ଆଧୁନିକୀକରଣ ତାଲିକାରେ ଓଡ଼ିଶାର ୧୨ ଷ୍ଟେସନ: ପୁରୀରେ କାମ ଆରମ୍ଭ

ଭୁବନେଶ୍ୱର: ରାଜ୍ୟର ୧୨ଟି ରେଳ ଷ୍ଟେସନର ବିକାଶ କରାଯିବ । ଭାରତ ସରକାରଙ୍କ ରେଳ ମନ୍ତ୍ରଣାଳୟର ଦେଶର ପାଖାପାଖି ୮ ହଜାର ରେଳ ଷ୍ଟେସନ୍‌ର ଆଧୁନିକୀକରଣ କରିବାକୁ ନିଷ୍ପତ୍ତି ନେଇଛନ୍ତି । ସେଥିରେ ଓଡ଼ିଶାର ୧୨ଟି ଷ୍ଟେସନ୍‌ ସ୍ଥାନ ପାଇଛି । ଯାହାର ପୁନଃ ବିକାଶ କରିବାକୁ ଘୋଷଣା କରିଛି ମନ୍ତ୍ରଣାଳୟ । ଏହି ତାଲିକାରେ ପୁରୀ, ଭଦ୍ରକ, ବ୍ରହ୍ମପୁର, କଟକ, ଯାଜପୁର ଓ କେନ୍ଦୁଝର ରୋଡ୍‌, ରାୟଗଡା, ସମ୍ବଲପୁର, ବାଲେଶ୍ୱର, ଝାରସୁଗୁଡା, ରାଉଲକେଲା ଏବଂ ଭୁବନେଶ୍ୱର ରେଳ ଷ୍ଟେସନ ରହିଛି ।

ଉନ୍ନତ ମାନର ଯାତ୍ରୀ ସୁବିଧା ସହିତ ଅନ୍ତର୍ଜାତୀୟ ସ୍ତରୀୟ ସୁବିଧାମାନ ରେଳ ଷ୍ଟେସନରେ ମିଳିପାରିବ । ଷ୍ଟେସନଗୁଡିକ ବିମାନବନ୍ଦରଠୁ କିଛି କମ ଅନୁଭୁତ ହେବ ନାହିଁ । ତେବେ ରେଳ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଜୁନ୍‌ ୨୦ ତାରିଖରେ ଦୁଇ ଦିନିଆ ଓଡ଼ିଶା ଗସ୍ତରେ ଆସିଥିବା ବେଳେ ପୁରୀରେ ବିଶ୍ୱସ୍ତରୀୟ ରେଳ ଷ୍ଟେସନ୍‌ କାର୍ଯ୍ୟର ସମୀକ୍ଷା କରିଥିଲେ । ହେଲେ ଭୁବନେଶ୍ୱର ସମେତ ଅନ୍ୟ ରେଳ ଷ୍ଟେସନ୍‌ଗୁଡିକର ଉନ୍ନତିକରଣ ବାବଦରେ କି କି କାର୍ଯ୍ୟ ହେବ, ତାହା ଏବେବି ଅନ୍ଧାରରେ ରହିଛି । ଏ ନେଇ ଜୁନ୍‌ରେ ରେଳମନ୍ତ୍ରୀ ଦୁଇ ଥର ଗସ୍ତ କରିଥିଲେ ବି କୌଣସି ସୂଚନା ଦେଇନାହାନ୍ତି।

