ରାଉରକେଲା ବେଦବ୍ୟାସ ପୀଠରେ ଶ୍ରାବଣୀ ମେଳା ଆୟୋଜନ ପାଇଁ ପ୍ରଶାସନର ବ୍ୟାପକ ପ୍ରସ୍ତୁତି…

ଜୁଲାଇ ୧୭ରୁ ଅଗଷ୍ଟ ୭ ତାରିଖ ଯାଏଁ ଚାଲିବ ମେଳା

ଟ୍ରାଫିକ ପରିଚାଳନା, ଆଲୋକୀକରଣ ଏବଂ ସଫେଇ ଉପରେ ବିଶେଷ ଗୁରୁତ୍ଵ

ରାଉରକେଲା : କୋଭିଡ୍ ମହାମାରୀ ପାଇଁ ଗତ ଦୁଇ ବର୍ଷ ହେଲା ସ୍ଥଗିତ ଥିବା ରାଉରକେଲାର ପ୍ରସିଦ୍ଧ ଶ୍ରାବଣୀ ମେଳା ଚଳିତ ବର୍ଷ ଆୟୋଜନ କରାଯିବ। ଏନେଇ ଶନିବାର ଦିନ ରଉରକେଲା ମହାନଗର ନିଗମ କାର୍ଯ୍ୟାଳୟଠାରେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଥିଲା। ଏଥିରେ ସୁନ୍ଦରଗଡ଼ ଜିଲ୍ଲାପାଳ ଡାକ୍ତର ପରାଗ ହର୍ଷଦ ଗାଭାଲି ଏବଂ ରାଉରକେଲା ଅତିରିକ୍ତ ଜିଲ୍ଲାପାଳ ତଥା ମହାନଗର ନିଗମ କମିଶନର ଡାକ୍ତର ଶୁଭଙ୍କର ମହାପାତ୍ର ଯୋଗଦେଇ ଏହି ମେଳାର ସଫଳ ପରିଚାଳନା ଉପରେ ଗୁରୁତ୍ୱ ଦେଇଥିଲେ।

“ଦୁଇ ବର୍ଷ ଧରି ଶ୍ରାବଣୀ ମେଳା ବନ୍ଦ ରହିଥିବାରୁ ଚଳିତ ବର୍ଷ ଅଧିକ ସଂଖ୍ୟାରେ କାଉଡ଼ିଆଙ୍କ ଭିଡ଼ ହେବାର ସମ୍ଭାବନା ରହିଛି। ତେଣୁ ଏହାକୁ ଦୃଷ୍ଟିରେ ରଖି ପ୍ରଶାସନ ପକ୍ଷରୁ ଆବଶ୍ୟକ ପ୍ରସ୍ତୁତି କରାଯାଉଛି। ବେଦବ୍ୟାସଠାରେ ଜାତୀୟ ରାଜପଥ ନିର୍ମାଣ କାର୍ଯ୍ୟ ଚାଲିଥିବାରୁ ଟ୍ରାଫିକ ପରିଚାଳନା ଉପରେ ବିଶେଷ ଗୁରୁତ୍ୱ ଦିଆଯିବ। ତା’ଛଡ଼ା କାଉଡ଼ିଆ ଏବଂ ସାଧାରଣ ଲୋକଙ୍କ ସୁବିଧା ପାଇଁ ବିଭିନ୍ନ ବିଭାଗ ପକ୍ଷରୁ ଆବଶ୍ୟକ ପଦକ୍ଷେପ ନିଆଯିବ”, କହିଛନ୍ତି ସୁନ୍ଦରଗଡ଼ ଜିଲ୍ଲାପାଳ ଡାକ୍ତର ପରାଗ ହର୍ଷଦ ଗାଭାଲି।

ରାଉରକେଲାର ବେଦବ୍ୟାସ ପୀଠରେ ଜୁଲାଇ ୧୭ରୁ ଏହି ଶ୍ରାବଣୀ ମେଳା ଆୟୋଜନ କରାଯିବ। ଅଗଷ୍ଟ ୭ ତାରିଖ ଯାଏଁ ମେଳା ଚାଲିବ। ଆଖପାଖ ଅଞ୍ଚଳର ବହୁ ମାନସିକବ୍ରତଧାରୀମାନେ ବେଦବ୍ୟାସ ପୀଠରୁ ପାଣି ଉଠାଇ ବିଭିନ୍ନ ଶୈବ ପୀଠ ଅଭିମୁଖେ ଯାତ୍ରା କରିଥାନ୍ତି। ତା’ଛଡ଼ା ବେଦବ୍ୟାସସ୍ଥିତ ଶିବ ମନ୍ଦିରକୁ ମଧ୍ୟ ବିଭିନ୍ନ ସ୍ଥାନରୁ କାଉଡ଼ିଆମାନେ ପାଣି ଭାର ନେଇ ଆସିଥାନ୍ତି। ସପ୍ତାହର ପ୍ରତ୍ୟେକ ରବିବାର ଏବଂ ସୋମବାର ଭିଡ଼ ହେବାର ସମ୍ଭାବନା ରହିଛି। ତେଣୁ ସୁରକ୍ଷା ବ୍ୟବସ୍ଥାକୁ ଅଧିକ କଡ଼ାକଡ଼ି କରିବା ଲାଗି ପୋଲିସ ବିଭାଗକୁ ନିର୍ଦ୍ଦେଶ ଦିଆଯାଇଛି। ଆବଶ୍ୟକ ମୁତାବକ ମହିଳା ପୋଲିସ ଏବଂ ସ୍ୱେଚ୍ଛାସେବୀ ମୁତୟନ କରିବା ଲାଗି ବୈଠକରେ ନିଷ୍ପତ୍ତି ନିଆଯାଇଛି।

