ସରକାରୀ ଜମିରେ ଚାଷ କରୁଥିବା ଚାଷୀଙ୍କ ପାଇଁ ନୀତି ନିର୍ଦ୍ଧାରଣ ନିର୍ଦ୍ଦେଶ

କଟକ: ଦୀର୍ଘ ୩୦ ବର୍ଷରୁ ଉର୍ଦ୍ଧ୍ୱ ସମୟଧରି ସରକାରୀ ଜମିରେ ଚାଷ କରୁଥିବା ଚାଷୀଙ୍କୁ ଜମିର ମାଲିକାନା ପ୍ରଦାନ ପ୍ରସଙ୍ଗରେ ନୀତି ନିର୍ଦ୍ଧାରଣ ପାଇଁ ସରକାରଙ୍କୁ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ଆସନ୍ତା ୬ ମାସ ମଧ୍ୟରେ ଏନେଇ ନୀତିଗତ ନିଷ୍ପତ୍ତି ଗ୍ରହଣ କରିବାକୁ କୋର୍ଟ ସରକାରଙ୍କୁ କହିଛନ୍ତି। ଜଗତସିଂହପୁର ଜିଲ୍ଲା ବାଲିକୁଦା ଅଂଚଳର ବୃନ୍ଦାବନ ଜେନା ଏବଂ ଅନ୍ୟ ମାନଙ୍କ ପକ୍ଷରୁ ଆଗତ ମାମଲାର ଅନ୍ତ ଘଟାଇ ହାଇକୋର୍ଟ ଏହି ନିର୍ଦ୍ଦେଶ ଦେଇଛନ୍ତି। ତେବେ ଏ ସଂକ୍ରାନ୍ତୀୟ ନିଷ୍ପତ୍ତି ଆସିବା ପର୍ଯ୍ୟନ୍ତ ସ୍ଥିତାବସ୍ଥା ବଜାୟ ରହିବ ବୋଲି କୋର୍ଟ ନିର୍ଦ୍ଦେଶରେ ସ୍ପଷ୍ଟ କରିଛନ୍ତି।

ସୂଚନା ମୁତାବକ, କେନ୍ଦ୍ର ସରକାରଙ୍କ ଥଇଥାନ ଯୋଜନାରେ କାଜୁ ଚାଷ ପାଇଁ ବୃନ୍ଦାବନ ଏବଂ ଅନ୍ୟମାନେ ୧୯୮୩ ମସିହାରେ ସରକାରୀ ଜମିରେ ଚାଷ କରିଆସୁଛନ୍ତି। ପରବର୍ତ୍ତି ସମୟରେ ଜବରଦଖଲ ଉଚ୍ଛେଦ କରି ନିଜେ କାଜୁ ଚାଷ ପାଇଁ ସରକାରଙ୍କ ପକ୍ଷରୁ ସେମାନଙ୍କୁ ନୋଟିସ ଜାରି ହୋଇଥିଲା।

ସେହି ନୋଟିସ ଉପରେ ହାଇକୋର୍ଟ ପ୍ରାୟ ୨୦ ବର୍ଷ ତଳେ ସ୍ଥିତାବସ୍ଥା ଜାରି କରିଥିଲେ। ଦୀର୍ଘବର୍ଷ ଧରି ସରକାରଙ୍କ ପକ୍ଷରୁ କୌଣସି ପଦକ୍ଷେପ ଗ୍ରହଣ କରାଗଲା ନାହିଁ। ସମ୍ପୃକ୍ତ ଜମି ଉପରେ ଅନ୍ୟ କୌଣସି ଜନହିତକାରୀ ବ୍ୟବହାର ପାଇଁ ସରକାରଙ୍କ ଯୋଜନା ନାହିଁ ବୋଲି କୋର୍ଟ ଅନୁଭବ କରିଛନ୍ତି।

ଏଭଳି ସ୍ଥିତିରେ ଏତେ ବର୍ଷ ଧରି ଚାଷ କରୁଥିବା ଚାଷୀଙ୍କୁ ବେଦଖଲ କରିବା ଉଚିତ ନୁହେଁ ବୋଲି କୋର୍ଟ କହିଛନ୍ତି। ଏସବୁକୁ ଦୃଷ୍ଟିରେ ରଖି ସମ୍ପୃକ୍ତ ଚାଷୀଙ୍କୁ କିପରି ସେହି ଜମି ହସ୍ତାନ୍ତର କରାଯାଇପାରିବ ସେନେଇ ନୀତିଗତ ନିଷ୍ପତ୍ତି ନେବାକୁ କୋର୍ଟ କହିଛନ୍ତି। ଉଭୟ ଚାଷୀ ଏବଂ ସରକାରଙ୍କୁ ସୁହାଇଲା ଭଳି ନିଷ୍ପତ୍ତି ନେବାକୁ କୋର୍ଟ ନିର୍ଦ୍ଦେଶରେ ସ୍ପଷ୍ଟ କରିଛନ୍ତି। ରବିବାର ହାଇକୋର୍ଟ ଏହି ଶୁଣାଣି କରିଛନ୍ତି।

nis-ad
Leave A Reply

Your email address will not be published.