ଆମ ଝିଅ ତୁମ ଝିଅ ଭଳି ନୁହଁନ୍ତି – IIC ବିଶ୍ଵାଳ


ଭୁବନେଶ୍ୱର (୦୪/୦୭) : ବି.ଜେ.ବି. ହଷ୍ଟେଲ ପରିସରରେ ଯୁକ୍ତ୩ ପ୍ରଥମ ବର୍ଷ ଛାତ୍ରୀ ରୁଚିକାଙ୍କ ଫାଶୀ ଘଟଣାରେ ପରିବାର ଲୋକଙ୍କ ତରଫରୁ ସଙ୍ଗୀନ ଅଭିଯୋଗ ସାମ୍ନାକୁ ଆସିଛି । ଆଜି ବିଳମ୍ବିତ ରାତ୍ରି ପ୍ରାୟ ୧୦.୩୦ ସମୟରେ ଏସିପି,ଡିସିପି ଏବଂ ଅତିରିକ୍ତ ଡିସିପି ତଥା ସ୍ଥାନୀୟ IIC ଙ୍କ ସହ ଏକ ଟିମ୍ ଘଟଣା ସ୍ଥଳକୁ ମୃତକଙ୍କ ପରିବାର ସହ ଆଲୋଚନା କରିବା ନିମନ୍ତେ ପହଞ୍ଚିଥିଲେ । ତେବେ ଦୀର୍ଘ ସମୟ ଧରି ନ୍ୟାୟ ନିମନ୍ତେ ଧାରଣାରତ ଆନ୍ଦୋଳନକାରୀଙ୍କ ମଧ୍ୟରୁ ହଠାତ୍ ରୁଚିକାଙ୍କ ମାଆ କ୍ଷୋଭ ପୂର୍ବକ ପ୍ରକାଶ କରିଛନ୍ତି ଯେ ପୋଲିସ୍ ପ୍ରଶାସନ ତଦନ୍ତ ନାଆଁ ରେ ଅପରାଧୀ ମାନଙ୍କ ସହ ହାତ ମିଳେଇ ସରକାର ତଥା ଶିକ୍ଷାନୁଷ୍ଠାନ ପ୍ରଶାସନକୁ ଘଣ୍ଟ ଘୋଡାଇବାକୁ ହୀନ ପ୍ରୟାସ କରୁଛି । ଏହି ପରିପ୍ରେକ୍ଷୀରେ ପରିବାର ପକ୍ଷରୁ ଗତକାଲି ସାମ୍ନାକୁ ଆସିଥିବା ଘଟଣାରେ ପ୍ରାଥମିକ ତଦନ୍ତ ସମୟରେ ଯେତେବେଳେ ମୃତକଙ୍କ ପରିବାରର ଜନୈକ ସମ୍ପର୍କୀୟ ଭିଡ଼ିଓ କରୁଥିଲେ ଆଇଆଇସି ରୋକ୍ ଠୋକ୍ ସେଥିରୁ ତାଙ୍କୁ ବାରଣ କରିଥିଲେ । ଅନ୍ୟ ପକ୍ଷରେ ଯେହେତୁ ଖୋଦ୍ ଆଇଆଇସିଙ୍କ ସମ୍ପର୍କୀୟ ହଷ୍ଟେଲ ଦାୟିତ୍ୱରେ ଥିଲେ ତେଣୁ ତଦନ୍ତ ପ୍ରକ୍ରିୟାକୁ ନେଇ ପରିବାର ଲୋକ ପ୍ରଶ୍ନ ଉଠାଇଥିଲେ ଯେ,”ଆପଣଙ୍କ ଝିଅ ହୋଇଥିଲେ ଆପଣ କ’ଣ ତଦନ୍ତ ପ୍ରକ୍ରିୟାକୁ ଏଭଳି ହାଲକା ଭାବେ ନେଇ ପାରିଥାନ୍ତେ !!” ସେଭଳି ସ୍ଥଳେ ଆଇଆଇସି ମହୋଦୟ ଏକ ବିବାଦୀୟ ବୟାନ ଦେଇଥିବା ପ୍ରକାଶ ହୋଇଛି ଯେ,”ଆମ ଝିଅ ତୁମ ଝିଅ ଭଳି ନୁହଁନ୍ତି, ଆମ ଝିଅ ମାନଙ୍କ ସହ ତୁମ ଝିଅଙ୍କୁ ତୁଳନା କରିବା ବନ୍ଦ୍ କର ।” ଯଦି ଘଟଣା ସତ୍ୟ ହୋଇଥାଏ ତେବେ ପ୍ରଶ୍ନ ଉଠୁଛି ଆଇଆଇସି ମହୋଦୟ ସ୍ବର୍ଗତ ରୁଚିକାଙ୍କୁ କିଭଳି ଝିଅ ବୋଲି ଦର୍ଶାଇବାକୁ ଚାହୁଁଛନ୍ତି? ଆତ୍ମହତ୍ୟା ନୋଟ ଯେତେବେଳେ ସ୍ୱଚ୍ଛ ଭାବେ ବୟାନ କରୁଛି ଯେ ରାଗିଂ କାରଣରୁ ରୁଚିକାଙ୍କ ମୃତ୍ୟୁ ହୋଇଛି,ତାହେଲେ ଏଯାବତ୍ ହଷ୍ଟେଲ ସୁପରିଣ୍ଟେଣ୍ଡେଣ୍ଟ କିମ୍ବା ୱାର୍ଡେନ୍ ଙ୍କ ବିରୋଧରେ କାହିଁକି କାର୍ଯ୍ୟାନୁଷ୍ଠାନ ନିଆଯାଇନାହିଁ? ସେପଟେ ୟୁ.ଜି.ସି. ରିପୋର୍ଟ ଅନୁଯାୟୀ ୨୦୨୧ ରେ ୩୯ ଟି ରାଗିଂ ଜନିତ ଦରଖାସ୍ତ ସମେତ ଚଳିତ ବର୍ଷ ଅପ୍ରେଲ ସୁଦ୍ଧା ୨୧ଟି ଦରଖାସ୍ତ ଯଦିଓ ଦାଖଲ ହୋଇଛି ଏହା ସହ ପରିସଂଖ୍ୟାନ ପ୍ରକାଶ କରୁଛି ଯେ ସାରା ଦେଶରେ ଓଡ଼ିଶା ରାଗିଂ ଜନିତ ଘଟଣାରେ ତୃତୀୟ ସର୍ବାଧିକରେ ପହଞ୍ଚିଥିବା ସତ୍ତ୍ଵେ ପ୍ରଶାସନ ଓ ସରକାର କାହିଁକି ଏଭଳି ଘଟଣା ଗୁଡ଼ିକୁ ଅଣଦେଖା କରୁଛନ୍ତି ତାହା ନିଶ୍ଚିତ ଏକ ବିରାଟ ପ୍ରଶ୍ନବାଚୀ ସୃଷ୍ଟି କରୁଛି ।

nis-ad
Leave A Reply

Your email address will not be published.