ବେଦବ୍ୟାସଠାରେ ଜାତୀୟ ରାଜପଥ ନିର୍ମାଣ କାର୍ଯ୍ୟ ଚାଲିଥିବାରୁ ସେଠାରେ ଭାରି ଯାନ ଚଳାଚଳ ଉପରେ କଟକଣା ଜାରି କରିବା ପାଇଁ ଜାତୀୟ ରାଜପଥ ପ୍ରାଧିକରଣଙ୍କୁ ପ୍ରଶାସନ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଛି। ଏହା ସହ ନିକଟରେ ଥିବା ରେଳ ଧାରଣାରେ ଲୋକମାନଙ୍କ ଯାତାୟାତକୁ ନିଷେଧ କରାଯାଇଛି।

ଲୋକଙ୍କ ସମାଗମକୁ ଲକ୍ଷ୍ୟ କରି ବିଭିନ୍ନ ନଦୀ ଘାଟରେ ବ୍ୟାରିକେଡ୍ ନିର୍ମାଣ କରାଯିବ। ଏହାସହ ବେଦବ୍ୟାସ ପୀଠରେ ଆଲୋକୀକରଣ ବ୍ୟବସ୍ଥା କରିବା ଲାଗି ସଂପୃକ୍ତ ବିଭାଗର ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି।

ସେହିପରି ଜରୁରୀକାଳୀନ ପରିସ୍ଥିତି ପାଇଁ ଆମ୍ବୁଲାନ୍ସ ସେବା ସହିତ ଅଗ୍ନିଶମ କର୍ମଚାରୀମାନେ ଉପସ୍ଥିତ ରହିବା ଲାଗି ସଂପୃକ୍ତ ବିଭାଗକୁ ନିର୍ଦ୍ଦେଶ ଦିଆଯାଇଛି। ସେଠାରେ ଅସ୍ଥାୟୀ ସ୍ୱାସ୍ଥ୍ୟ ଶିବିର କରାଯାଇ ଜଣେ ଡାକ୍ତର ଏବଂ ଆବଶ୍ୟକ ସ୍ୱାସ୍ଥ୍ୟ କର୍ମୀଙ୍କୁ ନିୟୋଜିତ କରିବା ଲାଗି ପରାମର୍ଶ ଦିଆଯାଇଛି। ବେଦବ୍ୟାସ ପୀଠରେ ନିୟମିତ ସଫେଇ ଉପରେ ବିଶେଷ ଧ୍ୟାନ ଦେବାକୁ ନିଷ୍ପତ୍ତି ନିଆଯାଇଛି।

ଏହି ପ୍ରସ୍ତୁତି ବୈଠକରେ ଅନ୍ୟମାନଙ୍କ ମଧ୍ୟରେ ପାନପୋଷ ଉପ ଜିଲ୍ଲାପାଳ ଦୌଲତ ଚନ୍ଦ୍ରାକର, ରାଉରକେଲା ପୋଲିସ ଡିଏସପି ଏସ ଏନ ସାମତ, ରାଉରକେଲା ମହାନଗର ନିଗମର ଡେପୁଟି କମିଶନର ସୁଧାଂଶୁ କୁମାର ଭୋଇ, ସୀତାଦେବୀ ମାଝି, ଲାଠିକଟା ତହସିଲଦାର ମନସ୍ୱିନୀ ଦାଶ, ୱାଟକୋ ଜେନେରାଲ ମ୍ୟାନେଜର ଆଦିଲ ମହମ୍ମଦ, ପୂର୍ତ୍ତ ବିଭାଗ, ଏନଏଚଏଆଇ, ଅଗ୍ନିଶମ ବିଭାଗ, ସ୍ୱାସ୍ଥ୍ୟ ବିଭାଗ, ଓଏଫଡିସି, ସିଭିଲ ଡିଫେନ୍ସ, ଟିପିଡବ୍ଲୁଓଡିଏଲ ଓ ବେଦବ୍ୟାସ ଟ୍ରଷ୍ଟ ବୋର୍ଡର ସଦସ୍ୟମାନେ ଉପସ୍ଥିତ ଥିଲେ।

nis-ad
Leave A Reply

Your email address will not be published.