ଏମ୍‌ଜିଏନ୍‌ଆର୍‌ଇଜିଏ ଯୋଜନାରେ ହରିଲୁଟ, ମହିଳା ଶ୍ରମିକଙ୍କୁ ଗାଁ ସାଥୀଙ୍କ ଧମକ

ହିଞ୍ଜିଳିକାଟୁ(୧୯।୬) : ଗଞ୍ଜାମ ଜିଲା ହିଞ୍ଜିଳିକାଟୁ ବ୍ଲକ ବଡ଼ଖଣ୍ଡି ପଞ୍ଚାୟତରେ ଏମ୍‌ଜିଏନ୍‌ଆର୍‌ଇଜିଏ ଯୋଜନାରେ କାମ ପାଇବାକୁ ଦାବି ଜଣାଇଥିବା ଜଣେ ମହିଳା ଶ୍ରମିକଙ୍କୁ ଗାଁ ସାଥୀ କାମ ଦେବାକୁ ମନା କରିବା ସହ ଦୁର୍ବ୍ୟବହାର ଓ ଗାଳିଗୁଲଜ କରିବା ନେଇ ହିଞ୍ଜିଳି ଥାନାରେ ଅଭିଯୋଗ ହୋଇଛି। ଏପରି ଅଭିଯୋଗ କରିଛନ୍ତି ବଡ଼ଖଣ୍ଡି ପଞ୍ଚାୟତ ଅନ୍ତର୍ଗତ ଗୋପୀନାଥପୁର ଗ୍ରାମର ପି. ପାର୍ବତୀ । ପ୍ରକାଶ ଯେ, ହିଞ୍ଜିଳିକାଟୁ ବ୍ଲକ ବଡ଼ଖଣ୍ଡି ପଞ୍ଚାୟତ ଗୋପୀନାଥପୁର ଗାଁର ପି ପାର୍ବତୀ ଏମ୍‌ଜିଏନ୍‌ଆର୍‌ଇଜିଏ ମହିଳା ଶ୍ରମିକ ଭାବେ ନାମ ରେଜିଷ୍ଟ୍ରି କରିଛନ୍ତି । ଗତ ୧୬ରେ ସେ କାମ କରିବାକୁ ଇଛା ପ୍ରକାଶ କରି ଦାବି ଜଣାଇବାକୁ ଗାଁ ସାଥୀଙ୍କ ଘରକୁ ଯାଇଥିଲେ। ଏହି ସମୟରେ ଅନ୍ୟ ଜଣେ ମହିଳା ସେଠାରେ ଥିଲେ।କିନ୍ତୁ କାମ ବଦଳରେ ଗାଁ ସାଥୀ ପାର୍ବତୀଙ୍କୁ ଗାଳିଗୁଲଜ କରିବା ସହ କାମ ଦେବାକୁ ମନା କରିଥିବା ମହିଳା ଶ୍ରମିକ ଅଭିଯୋଗ କରିଛନ୍ତି। ପୂର୍ବରୁ ଏମ୍‌ଜିଏନ୍‌ଆର୍‌ଇଜିଏ ଯୋଜନାରେ ଏକ ମାଟି କାମବେଳେ ଉପସ୍ଥିତ ଶ୍ରମିକଙ୍କ ଫଟୋ ଉଠାଇଥିବାରୁ ତାଙ୍କୁ ଧମକ ପ୍ରଦାନ କରାଯାଇଥିଲା ବୋଲି ପାର୍ବତୀ ଅଭିଯୋଗ କରିଛନ୍ତି। ଖବର ନେବାରେ ଜଣାପଡିଛି ଯେ, ଏହି ଯୋଜନାରେ ଶ୍ରମିକ ମାନଙ୍କ କାର୍ଯ୍ୟ ଉପରେ ଉପସ୍ଥାପନ କୁ ଦୈନିକ ୨ ଥର ଫଟୋ ଉଠାଇବା ନିୟମ ରହିଛି। କିନ୍ତୁ ହିଞ୍ଜିଳିକାଟୁ ବ୍ଳକ ଅଧୀନରେ ବିଭିନ୍ନ ସ୍ଥାନରେ ଶ୍ରମିକଙ୍କ ଉପସ୍ଥାପନ କୁ ଜାଲିଆତି କରାଯାଇ କାର୍ଯ୍ୟକୁ ଆସୁନଥିବା ବ୍ୟକ୍ତି ଙ୍କ ନାମରେ ଉପସ୍ଥାପନ ଦର୍ଶାଯାଉଛି । ଫଳରେ ପ୍ରକୃତ ଶ୍ରମିକଙ୍କ ପାଇବା ମୂଲ୍ୟ ଭୂତ ଶ୍ରମିକଙ୍କ ମଧ୍ୟରେ ସମାନ ଭାଗରେ ବଣ୍ଟନ ହେଉଛି। ପରେ କାର୍ଯ୍ୟ କୁ ଯାଉନଥିବା ଶ୍ରମିକଙ୍କୁ କିଛି ଟଙ୍କା ପ୍ରଦାନ କରାଯାଇ ସେମାନଙ୍କ ଆକାଉଣ୍ଟରେ ଜମା ଟଙ୍କା ପଂଚାୟତ ଠାରୁ ବ୍ଳକ କର୍ମଚାରୀଙ୍କ ଦ୍ଵାରା ହଡ଼ପ ହେଉଛି। ଏଥିନେଇ ବ୍ଲକରେ ଉଚ୍ଚ ଅଧିକାରୀଙ୍କୁ ଜଣାଇଥିଲେ ମଧ୍ୟ କୌଣସି ସମାଧାନ କରାଗଲା ନାହିଁ ବୋଲି ପାର୍ବତୀ ଅଭିଯୋଗ ରେ ଦର୍ଶାଇଛନ୍ତି। ଅନ୍ୟ ପକ୍ଷରେ ପି ପାର୍ବତୀ ଏ ପ୍ରସଙ୍ଗରେ ତାଙ୍କ ସହ କୌଣସି କଥାବାର୍ତ୍ତା କରିନାହାନ୍ତି ବୋଲି ବ୍ଲକ ସହକାରୀ ନିର୍ବାହୀ ଯନ୍ତ୍ରୀ ହେମନ୍ତ କୁମାର ମିଶ୍ର କହିଛନ୍ତି। ତେବେ ଗାଁ ସାଥୀଙ୍କ ମନେରଗା କାମ ଦାବି କରିବାରୁ ଦୁର୍ବ୍ୟବହାର ଓ ଗାଲିଗୁଲଜ ନେଇ ଶୁକ୍ରବାର ହିଞ୍ଜିଳି ଥାନାରେ ପାର୍ବତୀଙ୍କ ଅଭିଯୋଗ କ୍ରମେ ଥାନାରେ ନଂ- ୩୦୬/୨୨ରେ ଏକ ମାମଲା ରୁଜୁ ହୋଇ ଘଟଣାର ତଦନ୍ତ ଚାଲିଥିବା ଆଇଆଇସି ଅଭିମନ୍ୟୁ ଦାଶ କହିଛନ୍ତି। ଅନ୍ୟପକ୍ଷରେ ହିଞ୍ଜିଳିକାଟୁ ବ୍ଲକର ବିଭିନ୍ନ ପଞ୍ଚାୟତରେ ମିଥ୍ୟା ତଥ୍ୟ ପ୍ରଦାନ କରାଯାଇ ଦେଶର ସବୁଠାରୁ ବଡ଼ ରୋଜଗାର ଯୋଜନା ଏମ୍‌ଜିଏନ୍‌ଆରଇଜିଏ ରେ ବ୍ୟାପକ ଦୁର୍ନୀତି ଚାଲିଛି । ଏଥିରେ ଗ୍ରାମାଞ୍ଚଳ ରେ ଗାଁ ସାଥୀ ଠାରୁ ବ୍ଳକ ସ୍ତରରେ କିଛି ଅଧିକାରୀ ସଂପୃକ୍ତ ରହିଛନ୍ତି ବୋଲି କ୍ରାନ୍ତିକାରୀ କୃଷକ ସମାଜ ରାଜ୍ୟ ସମ୍ପାଦକ ଶଙ୍କର ସାହୁ ଅଭିଯୋଗ କରିଛନ୍ତି।

nis-ad
Leave A Reply

Your email address will not be published.