ସମୀକରଣ ଓଲଟିଲା, ଏକନାଥ ସିନ୍ଦେ ହେବେ ମୁଖ୍ୟମନ୍ତ୍ରୀ

ମୁମ୍ବାଇ: ବିଜେପିର ବରିଷ୍ଠ ନେତା ଦେବେନ୍ଦ୍ର ଫଡନାଭିସ ମହାରାଷ୍ଟ୍ରର ମୁଖ୍ୟମନ୍ତ୍ରୀ ହେବେ ନାହିଁ। ଉଦ୍ଧବ ଠାକରେଙ୍କ ସରକାରକୁ ଭାଙ୍ଗିବାରେ ସହାୟତା କରିଥିବା ଶିବସେନାର ବିଦ୍ରୋହୀ ବିଧାୟକ ଏକନାଥ ସିନ୍ଦେ ରାଜ୍ୟର ପରବର୍ତ୍ତୀ ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିବେ। ଆଜି ଫଡନାଭିସ ଓ ସିନ୍ଦେ ମିଳିତ ଭାବେ ରାଜ୍ୟପାଳ ଭଗତ ସିଂହ କୋଶୟାରୀଙ୍କୁ ଭେଟି ସରକାର ଗଠନ ପାଇଁ ଦାବି ଜଣାଇଛନ୍ତି।
ଏହି ଭେଟଘାଟ ପରେ ନିଜେ ଫଡନଭିସ କହିଛନ୍ତି ଯେ ମହାରାଷ୍ଟ୍ରର ମୁଖ୍ୟମନ୍ତ୍ରୀ ଭାବେ ସିନ୍ଦେ ଶପଥ ଗ୍ରହଣ କରିବେ। ସିନ୍ଦେ ବିଜେପି ସମର୍ଥନରେ ମହାରାଷ୍ଟ୍ରରେ ସରକାର ଗଠନ କରିବେ। ଆଜି ସନ୍ଧ୍ୟା ୭.୩୦ରେ ରାଜ ଭବନରେ ଶପଥ ପାଠ କାର୍ଯ୍ୟକ୍ରମ ହେବ। ଫଡ଼ନାଭିସ ମହାରାଷ୍ଟ୍ର ସରକାରର ଅଂଶବିଶେଷ ହେବେ ନାହିଁ। ସେ କେବଳ ବାହାରେ ରହି ସରକାର କେମିତି ଠିକ୍‌ ଭାବେ ଚାଲିବ, ତା’ର ତଦାରଖ କରିବେ ବୋଲି କହିଛନ୍ତି। ଏହି ଘୋଷଣା ସମୟରେ ଏକନାଥ ସିନ୍ଦେ ମଧ୍ୟ ଉପସ୍ଥିତ ଥିଲେ।
ଅଢ଼େଇ ବର୍ଷ ତଳେ ବିଜେପି ଓ ଶିବସେନା ମଧ୍ୟରେ ମୁଖ୍ୟମନ୍ତ୍ରୀ ପଦକୁ ନେଇ ଟଣା ଓଟରା ଦେଖା ଯାଇଥିଲା। ଅଢ଼େଇ ବର୍ଷର ଫର୍ମୁଲାରେ ଶିବସେନା ମୁଖ୍ୟମନ୍ତ୍ରୀ ପଦର ଭାଗ କରିବାକୁ ଚାହୁଁଥିଲା। ହେଲେ ସେତେବେଳେ ବିଜେପି ଏଥିରେ ରାଜି ହୋଇ ନଥିଲା। ଫଡନାଭିସ ମୁଖ୍ୟମନ୍ତ୍ରୀ ପଦ ନିଜ ପାଖରେ ୫ ବର୍ଷ ଯାଏ ରଖିବାକୁ ଜିଦ କରିବାରୁ ଶିବସେନା ମେଣ୍ଟରୁ ଓହରି ଯାଇଥିଲା।
ଏହାପରେ ଦଳ କଂଗ୍ରେସ ଓ ଏନସିପି ସହ ମିଶି ମହା ବିକାଶ ଅଘାଡ଼ି ସରକାର ଗଠନ କରିଥିଲା। ଏଥିସହ ଶିବସେନା ସୁପ୍ରିମୋ ଉଦ୍ଧବ ଠାକରେ ମୁଖ୍ୟମନ୍ତ୍ରୀ ହୋଇଥିଲେ। ହେଲେ ଏକନାଥ ସିନ୍ଦେଙ୍କ ନେତୃତ୍ୱରେ ଶିବସେନାର ୪୦ ଜଣ ବିଧାୟକ ବିଦ୍ରୋହ ଘୋଷଣା କରିବାରୁ ଉଦ୍ଧବ ସରକାର ଭାଙ୍ଗି ଯାଇଛି। ବିଧାୟକଙ୍କ ବିଦ୍ରୋହ ଯୋଗୁ ଗତକାଲି ଉଦ୍ଧବ ଠାକରେ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଇଥିଲେ। ସରକାର ଭାଙ୍ଗିଥିବାରୁ ସିନ୍ଦେ ସେନାଙ୍କ ସମର୍ଥନରେ ଫଡନାଭିସ ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିବେ ବୋଲି ଚର୍ଚ୍ଚା ହେଉଥିଲା କିନ୍ତୁ ଶେଷ ମୁହୂର୍ତ୍ତରେ ବିଜେପି ସମର୍ଥନରେ ସିନ୍ଦେ ହିଁ ମୁଖ୍ୟମନ୍ତ୍ରୀ ହେବେ ବୋଲି ଫଡନାଭିସ କହିଛନ୍ତି। ଆଜି ସନ୍ଧ୍ୟା ୭.୩୦ରେ କେବଳ ସିନ୍ଦେ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବେ। ପରବର୍ତ୍ତୀ ଅବସ୍ଥାରେ ତାଙ୍କ ମନ୍ତ୍ରିମଣ୍ଡଳରେ ସାମିଲ ହେବାକୁ ଥିବା ସଦସ୍ୟମାନେ ପଦ ଓ ଗୋପନୀୟତାର ଶପଥ ପାଠ କରିବେ।

nis-ad
Leave A Reply

Your email address will not be published.