହୋଟେଲର ରିସିପସନରେ ତାଙ୍କୁ ଅତ୍ୟନ୍ତ ନିର୍ମମଭାବେ ୫୦ରୁ ଅଧିକ ଥର ଛୁରିରେ ଆକ୍ରମଣ କରି ହତ୍ୟା କରାଯାଇଛି। ଏହାପରେ ଘଟଣାସ୍ଥଳରେ ଅଭିଯୁକ୍ତମାନେ ଫେରାର ହୋଇଯାଇଛନ୍ତି। ଏହି ଘଟଣା ହୋଟେଲର ସିସିଟିଭିରେ କଏଦ ହୋଇଛି। ଯେତେବେଳେ ଏହି ହତ୍ୟାକାଣ୍ଡ ଘଟିଥିଲା ସେତେବେଳେ ହୋଟେଲ ରିସେପ୍‌ସନରେ ଉପସ୍ଥିତ ଥିବା ଲୋକମାନେ ଭୟରେ ଏଣେତେଣେ ପଳାଇ ଯାଇଥିଲେ।
ଖବର ପାଇ ପୁଲିସ ଘଟଣାସ୍ଥଳରେ ପହଞ୍ଚିବା ସହ ଅପରାଧୀମାନଙ୍କୁ ଧରିବାକୁ ଉଦ୍ୟମ ଆରମ୍ଭ କରିଛି । କେଉଁ କାରଣରୁ ଏହି ହତ୍ୟାକାଣ୍ଡ ଘଟିଛି, କାହିଁକି ଓ କିଏ ବାସ୍ତୁବିତ୍‌ଙ୍କୁ ହତ୍ୟା କରିଛନ୍ତି ତାହା ଏଯାଏଁ ଜଣାପଡ଼ିନାହିଁ । ତେବେ ନୂପୁର ଶର୍ମା ମାମଲା ସହ ଏହାର କୌଣସି ସମ୍ପର୍କ ଥିବା ମଧ୍ୟ ସ୍ପଷ୍ଟ ହୋଇନାହିଁ। ଅଭିଯୁକ୍ତଙ୍କୁ ଧରିବା ପାଇଁ ପୁଲିସ ଜୋରଦାର ସର୍ଚ୍ଚ ଅପରେସନ୍‌ ଆରମ୍ଭ କରିଛି। ଏହି ହତ୍ୟାକାରୀମାନେ କିଏ ତାଙ୍କ ପରିଚୟ କ’ଣ ସେ ନେଇ ପୁଲିସ ତଦନ୍ତ ଜାରି ରଖିଛି।
କର୍ଣ୍ଣାଟକର ହୁବୁଳିଠାରେ ଥିବା ଗୁରୁଜୀଙ୍କ ପରିବାରର ଜଣେ ଶିଶୁର ମୃତ୍ୟୁ ହେବା ପରେ ତାହାର ଅନ୍ତ୍ୟେଷ୍ଟିକ୍ରିୟାରେ ସାମିଲ ହେବାକୁ ସେ ମୁମ୍ବାଇରୁ ଆସିଥିଲେ।
ପୁଲିସ ମୁତାବକ, ବାଗଲକୋଟରେ ରହୁଥିବା ବାସ୍ତୁ ବିଶେଷଜ୍ଞ ଚନ୍ଦ୍ରଶେଖର ପ୍ରଥମେ ଜଣେ ଠିକାଦାର ରୂପେ ନିଜ କ୍ୟାରିଅର ଆରମ୍ଭ କରିଥିଲେ। ପରେ ତାଙ୍କୁ ମୁମ୍ବାଇରେ ଚାକିରି ମିଳିଥିଲା। ଏହାପରେ ସେ ମୁମ୍ବାଇରେ ହିଁ ଘରଦ୍ୱାର କିଣି ସେଠାକାର ବାସିନ୍ଦା ହୋଇଯାଇଥିଲେ। ପରେ ସେ ଠିକାଦର କାମ ଛାଡି ବାସ୍ତୁ ବ୍ୟବସାୟରେ ନିଜ କ୍ୟାରିଅର ଆରମ୍ଭ କରିଥିଲେ।

nis-ad
Leave A Reply

Your email address will not be published.