ଅଗ୍ନିପଥ ନିଆଁରେ ପେଟ୍ରୋଲ ଢ଼ାଳୁଛନ୍ତି ବିଜେପି-ଜେଡିୟୁ: ପ୍ରଶାନ୍ତ କିଶୋର

ନୂଆଦିଲ୍ଲୀ: କେନ୍ଦ୍ର ସରକାରଙ୍କ ଅଗ୍ନିପଥ ଯୋଜନାକୁ ନେଇ ଥମୁନି ହିଂସା। ଏହାକୁ ନେଇ ସାରା ଦେଶରେ ବିରୋଧ ପ୍ରଦର୍ଶନ ଜାରି ରହିଛି। ସେନାରେ ଯୋଗଦେବାକୁ ଆଶାୟୀ ଥିବା ଯୁବକମାନେ କେଉଁଠି ପୁଲିସ ଉପରେ ଆକ୍ରମଣ କରୁଛନ୍ତି ତ କେଉଁଠି ଟ୍ରେନ ଜାଳି ଦେଉଛନ୍ତି। ସବୁଠାରୁ ଅଧିକ ପ୍ରଦର୍ଶନ ବିହାରରେ ଦେଖିବାକୁ ମିଳୁଛି। ଏହାରି ଭିତରେ ଏହାକୁ ନେଇ ରାଜଜନୈତିକ ବୟାନବାଜୀ ମଧ୍ୟ ଜାରି ରହିଛି। ରାଜନୈତିକ ରଣନୀତିକାର ରବିବାର ଏଥିପାଇଁ ସିଧା ସଳଖ ବିହାର ସରକାରରେ ଥିବା ଜେଡିୟୁ-ବିଜେପି ମେଣ୍ଟକୁ ଦାୟୀ କରିଛନ୍ତି।
ସେ ଅଭିଯୋଗ କରିଛନ୍ତି ଯେ ରାଜ୍ୟ ଜଳୁଛି ଏବଂ ଉଭୟ ଦଳ ପରସ୍ପର ଉପରେ ଅରୋପ ପ୍ରତ୍ୟାରୋପ ଲଗାଇବାରେ ବ୍ୟସ୍ତ ଅଛନ୍ତି। ବିଶେଷ କଥା ହେଉଛି ଏହି ହିଂସା ଘଟଣାରେ ବିହାର ସର୍ବାଧିକ ପ୍ରଭାବିତ ହୋଇଛି। ପ୍ରଶାନ୍ତ କହିଛନ୍ତି, ଜେଡିୟୁ ଓ ବିଜେପି ମଧ୍ୟରେ ଲାଗି ରହିଥିବା ମତାନ୍ତର କାରଣରୁ ବିହାରବାସୀ ଏଭଳି ଅସୁବିଧାରେ ସମ୍ମୁଖୀନ ହେବାରେ ଲାଗିଛନ୍ତି।
ସେ ତାଙ୍କର ଟ୍ୱିଟରରେ ଏହା ଲେଖିବା ସହ ଅଗ୍ନିପଥ ବିରୋଧରେ ହେଉଥିବା ହିଂସାକୁ ବିରୋଧ କରିଛନ୍ତି। ସେ କହିଛନ୍ତି ‘ସରକାରଙ୍କ ଭୁଲ ନୀତିକୁ ବିରୋଧ କରିବାକୁ ସମ୍ବିଧାନ ଦେଶର ନାଗରିକଙ୍କୁ ଅଧିକାର ଦେଇଛି। ହେଲେ ପ୍ରଦର୍ଶନ ବେଳେ ଜାତୀୟ ସମ୍ପତ୍ତି ନଷ୍ଟ କରିବା ଭୁଲ।’ ହିଂସା ନିଆଁରେ ବିହାର ଜଳୁଛି। ଦୁଇ ଦଳର ନେତା ଏହି ନିଆଁକୁ ଲିଭାଇବା ବଦଳରେ ଏଥିରେ ପେଟ୍ରୋଲ ଢ଼ାଳିବା ଭଳି କାମ କରୁଥିବା ସେ ଅଭିଯୋଗ ଆଣିଛନ୍ତି। ପ୍ରଶାନ୍ତ ଏଭଳି ଟ୍ୱିଟରୁ ସ୍ପଷ୍ଟ ଯେ ସେ ଅଗ୍ନିପଥ ଯୋଜନାକୁ ବିରୋଧ କରୁଛନ୍ତି।
ଉଲ୍ଲେଖ ଯୋଗ୍ୟ, ଶନିବାର ଅନେକ ସଙ୍ଗଠନ ବିହାର ବନ୍ଦ ନେଇ ଡାକରା ଦେଇଥିଲେ। ଏହି ସମୟରେ ରାଜ୍ୟରେ ପ୍ରବଳ ହିଂସା ଦେଖିବାକୁ ମିଳିଥିଲା। ଏହି ମାମଲାରେ ପୁଲିସ ବର୍ତ୍ତମାନ ସୁଦ୍ଧା ରାଜ୍ୟରେ ୭୦୦ରୁ ଅଧିକ ଲୋକଙ୍କୁ ଗିରଫ କରିଛି। ଅନ୍ୟପକ୍ଷରେ ଏହି ଘଟଣାକୁ ନେଇ ୧୩୮ଟି ଏଫ୍‌ଆଇଆର୍‌ ରୁଜୁ ହୋଇଛି। ରାଜ୍ୟର ତାରେଗାନା ସମେତ ଅନେକ ରେଲୱେ ଷ୍ଟେସନରେ ବିକ୍ଷୋଭକାରୀମାନେ ପୋଡାଜଳା କରିଛନ୍ତି। ଏଥିରେ ରେଲୱେ କୋଟି କୋଟି ଟଙ୍କାର ସମ୍ପତ୍ତି ନଷ୍ଟ ହୋଇଥିବା କୁହାଯାଉଛି।

nis-ad
Leave A Reply

Your email address will not be published.