ଗୁଜରାଟ ଦଙ୍ଗା ମାମଲା: ସାମାଜିକ କର୍ମୀ ତିସ୍ତା ସୀତଲୱାଡ଼ ଗିରଫ

ଅହମ୍ମଦାବାଦ: ଶନିବାର ଗୁଜରାଟ ଆତଙ୍କବାଦୀ ନିରୋଧୀ ସ୍କ୍ୱାର୍ଡ଼(ଏଟିଏସ) ଚର୍ଚ୍ଚିତ ସାମାଜିକ କର୍ମୀ ତିସ୍ତା ସୀତଲୱାଡ଼ଙ୍କୁ ଗିରଫ କରିଛି। ସେ ଗୁଜରାଟ ଦଙ୍ଗା ସମ୍ପର୍କରେ ଭୁଲ ତଥ୍ୟ ଦେଇଥିବା ଅଭିଯୋଗରେ ତାଙ୍କୁ ଗିରଫ କରାଯାଇଛି। ମୁମ୍ବାଇରୁ ଗିରଫ ପରେ ତାଙ୍କୁ ଅହମ୍ମଦାବାଦ ନିଆଯାଇଛି। ଏତଲା ଅନୁଯାୟୀ ତିସ୍ତା ଏବଂ ଦୁଇ ପୂର୍ବତନ ଆଇପିଏସ ଅଧିକାରୀ ଗୁଜରାଟ ଦଙ୍ଗା ସମ୍ପର୍କରେ ମିଥ୍ୟା ତଥ୍ୟ ପ୍ରସାରଣ କରୁଛନ୍ତି । ଗୁଜରାଟ ଦଙ୍ଗା ମାମଲାରେ ତତ୍କାଳୀନ ମୁଖ୍ୟମନ୍ତ୍ରୀ ତଥା ଏବର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଏଟିଏସ ପକ୍ଷରୁ ଦିଆଯାଇଥିବା କ୍ଲିନଚିଟକୁ ପୁଣିଥରେ ସୁପ୍ରିମକୋର୍ଟ କାଏମ ରଖିଛନ୍ତି। ମୋଦିଙ୍କ ସହ ୬୪ ଜଣଙ୍କୁ ମିଳିଛି କ୍ଲିନଚିଟ୍‌। ଆଜି ସକାଳେ ଏକ ଇଣ୍ଟର୍ଭ୍ୟୁରେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ୨୦୦୨ ଦଙ୍ଗା ମାମଲାରେ ତିସ୍ତା କପୋଳକଳ୍ପିତ ତଥ୍ୟ ଦେଉଥିବା ଅଭିଯୋଗ କରିଥିଲେ। ଗୃହମନ୍ତ୍ରୀ ଆହୁରି କହିଥିଲେ ଯେ ତିସ୍ତାଙ୍କର ଏକ ଏନଜିଓ ରହିଛି।
ଯେଉଁ ସଙ୍ଗଠନ ବିଜେପି କର୍ମୀଙ୍କ ନାମରେ ମିଥ୍ୟା ଅଭିଯୋଗ କରିଛି । ଜାତୀୟ ନ୍ୟୁଜ ଏଜେନ୍ସି ଏଏନଆଇକୁ ସାକ୍ଷାତକାର ଦେଇ ଶ୍ରୀ ଶାହ କହିଛନ୍ତି, ମୋଦିଜୀଙ୍କ ବିରୋଧରେ ଆସିଥିବା ସମସ୍ତ ମିଥ୍ୟା ଅଭିଯୋଗକୁ ସେ ଦୀର୍ଘ ୧୯ ବର୍ଷ ହେଲା ଚୁପଚାପ ସହ୍ୟ କରିଛନ୍ତି। କେହି ବି ଡ୍ରାମା କରି ନଥିଲେ। କାରଣ ୧୯ ବର୍ଷ ହେଲା ମାମଲାର ବିଚାର ଚାଲିଥିଲା। କିନ୍ତୁ ଶୁକ୍ରବାର ସୁପ୍ରିମକୋର୍ଟ ମୋଦିଜୀଙ୍କୁ ମିଳିଥିବା କ୍ଲିନଚିଟ୍‌କୁ କାଏମ ରଖିଛନ୍ତି।
ସମସ୍ତ ବରିଷ୍ଠ ନେତା ଦୀର୍ଘ ୧୮ରୁ ୧୯ ବର୍ଷ ହେଲା ଏହି ଲଢ଼େଇ ଲଢ଼ିଛନ୍ତି। କେହି ବି ଏ ସମ୍ପର୍କରେ କେବେ ହେଲେ ମୁହଁ ଖୋଲି ନଥିଲେ। ସମସ୍ତେ ବେଶ ସାହାସିକତାର ସହ ସବୁ ଯନ୍ତ୍ରଣାକୁ ଭଗବାନ ଶଙ୍କରଙ୍କ ବିଷପାନ ଭଳି ସହ୍ୟ କରିଥିଲେ। ମୋଦିଜୀ କେମିତି ସବୁ କିଛିକୁ ସହୁଥିଲେ, ସେକଥା ମୁଁ ବେଶ ପାଖରୁ ଦେଖିଛି ବୋଲି ଶାହ କହିଥିଲେ।
ତେବେ ଆଜି ସକାଳେ ମୁମ୍ବାଇ ଜୁହୁଠାରେ ତିସ୍ତାଙ୍କ ବାସଭବନରେ ପହଞ୍ଚିଥିଲା ଏଟିଏସ। ସେଠାରୁ ତାଙ୍କୁ ଗିରଫ କରି ଅହମ୍ମଦାବାଦା ଆଣିଛି। ୨୦୦୨ ଗୁଜରାଟ ଦଙ୍ଗା ମାମଲାରେ ତଦନ୍ତ କରୁଥିବା ଏସଆଇଟି ପ୍ରଥମେ ମୋଦିଙ୍କ ସମେତ ମୋଟ ୬୩ ଜଣଙ୍କୁ କ୍ଲିନଚିଟ୍ ଦେଇଥିଲା । ଏହାକୁ ତଳ କୋର୍ଟ ଓ ହାଇକୋର୍ଟ କାଏମ ରଖିଥିଲେ । ହାଇକୋର୍ଟଙ୍କ ରାୟ ବିରୋଧରେ ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ ଦଙ୍ଗାରେ ପ୍ରାଣ ହରାଇଥିବା କଂଗ୍ରେସ ସାଂସଦ ଏହସାନ ଜାଫ୍ରୀଙ୍କ ପତ୍ନୀ ଜାକିଆ ଜାଫ୍ରୀ । ତେବେ ସୁପ୍ରିମକୋର୍ଟ ଶୁଣାଣି ପାଇଁ ମାମଲା ଯୋଗ୍ୟ ନୁହେଁ ବୋଲି କହି ତାଙ୍କ ଆବେଦନକୁ ଖାରଜ କରିଛନ୍ତି। ୨୦୦୨ ମସିହା ଫେବୃଆରୀ ୨୮ରେ ଅହମ୍ମଦାବାଦର ଗୁଲବର୍ଗ ସୋସାଇଟିରେ ସୃଷ୍ଟି ହୋଇଥିବା ହିଂସାରେ ଏହସାନ ଜାଫ୍ରୀଙ୍କ ଜୀବନ ଯାଇଥିଲା।

nis-ad
Leave A Reply

Your email address will not be published.