‘ବଡ଼ ଖବର’ର ସଂପାଦକ ଅର୍ଦ୍ଧେନ୍ଦୁ ଦାସଙ୍କୁ ଗିରଫ କଲା ଇଓଡବ୍ଲୁ

ଭୁବନେଶ୍ବର: ନିଉଜ୍ ଚାନେଲ୍ ‘ବଡ଼ ଖବର’ର ସଂପାଦକ ଅର୍ଦ୍ଧେନ୍ଦୁ ଦାସଙ୍କୁ ଅର୍ଥନୈତିକ ଅପରାଧ ଶାଖା (ଇଓଡବ୍ଲୁ) ଗିରଫ କରିଥିବାର ଖବର ମିଳିଛି। ଏନେଇ ଇଓଡବ୍ଲୁ ଏସପି ଦିଲ୍ଲୀପ କୁମାର ତ୍ରିପାଠୀ ସୂଚନା ଦେଇଛନ୍ତି। ବଡ଼ ଖବରର ସଂପାଦକ ଅର୍ଦ୍ଧେନ୍ଦୁ ଦାସଙ୍କୁ ଇଓଡବ୍ଲୁ ଓଡ଼ଗାଁରୁ ଆଣି ପଚରାଉଚରା କରୁଥିଲା । ଗତକାଲି ଇଓଡବ୍ଲୁ ପକ୍ଷରୁ ଅର୍ଦ୍ଧେନ୍ଦୁ ଦାସଙ୍କୁ ଧରିବା ଲାଗି ବିଭିନ୍ନ ସ୍ଥାନରେ ଚଢ଼ାଉ କରାଯାଇଥିଲା। ଇଓଡବ୍ଲୁ ଓ କମିସନରେଟ ପୁଲିସରେ ଅର୍ଦ୍ଧେନ୍ଦୁ ଦାସଙ୍କ ବିରୋଧରେ ୪ଟି ମାମଲା ରହିଛି।

ଖବର ପାଇ କଂଗ୍ରେସର ଜଟଣୀ ବିଧାୟକ ସୁର ରାଉତରାୟ ଓ ବିଜେପି ନେତା ବାବୁ ସିଂହ ପ୍ରମୁଖ ଇଓଡବ୍ଲୁ ଅଫିସରେ ପହଞ୍ଚିଥିବାର ସୂଚନା ମିଳିଛି। ଉଭୟେ ଅର୍ଦ୍ଧେନ୍ଦୁ ଦାସଙ୍କ ଗିରଫ ଘଟଣାର ଦୃଢ଼ ନିନ୍ଦା କରିଛନ୍ତି। ଗଣମାଧ୍ୟମର କଣ୍ଠରୋଧ କରିବା ଲାଗି ରାଜ୍ୟ ସରକାର ଏଭଳି ହୀନ ଚକ୍ରାନ୍ତ କରିଥିବାର ଅଭିଯୋଗ କରିଛନ୍ତି।

ଅର୍ଦ୍ଧେନ୍ଦୁ ଦାସଙ୍କ ନାଁରେ ଇଓଡବ୍ଲୁ ୯୨ଲକ୍ଷ ୪୭ହଜାର ୭୦ଟଙ୍କାର ଠକେଇ ମାମଲା ରୁଜୁ ହେବା ଘଟଣାରେ ଦୁଇ ଦିନ ପୂର୍ବରୁ ଭୋର୍ ପ୍ରାୟ ୪ଟା ବେଳେ ତଦନ୍ତକାରୀ ଡିଏସ୍ପିଙ୍କ ନେତୃତ୍ବରେ ୫ଜଣିଆ ଟିମ୍ ଶ୍ରୀ ଦାସଙ୍କ ଜାଗମରାସ୍ଥିତ ଘରେ ଚଢ଼ଉ କରିଥିଲେ। ମାତ୍ର ଚଢ଼ଉ ବେଳେ ଅର୍ଦ୍ଧେନ୍ଦୁ ଘରେ ଅନୁପସ୍ଥିତ ଥିବାରୁ ଇଓଡବ୍ଲୁ ଖାଲି ହାତରେ ଫେରିଥିଲେ।