ଅପରପକ୍ଷେ ଭୁବନେଶ୍ୱର ରେଳ ଷ୍ଟେସନ୍‌କୁ ବିଶ୍ୱସ୍ତରୀୟ କରିବା ଲାଗି ପଦ୍ମ ଘୁଞ୍ଚି ଘୁଞ୍ଚି ଚାଲିଛି । ୨୦୧୯ ମସିହା ସେପ୍ଟେମ୍ବର ୧୯ ତାରିଖରେ ଏ ନେଇ ଭୁବନେଶ୍ୱର ଉନ୍ନୟନ କର୍ତ୍ତୃପକ୍ଷ(ବିଡିଏ) ଓ ପୂର୍ବତଟ ରେଳପଥ ମଧ୍ୟରେ ବୁଝାମଣା ପତ୍ର ସ୍ୱାକ୍ଷର ହୋଇଥିଲା । ସେତେବେଳେ ମିଳିତ ଭାବେ କାମ କରିବାକୁ ଉଭୟ ସଂସ୍ଥା ରାଜି ହୋଇଥିଲେ । ହେଲେ ପରବର୍ତ୍ତୀ ସମୟରେ ଉଭୟ ସଂସ୍ଥା ମଧ୍ୟରେ ବୁଝାମଣାର ଅଭାବ ଦେଖିବାକୁ ମିଳିଥିଲା । କାମ ଆଗେଇ ପାରିନଥିଲା । ତେବେ ପରବର୍ତ୍ତୀ ସମୟରେ ରେଳ ଷ୍ଟେସନ୍‌ର ବିକାଶ କାର୍ଯ୍ୟ ପୂର୍ବତଟ ରେଳପଥ କରିବା ଓ ଷ୍ଟେସନର ପାରିପାଶ୍ୱିର୍କ ବିକାଶ କାମ ବିଡିଏ କରିବା ନେଇ ନିଷ୍ପତ୍ତି ହୋଇଥିଲେ ବି କାମ ବିଶେଷ ଭାବେ ଆଗେଇ ପାରିନାହିଁ ।

ରେଳମନ୍ତ୍ରୀ ଶ୍ରୀ ବୈଷ୍ଣବ ପଞ୍ଚାୟତ ଓ ପୌର ନିର୍ବାଚନ ଆଚରଣ ବିଧି ସମୟ ଯିବା ପରେ ଭୁବନେଶ୍ୱର ଷ୍ଟେସନର ଡିଜାଇନ୍‌ ବାବଦରେ ବିସ୍ତୃତ ସୂଚନା ଦେବେ ବୋଲି କହିଥିଲେ । ମାତ୍ର ଏବେ ଏହାକୁ ପାଶୋରି ଦେଇଛନ୍ତି । ଭୁବନେଶ୍ୱର ଷ୍ଟେସନ ଦେଇ ଖୋର୍ଦ୍ଧା ରୋଡ୍‌ ଷ୍ଟେସନ ଗସ୍ତ କରି ଷ୍ଟେସନ ବିଲ୍ଡିଂ ଉଦଘାଟନ କରିବାକୁ ଯାଇଥିଲେ ବି ଭୁବନେଶ୍ୱର ଷ୍ଟେସନ ସମ୍ପର୍କରେ ପଦୁଟିଏ ବି କହିଲେ ନାହିଁ । ଅନୁରୁପ ଭାବେ ଭଦ୍ରକ, ବ୍ରହ୍ମପୁର, କଟକ, ଯାଜପୁର ଓ କେନ୍ଦୁଝର ରୋଡ୍‌, ରାୟଗଡା, ସମ୍ବଲପୁର, ବାଲେଶ୍ୱର, ଝାରସୁଗୁଡା ଓ ରାଉଲକେଲା ଷ୍ଟେସନର ଉନ୍ନତି ପାଇଁ କି ଯୋଜନା ରହିଛି ତା’ ନେଇ ବି ରାଜ୍ୟବାସୀ ଅନ୍ଧାରରେ ରହିଛନ୍ତି । ରେଳମନ୍ତ୍ରୀ ନିଜ ରାଜ୍ୟର ହୋଇଥିବାରୁ ରେଳ ବଜେଟରେ ସର୍ବାଧିକ ଅନୁଦାନ ପାଇବା ଭଳି ଷ୍ଟେସନ୍‌ଗୁଡିକ ଦ୍ରୁତ ବିକାଶ ହେବ ବୋଲି ଆଶା ପ୍ରକଟ କରିଛନ୍ତି ।

nis-ad
Leave A Reply

Your email address will not be published.