ବରିଷ୍ଠ କଳାକାର ସଂଘର କଳାକାର ଏକତା ଅଭିଯାନ

ବ୍ରହ୍ମପୁର (୧୯/୦୬) : କଳା ଓ କଳାକାର ହିତୈଷୀ ମହାମଞ୍ଚ “ଗଞ୍ଜାମ ଜିଲ୍ଲା ବରିଷ୍ଠ କଳାକାର ସଂଘ” ତରଫରୁ ବ୍ଲକ ସ୍ତରୀୟ କଳାକାର ଏକତା ଅଭିଯାନ କାର୍ଯ୍ୟକ୍ରମର ଅୟମାରମ୍ଭ ହୋଇଯାଇଛି । ଛତ୍ରପୁର ପଞ୍ଚାୟତ ସମିତି ଅନ୍ତର୍ଗତ କଣମଣା ପଞ୍ଚାୟତ ଅଫିସ୍ ସଭାପ୍ରକୋଷ୍ଠ ମଧ୍ୟରେ ଆୟୋଜିତ ସାଂସ୍କୃତିକ ସଭାରେ ସଂଘ କାର୍ଯ୍ୟକାରୀ ସଭାପତି ଦୁର୍ଗାପ୍ରସାଦ ଆଚାର୍ଯ୍ୟ ଅଧ୍ୟକ୍ଷତା କରିଥିବା ବେଳେ ସମ୍ପାଦକ ସୁବାସ ଚନ୍ଦ୍ର ସାହୁ ରୋଶନ୍ ସ୍ବାଗତ ଭାଷଣ ଓ ଅତିଥି ପରିଚୟ ପ୍ରଦାନ କରିଥିଲେ । ବରିଷ୍ଠ ଶିକ୍ଷାବିତ୍ ମୃତ୍ୟୁଞ୍ଜୟ ତ୍ରିପାଠୀ, ଚିତ୍ରଶିଳ୍ପୀ ବି. ଭେଙ୍କଟ ରାବଣା, ସଙ୍କୀର୍ତ୍ତନ ଗୁରୁ ଏ. ହରିହର ରେଡ୍ଡୀ ଏବଂ ଘନଶ୍ୟାମ ସାହୁ ପ୍ରମୁଖ ଅତିଥି ଭାବେ ଯୋଗଦେଇ ଛତ୍ରପୁର, ପୁରୁଣା ଛତ୍ରପୁର, ଆର୍ଜିପଲ୍ଲୀ, ଟି. ବ୍ରହ୍ମପୁର ଆଦି ବିଭିନ୍ନ ଗ୍ରାମରୁ ଆଗତ କଳାକାରମାନଙ୍କୁ କଳାକାର ଏକତା ଓ ସବୁ କଳାକାର ଏକ ପରିବାର ମନ୍ତ୍ରରେ ଦୀକ୍ଷିତ କରାଇଥିଲେ । ଏଥିରେ ଜୁଲାଇ ତିନି ତାରିଖରେ ହେବାକୁ ଥିବା କଳାକାର ଶୋଭାଯାତ୍ରାକୁ ସଫଳତା ନିମନ୍ତେ ସଂଘ ପକ୍ଷରୁ କଳାକାର ମାନଙ୍କ ସହଯୋଗ କାମନା କରାଯାଇଥିଲା । କାର୍ଯ୍ୟକ୍ରମ ପରିଚାଳନାରେ ସର୍ବଶ୍ରୀ ଏସ୍. ଚକ୍ରପାଣି ରେଡ୍ଡୀ, ଗୋବର୍ଦ୍ଧନ ସାହୁ, ଏ. ଗୋପାଳ ରେଡ୍ଡୀ, ଏସ୍. ସତ୍ୟ ନାରାୟଣ ରେଡ୍ଡୀ, ସିଏଚ୍. ରାଜା ରାଓ ପ୍ରମୁଖ କଳାକାର ସହଯୋଗ କରିଥିଲେ ।ପରିଶେଷରେ ପ୍ରଦୀପ କୁମାର ସାହୁ ଆନୁଷ୍ଠାନିକ ଧନ୍ୟବାଦ ଅର୍ପଣ କରିଥିଲେ ।

nis-ad
Leave A Reply

Your email address will not be published.