ଏନେଇ ଇଓଡବ୍ଲୁ ଏସପି ଦିଲ୍ଲୀପ କୁମାର ତ୍ରିପାଠୀ କହିଥିଲେ କି, ଗତ ୨୩ ତାରିଖରେ ସଲ୍ୟୁସନ୍ ବ୍ରଡକାଷ୍ଟ୍ର ପ୍ରୋପାଇଟର୍ ଗଗନଦୀପ ସିଂହ ଚାଵଲା ଅଭିଯୋଗ କରିଥିଲେ। ବାର୍ଷିକ ୮କୋଟି ବ୍ୟବସାୟ ହେଉଥିବା କହି ଅର୍ଦ୍ଧେନ୍ଦୁ ତାଙ୍କଠାରୁ କୋଟିଏ ୪୭ହଜାର ଟଙ୍କାର ବୈଦ୍ୟୁତିକ ଯନ୍ତ୍ରାଂଶ ଆଣିଥିଲେ। ଏ ବାବଦରେ ମାତ୍ର ୧୦ ଲକ୍ଷ ଟଙ୍କା ଦିଆଯାଇଥିବା ବେଳେ ଆହୁରି ୯୨ଲକ୍ଷ ଟଙ୍କା ସେ ଦେଇନାହାନ୍ତି। ତେଣୁ ଏହି ଆଧାରରେ ଠକେଇ ମାମଲା ରୁଜୁ ହୋଇଛି। ଏଣେ କଟକର ନିଶିତ ଅଗ୍ରୱାଲ ନାମକ ଜଣେ ପୁରୀଘାଟ ଥାନାରେ ଶ୍ରୀ ଦାସଙ୍କ ବିରୋଧରେ ଆଉ ଏକ ଅଭିଯୋଗ କରିଛନ୍ତି। ବ୍ୟବସାୟୀ ଅଭିଯୋଗ କରିଛନ୍ତି ଯେ ଶ୍ରୀ ଦାସ ତାଙ୍କଠାରୁ ୧୧ ଲକ୍ଷ ଟଙ୍କା ମୂଲ୍ୟର ଆସବାବପତ୍ର ଏବଂ ଅନ୍ୟାନ୍ୟ ସାମଗ୍ରୀ କିଣିଥିଲେ। ପରେ୪.୪ ଲକ୍ଷ ଟଙ୍କା ଦେଇଥଲେ। କିନ୍ତୁ ଏପର୍ଯ୍ୟନ୍ତ ଅବଶିଷ୍ଟ ଦେୟ ଦେଇନାହାନ୍ତି।

ତେବେ ଗଗନଦୀପ ସିଂଙ୍କର ଅଭି‌ଯୋଗକୁ ଭିତ୍ତିହୀନ ବୋଲି କହିଛନ୍ତି ‘ବଡ଼ ଖବର’ର ସଂପାଦକ ଅର୍ଦ୍ଧେନ୍ଦୁ। ସେ କହିଛନ୍ତି ଯେ ନୂଆ ସାମଗ୍ରୀ ଯୋଗାଇବା ଚୁକ୍ତି କରି ଗଗନଦୀପ ପୁରୁଣା ଓ ନକଲି ମାଲ୍ ଯୋଗାଇଛନ୍ତି। ଏକଥା ଜଣାପଡ଼ିବା ପରେ ଗଗନଦୀପ ନିଜେ ସେ ଅନୁସାରେ କମ୍ ଅର୍ଥ ନେବେ ବୋଲି ସମ୍ମତି ପ୍ରଦାନ କରିଥିଲେ। ତେଣୁ ତାଙ୍କର ପ୍ରକୃତ ପ୍ରାପ୍ୟ କେତେ ତାହା ସ୍ଥିର ହେବାକୁ ଥିବା ବେଳେ ସେ ଏପରି ମିଥ୍ୟା ଅଭିଯୋଗ କରିଛନ୍ତି। ଏହା ଏକ ଚୁକ୍ତି ଖିଲାପ ମାମଲା ହୋଇଥିବା ବେଳେ ଇଓଡ୍ବ୍ଲୁ କାହିଁକି ଏଥିରେ ଆଗ୍ରହ ଦେଖାଉଛି ତାହା ବୁଝିହେଉନି।

ଏଣେ ତାଙ୍କ ନାଁରେ ଭୁବନେଶ୍ୱର ବଡ଼ଗଡ଼ ଥାନାରେ ଆଉ ଏକ ମାମଲା ରୁଜୁ ହୋଇଛି। ସେ ଘର ଭଡ଼ା ଦେଇନାହାନ୍ତି ବୋଲି ଅଭିଯୋଗ କରି ଘର ମାଲିକ ବିଶ୍ୱଜିତ ସାହୁ ଯାଇ ତାଙ୍କ ନାଁରେ ଥାନାରେ ଏତଲା ଦେଇଛନ୍ତି। ଅନେକ ଦିନର ଘର ଭଡ଼ାକୁ ମିଶାଇ ଅର୍ଦ୍ଧେନ୍ଦୁ ୫ ଲକ୍ଷ ୮୫ ହଜାର ଟଙ୍କା ଭଡ଼ା ବାବଦରେ ବାକି ରଖିଛନ୍ତି ବୋଲି ଘର ମାଲିକ ଅଭିଯୋଗ ଆଣିଛନ୍ତି। ଗତ ଜାନୁଆରି ମାସରୁ ଘର ଭଡା ନଦେଇ, ବଡ଼ ଖବର ଅଫିସ ଚଳାଇଥିଲେ ଅର୍ଦ୍ଧେନ୍ଦୁ। ଟଙ୍କା ମାଗିବାରୁ ଧମକ ଦେଉଥିବା ଅଭିଯୋଗରେ ଉଲ୍ଲେଖ ଅଛି। ମାମଲା ରୁଜୁ କରି ବଡଗଡ଼ ଥାନା ପୁଲିସ ତଦନ୍ତ ଆରମ୍ଭ କରିଥିଲା।

nis-ad
Leave A Reply

Your email address will not be published.