ଗୁରୁଦ୍ୱାରା ଉପରେ ଆକ୍ରମଣ: ହିନ୍ଦୁ-ଶିଖମାନଙ୍କ ପାଇଁ ୧୦୦ ଇ-ଭିସା ଜାରି କଲା ଭାରତ

ନୂଆଦିଲ୍ଲୀ: ଆଫଗାନିସ୍ତାନର ରାଜଧାନୀ କାବୁଲର କର୍ତେ ପରୱାନ ଗୁରୁଦ୍ୱାର ଉପରେ ଶନିବାର ଆକ୍ରମଣ ପରେ ଭାରତ ଏକ ବଡ ପଦକ୍ଷେପ ନେଇଛି। ଆଫଗାନିସ୍ତାନରେ ରହୁଥିବା ୧୦୦ରୁ ଅଧିକ ଶିଖ ଏବଂ ହିନ୍ଦୁଙ୍କୁ ଗୃହ ମନ୍ତ୍ରଣାଳୟ ଇ-ଭିସା ପ୍ରଦାନ କରିଛି। କେବଳ ଏତିକି ନୁହେଁ, ବର୍ତ୍ତମାନ ସୁଦ୍ଧା ପ୍ରାୟ ଶହେଟି ଭିସା ଜାରି କରାଯାଇଛି। ଏହା ଅନଲାଇନରେ ମଧ୍ୟ ମିଳିପାରିବ ବୋଲି କୁହାଯାଇଛି।
ଖବର ସରବରାହ ସଂସ୍ଥା ଏଏନ୍‌ଆଇ ମୁତାବକ, କାବୁଲ ଆକ୍ରମଣ ପରେ ଗୃହ ମନ୍ତ୍ରଣାଳୟ ଆଫଗାନିସ୍ତାନର ୧୦୦ରୁ ଅଧିକ ଶିଖ ଏବଂ ହିନ୍ଦୁଙ୍କୁ ଇ-ଭିସା ପ୍ରଦାନ କରିଛି। ଅନ୍ୟପକ୍ଷରେ ଗୁରୁଦ୍ୱାର ଉପରେ ଆକ୍ରମଣ ପରଠାରୁ ଭାରତର ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ ଏହାଉପରେ ତୀକ୍ଷ୍ଣ ନଜର ରଖିଛି। ଏହାପୂର୍ବରୁ ଆଫଗାନିସ୍ତାନର ତାଲିବାନ ଦଖଲ ପରେ ମଧ୍ୟ ଗତ ବର୍ଷ ଅଗଷ୍ଟ ୧୫ରେ ଗୃହ ମନ୍ତ୍ରଣାଳୟ ଦ୍ୱାରା ଇ-ଭିସା ଜାରି କରାଯାଇଥିଲା।
ଶନିବାର କାବୁଲ ସ୍ଥିତ ଗୁରୁଦ୍ୱାରାରେ ଆତଙ୍କବାଦୀମାନେ ଏକ ବିସ୍ଫୋରଣକ ବୋଝେଇ ଗାଡ଼ି ବିସ୍ଫୋରଣ କରିବାକୁ ଚେଷ୍ଟା କରିଥିଲେ। ହେଲେ ଆଫଗାନ ସୁରକ୍ଷାକର୍ମୀମାନେ ବିସ୍ଫୋରକ ବୋଝେଇ ଗାଡ଼ିକୁ ଅଟକାଇବାରୁ ଆତଙ୍କବାଦୀମାନେ ଗୁଳି ଚଳାଇଥିଲେ। ଏଥିରେ ଜଣେ ଶିଖ୍‌ ସହିତ ଦୁଇ ଜଣଙ୍କର ମୃତ୍ୟୁ ହୋଇଛି। ୭ ଜଣ ଆହତ ହୋଇ ଡାକ୍ତରଖାନାରେ ଭର୍ତ୍ତି ହୋଇଛନ୍ତି। ମାମଲାରେ ୩ ଜଣ ଆତଙ୍କବାଦୀଙ୍କୁ ଗୁଳି କରାଯାଇଥିବା ଆଫଗାନିସ୍ତାନ ପକ୍ଷରୁ ସୂଚନା ମିଳିଛି। ଏହି ଆକ୍ରମଣ ପାଇଁ ଆତଙ୍କବାଦୀ ସଂଗଠ ଆଇଏସ୍‌ଆଇଏସ୍‌ ନିଜକୁ ଦାୟୀ କରିଛି। ପ୍ରଫେଟ୍ ମହମ୍ମଦଙ୍କୁ ଅପମାନିତ କରାଯାଇଥିବା ବେଳେ ଏହା ତା’ର ପ୍ରତିଶୋଧ ବୋଲି ଆଇଏସ୍‌ଆଇଏସ୍ ପକ୍ଷରୁ କୁହାଯାଇଛି।
ଆଫଗାନିସ୍ତାନର ସଂଖ୍ୟାଲଘୁଙ୍କ ଉପରେ ହୋଇଥିବା ଆକ୍ରମଣକୁ ଭାରତ ସହ ପାକିସ୍ତାନ ବି କଡା ନିନ୍ଦା କରିଛି। ଆଫଗାନିସ୍ତାନର ଆକ୍ରମଣ ଚିନ୍ତାଜନକ ବୋଲି ପାକିସ୍ତାନ କହିଥିବା ବେଳେ ଭାରତ ଏହାକୁ ଭିରୁ ଆକ୍ରମଣ କହିବା ସହ ଦୃଢ଼ ନିନ୍ଦା କରିଛି।

nis-ad
Leave A Reply

Your email address will not be published.