ଦିନକରେ ୩୦% ବଢ଼ିଲା କରୋନା ସଂକ୍ରମଣ, ୧୭ ହଜାରରୁ ଅଧିକ ଆକ୍ରାନ୍ତ ଚିହ୍ନଟ

ନୂଆଦିଲ୍ଲୀ: ପୁଣିଥରେ ଦେଶରେ ମହାମାରୀ କରୋନା ସଂକ୍ରମଣ ତା’ର କାୟା ବିସ୍ତାର କରିବା ଆରମ୍ଭ କଲାଣି। ସ୍ଥିତି ଏପରି ହୋଇଛି ଯେ ଦିନକରେ କରୋନର ସଂକ୍ରମଣ ୩୦%ରୁ ଅଧିକ ବଢ଼ିଛି। ୨୪ ଘଣ୍ଟା ମଧ୍ୟରେ ୧୭,୩୩୬ ଜଣଙ୍କ ଟେଷ୍ଟ ରିପୋର୍ଟ ପଜିଟିଭ ଆସିଛି। ଗତକାଲି ତୁଳନାରେ ଏହା ୩୦.୨% ଅଧିକ।
ଗୁରୁବାର ୧୩,୩୧୩ ଜଣଙ୍କ ଟେଷ୍ଟ ରିପୋର୍ଟ ପଜିଟିଭ ଆସିଥିଲା। ନୂଆ ସଂକ୍ରମିତଙ୍କୁ ମିଶାଇ ଦେଶରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୪,୩୩,୬୨,୨୯୪ରେ ପହଞ୍ଚି ଯାଇଛି। ଦୈନିକ ପଜିଟିଭିଟି ରେଟ ୪.୩୨% ରହିଥିବା ବେଳେ ସାପ୍ତାହିକ ଟିପିଆର ୩.୦୭% ରହିଛି। ଗୁରୁବାର ସମଗ୍ର ଦେଶରେ ୪,୦୧,୬୪୯ ଜଣଙ୍କ ନମୁନା ପରୀକ୍ଷା କରାଯାଇଥିଲା।
ମହାମାରୀ କରୋନା ଦିନକରେ ଆଉ ୧୩ ଜଣଙ୍କ ଜୀବନ ନେଇଛି। ଫଳରେ ଦେଶରେ ଏଯାଏ କରୋନା ଯୋଗୁ ପ୍ରାଣ ହରାଇଥିବା ଲୋକଙ୍କ ସଂଖ୍ୟା ୫,୨୪,୯୫୪କୁ ବୃଦ୍ଧି ପାଇଛି। କୋଭିଡ ମୃତ୍ୟୁହାର ୧.୨୧% ରହିଛି।
ସ୍ୱାସ୍ଥ୍ୟ ମନ୍ତ୍ରଣାଳୟର ବୁଲେଟିନ ଅନୁସାରେ, ସଂକ୍ରମଣ ବଢ଼ୁଥିବାରୁ ସକ୍ରିୟ ରୋଗୀଙ୍କ ସଂଖ୍ୟା ମଧ୍ୟ କ୍ରମାଗତ ଭାବେ ବୃଦ୍ଧି ପାଉଛି। ବର୍ତ୍ତମାନ ଦେଶର ବିଭିନ୍ନ ହସ୍ପିଟାଲ ଓ ହୋମ ଆଇସୋଲେସନରେ ୮୮,୨୮୪ ଜଣ କରୋନା ଆକ୍ରାନ୍ତ ଚିକିତ୍ସିତ ହେଉଛନ୍ତି। ଦିନକରେ ସକ୍ରିୟ ରୋଗୀଙ୍କ ସଂଖ୍ୟା ୪,୨୯୪ ବୃଦ୍ଧି ପାଇଛି।
ଦେଶରେ ଆରୋଗ୍ୟହାର ୯୮.୫୯%। ୨୪ ଘଣ୍ଟାରେ ୧୩,୦୨୯ ଜଣ କରୋନାକୁ ମାତ ଦେଇଛନ୍ତି। ଏହାକୁ ମିଶାଇ ଦେଶରେ ଏଯାଏ ୪ କୋଟି ୨୭ ଲକ୍ଷ ୪୯ ହଜାର ୫୬ ଜଣ କରୋନାରୁ ଆରୋଗ୍ୟ ହୋଇ ସାରିଲେଣି।
ଅନ୍ୟପକ୍ଷରେ ମହରରାଷ୍ଟ୍ରରେ କରୋନା ସଂକ୍ରମଣ ହୁହୁ ହୋଇ ବଢ଼ୁଛି। ୨୪ ଘଣ୍ଟାରେ ୫,୨୧୮ ଜଣ ନୂଆ ଆକ୍ରାନ୍ତ ରାଜ୍ୟରୁ ଚିହ୍ନଟ ହୋଇଛନ୍ତି। ଏହା ଗତକାଲି ତୁଳନାରେ ୬୦% ଅଧିକ। ୫,୨୧୮ ଜଣ ଆକ୍ରାନ୍ତଙ୍କ ମଧ୍ୟରୁ କେବଳ ମୁମ୍ବାଇରୁ ୨,୪୭୯ ଜଣ ରୋଗୀ ରହିଛନ୍ତି। ରାଜ୍ୟରେ ସକ୍ରିୟ ରୋଗୀଙ୍କ ସଂଖ୍ୟା ୨୪,୮୬୭କୁ ବୃଦ୍ଧି ପାଇଛି। ଏହା ମଧ୍ୟରୁ ମୁମ୍ବାଇରେ ୧୩,୬୧୪, ଥାନେରେ ୫,୪୮୮ ଓ ପୁଣେରେ ସକ୍ରିୟ ରୋଗୀଙ୍କ ସଂଖ୍ୟା ୨,୪୪୩ ରହିଛି।

nis-ad
Leave A Reply

Your email address will not be published.