ଦିନେ ଥିଲେ ଆଇସିସି ଅମ୍ପାୟାର, ଏବେ ବିକୁଛନ୍ତି କପଡ଼ା ଓ ଜୋତା

ଇସଲାମାବାଦ: ସମୟ କେତେବେଳେ କାହାକୁ କେଉଁଠି ଆଣି ଛିଡ଼ା କରିବ, ସେକଥା କେହି ବି ଜାଣି ନାହାନ୍ତି। ଦିନ ଯେଉଁ ବ୍ୟକ୍ତି ଅନ୍ତର୍ଜାତୀୟ କ୍ରିକେଟ ମ୍ୟାଚ୍‌ ଗୁଡ଼ିକର ଅମ୍ପାୟାରିଂ କରୁଥିଲେ, ଆଜି ସେ କପଡ଼ା ଓ ଜୋତା ବିକ୍ରି କରୁଛନ୍ତି। ଶୁଣିବାକୁ ଆଶ୍ଚର୍ଯ୍ୟ ଲାଗୁଥିଲେ ମଧ୍ୟ ପାକିସ୍ତାନର ଅଶଦ ରୌଫଙ୍କ କ୍ଷେତ୍ରରେ ଏପରି ଘଟଣା ଘଟିଛି।
ରୌଫ ଦିନେ ବଡ଼ ବଡ଼ ଅନ୍ତର୍ଜାତୀୟ ମ୍ୟାଚ୍‌ ଠାରୁ ଆରମ୍ଭ କରି ଆଇପିଏଲରେ ବି ଅମ୍ପାୟାରିଂ କରୁଥିଲେ। ଏପରି କି ତାଙ୍କୁ ଆଇସିସିର ଏଲିଟି ପ୍ୟାନେଲରେ ମଧ୍ୟ ରଖାଯାଇଥିଲା। କିନ୍ତୁ ସମୟ ବଦଳିବା ସହ ତାଙ୍କ ସ୍ୱାଭାବ ବି ବଦଳି ଯାଇଥିଲା।
ମ୍ୟାଚ୍ ଫିକ୍ସିଂ ଓ ସ୍ପଷ୍ଟ ଫିକ୍ସିଂ ଭଳି ଘଟଣାରେ ସେ ସାମିଲ ଥିବା ଜଣାପଡ଼ିବା ପରେ ତାଙ୍କ ଉପରେ ବିସିସିଆଇ ୨୦୧୬ରେ ବ୍ୟାନ ଲଗାଇଥିଲା। ଏହାପୂର୍ବରୁ ଖରାପ ପ୍ରଦର୍ଶନ ପାଇଁ ୨୦୧୩ରେ ଆଇସିସି ମଧ୍ୟ ତାଙ୍କୁ ଏଲିଟି ପ୍ୟାନେଲରୁ ବାଦ ଦେଇଥିଲା। ଏଥିପାଇଁ ସେ ଅମ୍ପାୟାର ପଦରୁ ଇସ୍ତଫା ଦେଇଥିଲେ।
ଏବେ ସେ ପାକିସ୍ତାନରେ କପଡ଼ା ଓ ଜୋତା ଦୋକାନ କରି ନିଜ ସହ ତାଙ୍କ ପାଖରେ କାମ କରୁଥିବା ଲୋକଙ୍କ ପରିବାରକୁ ଚଳାଉଛନ୍ତି। ୨୦୦୦ରୁ ୨୦୧୩ ମଧ୍ୟରେ ରୌଫ ୧୭୦ଟି ଅନ୍ତର୍ଜାତୀୟ ମ୍ୟାଚ୍‌ରେ ଅମ୍ପାୟାରିଂ କରିଥିଲେ। ହେଲେ ଏବେ ଆଉ ତାଙ୍କର କ୍ରିକେଟ ପ୍ରତି ଆଦୌ ଆଗ୍ରହ ନଥିବା ସେ କହିଛନ୍ତି।
ରୌଫ ନିକଟରେ ଦେଇଥିବା ଗୋଟିଏ ସାକ୍ଷାତକାରରେ କହିଛନ୍ତି, “୨୦୧୩ ପରଠାରୁ ମୁଁ ଆଉ କ୍ରିକେଟ ସହ ଜଡ଼ିତ ନାହିଁ। କାରଣ ମୁଁ ଥରେ ଯାହା ଛାଡ଼େ, ଆଉ କେବେ ବି ସେଥିରେ ମୁଣ୍ଡ ପୂରାଏ ନାହିଁ। କପଡ଼ା ଓ ଚପଲ ବିକ୍ରି କରିବା ମୋ କାମ ନୁହେଁ। ଏହା ମୋ କର୍ମଚାରୀଙ୍କ ଦୈନିକ ରୋଜଗାରର ମାଧ୍ୟମ। ମୁଁ ଆଜି ସେମାନଙ୍କ ପାଇଁ ଏସବୁ କରୁଛି।
ମୁଁ ସବୁବେଳେ ଯେକୌଣସି କାମ ଆରମ୍ଭ କରେ, ତା’ର ଶୀର୍ଷରେ ପହଞ୍ଚି ଥାଏ। ମୁଁ ଗୋଟିଏ ଦୋକାନୀରୁ ମୋର କାମ ଆରମ୍ଭ କରିଥିଲି। ଦୋକାନ କ୍ଷେତ୍ରରେ ମୁଁ ଶୀର୍ଷରେ ପହଞ୍ଚିଥିଲି। ମୁଁ କ୍ରିକେଟ ଖେଳିଲି, ତା’ର ବି ଶୀର୍ଷରେ ପହଞ୍ଚିଲି। ଏହାପରେ ଯେତେବେଳେ ମୁଁ ଅମ୍ପାୟାରିଂ ଆରମ୍ଭ କଲି ସେତେବେଳେ ବି ମୁଁ ପ୍ରତିଜ୍ଞା କରିଥିଲି ଯେ ଏ କ୍ଷେତ୍ରରେ ବି ମୁଁ ଶୀର୍ଷରେ ପହଞ୍ଚିବି। ମୋର କୌଣସି ଅବଶୋଷ ନାହିଁ। ମୁଁ ଅନେକ ଟଙ୍କା ଦେଖିଛି। ପୂରା ବିଶ୍ୱ ବୁଲିଛି।” |୨୦୦୦ରୁ ୨୦୧୩ ମଧ୍ୟରେ ରୌଫ ୪୯ଟି ଟେଷ୍ଟ, ୯୮ଟି ଦିନିକିଆ ଓ ୨୩ ଟି-୨୦ ଅନ୍ତର୍ଜାତୀୟ ମ୍ୟାଚ୍‌ରେ ଅମ୍ପାୟାରିଂ କରିଥିଲେ। ହେଲେ ୨୦୧୩ ଆଇପିଏଲରେ ସମୟରେ ସେ ବୁକିଙ୍କ ଠାରୁ ମହଙ୍ଗା ଉପହାର ଗ୍ରହଣ କରି ସହ ଫିକ୍ସିଂରେ ଜଡ଼ିଥିବା ଅଭିଯୋଗ ହୋଇଥିଲା। ଏହାର ତଦନ୍ତ କରିବା ପରେ ୨୦୧୬ରେ ବିସିସିଆଇ ତାଙ୍କୁ ୫ ବର୍ଷ ପାଇଁ କ୍ରିକେଟରୁ ବ୍ୟାନ କରିଥିଲା।

nis-ad
Leave A Reply

Your email address will not be published.