ହକି ତାରକା ବୀରେନ୍ଦ୍ର ଲାକ୍ରାଙ୍କ ନାମରେ ହତ୍ୟା ଅଭିଯୋଗ

ଭୁବନେଶ୍ବର: ହକି ତାରକା ବୀରେନ୍ଦ୍ର ଲାକ୍ରାଙ୍କ ନାମରେ ସଙ୍ଗୀନ ହତ୍ୟା ଅଭିଯୋଗ । ଗତ ଫେବ୍ରୁଆରୀ ମାସରେ ରହସ୍ୟଜନକ ମୃତ୍ୟୁ ହୋଇଥିବା ଆନନ୍ଦ ଟପ୍ପୋଙ୍କ ପରିବାର ଏହି ଅଭିଯୋଗ ଆଣିଛନ୍ତି । ଅନ୍ତର୍ଜାତୀୟ ହକି ଖେଳାଳି ବୀରେନ୍ଦ୍ର ଲାକ୍ରା ଆନନ୍ଦଙ୍କ ରହସ୍ୟମୟ ମୃତ୍ୟୁ ଘଟଣାର ତଦନ୍ତକୁ ପ୍ରଭାବିତ କରିବା ସମ୍ଭାବନା ଥିବା ଅଭିଯୋଗ କରିଛନ୍ତି ମୃତ ଆନନ୍ଦଙ୍କ ବାପା । ବନ୍ଧନା ଟପ୍ପୋ ରବିବାର ଏ ନେଇ ଅଭିଯୋଗ ଆଣି କହିଛନ୍ତି, ଭୁବନେଶ୍ବରରେ ତାଙ୍କ ପୁଅ ଆନନ୍ଦ କୁମାର ଟପ୍ପୋଙ୍କର ହତ୍ୟା ହୋଇଛି ।

‘ମୃତ୍ୟୁ ଦିନ ତାଙ୍କ ସହ ବୀରେନ୍ଦ୍ର ଲାକ୍ରା ଓ ଅନ୍ୟ ଜଣେ ବନ୍ଧୁ ଥିଲେ । ସେ ହିଁ ଆନନ୍ଦଙ୍କ ବାପାଙ୍କୁ ଖବର ଦେଇଥିଲେ । ତାଙ୍କ ପୁଅକୁ ବୀରେନ୍ଦ୍ର ଲାକ୍ରା ହିଁ ହତ୍ୟା କରିଥିବା କହିଛନ୍ତି’ ଆନନ୍ଦଙ୍କ ବାପା । ‘ବର୍ତ୍ତମାନ ବୀରେନ୍ଦ୍ର ପୋଲିସ ଅଧିକାରୀ ଥିବାରୁ ତଦନ୍ତକୁ ପ୍ରଭାବିତ କରିବା ସମ୍ଭାବନା ଥିବା’ ମୃତ ଆନନ୍ଦଙ୍କ ବାପା କହିଛନ୍ତି ।

ମୃତ ଆନନ୍ଦ ଟପ୍ପୋଙ୍କ ବାପାଙ୍କ କହିବାନୁଯାୟୀ, ଚଳିତ ବର୍ଷ ଆନନ୍ଦ ଟପ୍ପୋ ବିବାହ କରିଥିଲେ । କିଛି ଦିନ ପରେ ଫେବ୍ରୁଆରୀ 27ରେ ସେ ତାଙ୍କ ଦୁଇ ବନ୍ଧୁ ଚୁନା ସିଂ ଓ ସୁନନ୍ଦ ଟିକରେଙ୍କ ସହ ଭୁବନେଶ୍ବର ଯାଇଥିଲେ । ସେଠାରେ ପହଞ୍ଚିବା ପରେ ସେ ତାଙ୍କ ଅନ୍ୟ ସାଙ୍ଗଙ୍କୁ ଭେଟିବାକୁ କହିଥିଲେ । ପରଦିନ ଭୁବନେଶ୍ବର ଇନଫୋସିଟି ଏକ ଫ୍ଲାଟରୁ ଝୁଲନ୍ତା ଅବସ୍ଥାରେ ଆନନ୍ଦଙ୍କ ମୃତଦେହ ଉଦ୍ଧାର ହୋଇଥିଲା । ଏ ନେଇ ଆନନ୍ଦଙ୍କ ପରିବାରକୁ ବୀରେନ୍ଦ୍ର ଜଣାଇଥିଲେ । ବୀରେନ୍ଦ୍ର ଓ ଅନ୍ୟ ବନ୍ଧୁ ମଞ୍ଜିତ ତାଙ୍କୁ ଡାକ୍ତରଖାନା ନେଇଥିଲେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ଅଘଟଣ ପୂର୍ବରୁ ସକାଳ ପାଖାପଖି 9ଟା40 ଓ 9ଟା 50ରେ ଆନନ୍ଦ ତାଙ୍କ ପତ୍ନୀ ଓ ମାଆଙ୍କ ସହିତ କଥା ହୋଇଥିଲେ । ମଞ୍ଜିତ କହିଛନ୍ତି ସେ, ବାର୍ଥରୁମରୁ ଆସିଲା ବେଳକୁ ଆନନ୍ଦଙ୍କୁ ଫ୍ୟାନରେ ଝୁଲି ପଡିଥିବା ଦେଖିବାକୁ ପାଇଥିଲେ ।

ବୀରେନ୍ଦ୍ର ଲାକ୍ରା ପୂର୍ବତନ ଭାରତୀୟ ହକି ଉପ-ଅଧିନାୟକ ଏବଂ ଅଲମ୍ପିକ୍‌ ବ୍ରୋଞ୍ଜ ମେଡାଲ ବିଜେତା ଭାରତୀୟ ହକି ଟିମର ସଦସ୍ୟ ରହିଛନ୍ତି । ଫେବ୍ରୁଆରୀ 17ରେ ସେ ଓଡିଶା ପୋଲିସରେ ଡିଏସପି ଭାବେ ଯୋଗ ଦେଇଛନ୍ତି ।

nis-ad
Leave A Reply

Your email address will not be published.