ଇଂଲଣ୍ଡର ବିଶ୍ବକପ୍ ବିଜୟୀ ଅଧିନାୟକ ଇଅନ ମୋର୍ଗାନ୍ ଙ୍କ ଅବସର

ଲିଡ୍ସ: ଇଂଲଣ୍ଡର ବିଶ୍ବକପ୍ ବିଜୟୀ ଅଧିନାୟକ ଇଅନ ମୋର୍ଗାନ୍ ଅନ୍ତର୍ଜାତୀୟ କ୍ରିକେଟ୍‌ରୁ ଅବସର ନେବେ। ଏଥିନେଇ ମଙ୍ଗଳବାର ଆନୁଷ୍ଠାନିକ ଘୋଷଣା କରିବେ ସେ। ୩୫ ବର୍ଷୀୟ ମୋର୍ଗାନଙ୍କ ନେତୃତ୍ବରେ ଇଂଲଣ୍ଡ ୨୦୧୯ରେ ପ୍ରଥମ ଥର ପାଇଁ ଏକଦିବସୀୟ କ୍ରିକେଟ୍ ବିଶ୍ବକପ୍ ଜିତିଥିଲେ। ତାଙ୍କ ଅଧିନାୟକତ୍ବରେ ମଧ୍ୟ ଇଂଲଣ୍ଡ ଆଇସିସି ଏକଦିବସୀୟ ଏବଂ ‌ଟ୍ବେଣ୍ଟି-୨୦ ମାନ୍ୟତାର ଏକନମ୍ବର ସ୍ଥାନକୁ ଉନ୍ନୀତ ‌ହୋଇଥିଲା। ଆୟର୍ଲାଣ୍ଡର ଡବଲିନ୍‌ଠାରେ ଜନ୍ମଗ୍ରହଣ କରିଥିବା ମୋର୍ଗାନ ଚଳିତ ବର୍ଷ ଫର୍ମ ଓ ଫିଟନେସ୍‌କୁ ନେଇ ସଂଘର୍ଷ କରି ଆସୁଥିଲେ। ଆମଷ୍ଟଲଭିନରେ ନେଦରଲାଣ୍ଡ୍ସ ବିପକ୍ଷରେ ଇଂଲଣ୍ଡ ଖେଳିଥିବା ପ୍ରଥମ ଦୁଇ ମ୍ୟାଚ୍‌ରେ ଖାତା ଖୋଲି ପାରି ନଥିଲେ ସେ। ଅନ୍ୟପକ୍ଷରେ ତଳିପେଟ ଯନ୍ତ୍ରଣା ନେଇ ତୃତୀୟ ତଥା ଶେଷ ମ୍ୟାଚ୍‌ ଖେଳି ପାରି ନଥିଲେ। ମୋର୍ଗାନ ଯଦି ଅବସର ‌ନିଅନ୍ତି, ଏହା ଅଷ୍ଟ୍ରେଲିଆରେ ଚଳିତବର୍ଷ ଅକ୍ଟୋବରରେ ଖେଳାଯିବାକୁ ଥିବା ଟ୍ବେଣ୍ଟି-୨୦ ବିଶ୍ବକପ୍‌ ପୂର୍ବରୁ ଇଂଲଣ୍ଡକୁ ଏକ ଶକ୍ତ ଧକ୍କା ହେବ। ମୋର୍ଗାନଙ୍କ ପରେ ୱିକେଟ୍ ରକ୍ଷକ ଜୋସ୍ ବଟଲର କିନ୍ତୁ ଇଂଲଣ୍ଡ ସୀମିତ ଓଭର ଦଳର ଅଧିନାୟକ ହେବା ଦୌଡ଼ରେ ସର୍ବାଗ୍ରେ ରହିଛନ୍ତି।
ସୂଚନାଯୋଗ୍ୟ ଯେ ମୋର୍ଗାନ୍ ହେଉଛନ୍ତି ଧଳା ବଲ୍ ବା ସୀମିତ ଓଭର କ୍ରିକେଟ୍‌ରେ ଇଂଲଣ୍ଡର ସର୍ବକାଳୀନ ଶ୍ରେଷ୍ଠ ବ୍ୟାଟର୍। ଇଂଲଣ୍ଡ ପାଇଁ ୨୨୫ ଦିନିକିଆ ଏବଂ ୧୧୫ ଟ୍ବେଣ୍ଟି-୨୦ ଖେଳି ଯଥାକ୍ରମେ ୬୯୫୭ ଓ ୨୪୫୮ ରନ୍ କରିଛନ୍ତି ସେ। ମୋର୍ଗାନ ମଧ୍ୟ ଆୟର୍ଲାଣ୍ଡ ପକ୍ଷରୁ ୨୩ ଦିନିକିଆ ଖେଳି ୭୪୪ ରନ୍ କରିଛନ୍ତି। ଗତ ୨୮ ସୀମିତ ଓଭର ପାଳିରୁ କିନ୍ତୁ ମାତ୍ର ଦୁଇଟି ଅର୍ଦ୍ଧଶତକ ହାସଲ କରିଛନ୍ତି ସେ। ମାତ୍ର ୧୬ ଟେଷ୍ଟ୍ ଖେଳି ଦୁଇଟି ଶତକ ସହ ୭୦୦ ରନ୍ କରିଥିବା ମୋର୍ଗାନ୍ ନିଜ ସୀମିତ ଓଭର କ୍ରିକେଟ୍ ଜୀବନକୁ ଦୀର୍ଘସ୍ଥାୟୀ କରିବା ଲାଗି ୨୦୧୨ ମସିହାରୁ ଆଉ ଏହି ଫର୍ମାଟ୍‌ ଖେଳୁ ନାହାନ୍ତି।

nis-ad
Leave A Reply

Your email address will not be published.