ଟଙ୍କା ହଡ଼ପ ଅଭିଯୋଗରେ HDFC କିଓସ୍କ ମ୍ୟାନେଜରଙ୍କ ସମେତ ୩ ଜଣ ଗିରଫ

ନୀଳଗିରି: ସରକାରୀ ଟଙ୍କା ହଡ଼ପ ଅଭିଯୋଗରେ HDFC କିଓସ୍କ ମ୍ୟାନେଜରଙ୍କ ସମେତ ୩ ଜଣ ଗିରଫ। ଏପରି ଅଭିଯୋଗ ବାଲେଶ୍ୱର ଜିଲ୍ଲା ନୀଳଗିରି ଅଞ୍ଚଳରୁ ଆସିଛି। ଜବ୍‌କାର୍ଡ କରାଇଦେବାକୁ କହି ଏମାନେ ଏଚ୍‌ଡିଏଫ୍‌ସି ବ୍ୟାଙ୍କରେ ଆକାଉଣ୍ଟ ଖୋଲି ସରକାରୀ ଯୋଜନା ଟଙ୍କା ହଡପ୍‌ କରୁଥିବା ଅଭିଯୋଗ ହୋଇଛି।

ପଞ୍ଚାୟତ ନିର୍ବାଚନ ସମୟରେ ନୀଳଗିରି ବ୍ଲକ୍‌ ପିଠାହତା ପଞ୍ଚାୟତର ସମିତି ସଭ୍ୟ ପାର୍ଥୀ ହୋଇଥିଲେ ଉମାକାନ୍ତ ନାୟକ। ସେ ଓ ତାଙ୍କ ସହଯୋଗୀମାନେ ଲୋକଙ୍କୁ ମାଗଣାରେ ଜବକାର୍ଡ ଦେବାର ପ୍ରଲୋଭନ ଦେଖାଇ ସମସ୍ତ କାଗଜପତ୍ର(ଆଧାରକାର୍ଡ, ଭୋଟର ପରିଚୟ ପତ୍ର ଓ ଫଟୋ) ନେଇଯାଇଥିଲେ। ସେମାନଙ୍କ କଥାରେ ବିଶ୍ୱାସ କରି ଲୋକମାନେ ସେମାନେ ଆଣିଥିବା ଫର୍ମରେ ଦସ୍ତଖତ କରିଦେଇଥିଲେ। ହେଲେ ସେମାନେ ଗାଁ ଲୋକଙ୍କ ଅଜାଣତରେ ବାଲେଶ୍ୱର ଏଚ୍‌ଡିଏଫ୍‌ସି ବ୍ୟାଙ୍କରେ ଆକାଉଣ୍ଟ ଖୋଲିଥିଲେ। ଆକାଉଣ୍ଟ ଖୋଲିବା ପରେ ବ୍ୟାକ୍ତ ତରଫରୁ ଦିଆଯାଇଥିବା ଏଟିଏମ୍‌ କାର୍ଡ ଲୋକଙ୍କୁ ନଦେଇ ସେମାନେ ନିଜ ପାଖରେ ରଖିଥିଲେ।

ନିର୍ବାଚନରେ ହାରିଯିବା ପରେ ଶ୍ରୀ ନାୟକ ଓ ତାଙ୍କ ସହଯୋଗୀମାନେ ଗାଁ ଲୋକଙ୍କ ପାଖରୁ ନେଇଥିବା କାଗଜପତ୍ର ଦେଖାଇ ବିଭିନ୍ନ ସରକାରୀ ଯୋଜନାରେ ଟଙ୍କା ପାଇବା ପାଇଁ ଆବେଦନ କରିଥିଲେ। ଏହା ପରେ ବିଭିନ୍ନ ସମୟରେ ବିଭିନ୍ନ ଯୋଜନାରେ ଆସୁଥିବା ଟଙ୍କା ଗାଁ ଲୋକଙ୍କ ନାଁରେ ଖୋଲା ଯାଇଥିବା ବ୍ୟାଙ୍କ ଆକାଉଣ୍ଟକୁ ଆସୁଥିଲା। ପରବର୍ତ୍ତୀ ସମୟରେ ସେହି ଅର୍ଥକୁ ହଡ୍‌ପ କରୁଥିବା ଅଭିଯୋଗ ହୋଇଥିଲା।

ଗାଁ ଲୋକେ ଏ ସମ୍ପର୍କରେ ଜାଣିପାରି ବରହମପୁର ଥାନାରେ ଲିଖିତ ଅଭିଯୋଗ କରିଥିଲେ। ଅଭିଯୋଗକୁ ଭିତ୍ତିକରି ପୁଲିସ୍‌ ତରତରି ଅଞ୍ଚଳର ଏସ୍‌ଡିଏଫ୍‌ସି କିଓସ୍କ ବ୍ୟାଙ୍କ ପରିଚାଳକ ବସନ୍ତ ବେହେରା, ଉମାକାନ୍ତ ନାୟକ ଓ ତାଙ୍କ ସହଯୋଗୀ କମଳାକାନ୍ତ ମହାକୁଡ଼କୁ ଅଟକ ରଖି ପଚରା ଉଚୁରା କରିଥିଲା। ଲୋକଙ୍କ ସରଳତାର ସୁଯୋଗ ନେଇ ଏମାନେ ଠକିଥିବା ପ୍ରମାଣିତ ହେବା ପରେ ପୁଲିସ ତିନି ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି। ପୁଲିସ ତିନି ଅଭିଯୁକ୍ତଙ୍କ ପାଖରୁ ବହୁ ହିତାଧିକାରୀଙ୍କ ପାସବୁକ ଓ ଏଟିଏମ୍‌ କାର୍ଡ ଜବତ କରିଛି।

nis-ad
Leave A Reply

Your email address will not be published.