ତ୍ରିପୁରା ଉପନିର୍ବାଚନରେ ବିଜେପିର ବାଜିମାତ, ଜିତିଲେ ମୁଖ୍ୟମନ୍ତ୍ରୀ ମାଣିକ ସାହା

ଅଗରତାଲା: ତ୍ରିପୁରା ବିଧାନସଭା ଉପନିର୍ବାଚନରେ ବିଜେପିର ବାଜିମାତ। ୪ଟି ଆସନରୁ ୩ଟି ହାତେଇଲା ବିଜେପି। ତ୍ରିପୁରା ମୁଖ୍ୟମନ୍ତ୍ରୀ ତଥା ବିଜେପି ପ୍ରାର୍ଥୀ ମାଣିକ ସାହା ଟାଉନ୍‌ ବାରଦୋଲୀ ଆସନରୁ ୬,୧୦୪ ଭୋଟ୍‌ରେ ନିର୍ବାଚନ ଜିତିଛନ୍ତି। ଏନେଇ ନିର୍ବାଚନ କମିଶନ ସୂଚନା ଦେଇଛନ୍ତି।
ମାଣିକ ସାହାଙ୍କୁ ମୋଟ ୧୭,୧୮୧ ଭୋଟ ମିଳିଛି, ଯାହା ମୋଟ ଭୋଟର ୫୧.୬୩%। ତାଙ୍କ ନିକଟତମ ପ୍ରତିଦ୍ୱନ୍ଦ୍ୱି କଂଗ୍ରେସର ଆଶିଷ କୁମାର ସାହାଙ୍କୁ ୧୧,୦୭୭ ଖଣ୍ଡ ଭୋଟ ମିଳିଛି।
ବିଜେପି ବିଜୟୀ ହୋଇଥିବା ରାଜ୍ୟ ବିଧାନସଭା ଆସନଗୁଡ଼ିକ ହେଉଛି ଟାଉନ୍‌ ବାରଦୋଲୀ, ଯୁବରାଜନଗର ଏବଂ ସୁରମା। ମୁଖ୍ୟମନ୍ତ୍ରୀ ମାଣିକ ସାହାଙ୍କ ବିଜୟ ଲାଗି ବିଜେପି କର୍ମୀମାନେ ଉତ୍ସବ ପାଳନ କରୁଛନ୍ତି। ସେହିପରି, କଂଗ୍ରେସ ପ୍ରାର୍ଥୀ ସୁଦୀପ ରାୟ ବର୍ମନ୍‌ ୩୧୬୩ ଭୋଟ୍‌ରେ ଅଗରତାଲା ଆସନରୁ ବିଜୟୀ ହୋଇଛନ୍ତି।
ତତ୍କାଳୀନ ମୁଖ୍ୟମନ୍ତ୍ରୀ ବିପ୍ଲବ ଦେବଙ୍କ ହଠାତ୍ ଇସ୍ତଫା ପରେ ରାଜ୍ୟସଭା ସାଂସଦ ମାଣିକ ସାହାଙ୍କୁ ଗତ ମାସରେ ରାଜ୍ୟ ମୁଖ୍ୟମନ୍ତ୍ରୀ ଭାବେ ନିଯୁକ୍ତ କରାଯାଇଥିଲା। ତେବେ ମୁଖ୍ୟମନ୍ତ୍ରୀ ପଦରେ ରହିବା ପାଇଁ ଏହି ଉପନିର୍ବାଚନ ଜିତିବା ତାଙ୍କ ପାଇଁ ବେଶ୍‌ ଗୁରୁତ୍ୱପୂର୍ଣ୍ଣ ଥିଲା। ବିଜେପି ବିଧାୟକରୁ ଇସ୍ତଫା ଦେଇ ଆଶିଷ କୁମାର ଶାହ କଂଗ୍ରେସରେ ମିଶିବା ପରେ ଟାଉନ୍‌ ବାରଦୋଲୀ ଆସନ ଖାଲି ପଡିଥିଲା।
ସୂଚନାଯୋଗ୍ୟ, ୨୦୧୬ରେ କଂଗ୍ରେସ ଛାଡିବା ପରେ ବିଜେପିରେ ସାମିଲ ହୋଇଥିଲା ମାଣିକ ସାହା। ୨୦୨୦ ସେ ତ୍ରିପୁରା ବିଜେପି ଅଧ୍ୟକ୍ଷ ହେବା ସହ ରାଜ୍ୟସଭା ଯାଇଥିଲେ।
ଜୁନ୍‌ ୨୩ ତାରିଖରେ ଅଗରତାଲା, ଟାଉନ୍‌ ବାରଦୋଲୀ, ସୁରମା ଏବଂ ଯୁବରାଜନଗର ବିଧାନସଭା ଆସନରେ ଉପନିର୍ବାଚନ ପାଇଁ ଗ୍ରହଣ କରାଯାଇଥିବା ଭୋଟ୍‌ ଗଣନା ଆଜି ସକାଳ ୮ଟାରେ ଆରମ୍ଭ ହୋଇଥିଲା। ଏହି ଉପନିର୍ବାଚନରେ ସମୁଦାୟ ୧,୮୯,୦୩୨ ଭୋଟରଙ୍କ ମଧ୍ୟରୁ ୭୮% ଭୋଟ୍‌ ଦେଇଥିଲେ। ୨୨ଜଣ ପ୍ରାର୍ଥୀ ପ୍ରତିଦ୍ୱନ୍ଦ୍ୱିତା କରୁଥିଲେ।

nis-ad
Leave A Reply

Your email address will not be published.