ଅଗ୍ନିପଥ ଯୋଜନାକୁ ବିରୋଧ ଜାରି: ପୁଲିସ ଗୁଳିରେ ଜଣେ ମୃତ

ବିଶାଖାପାଟଣା: ସେନାର ଅଗ୍ନିପଥ ଯୋଜନାକୁ ନେଇ ବିଶାଖାପାଟଣାରେ ଗୁଳିମାଡ଼ ହୋଇଛି। ଏହି ଉତ୍ତେଜନାର ପୁଲିସ ଗୁଳିରେ ଜଣେ ଯୁବକଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି । ଏଥିସହ ଗୁଳିମାଡ଼ରେ ୩ ଜଣ ଗୁରୁତର ହୋଇଛନ୍ତି। ଅନ୍ୟପକ୍ଷରେ ଟ୍ରେନରେ ନିଆଁ ଲଗାଇ ଦେଇଛନ୍ତି ଆନ୍ଦୋଳନକାରୀ । ଅଗ୍ନିପଥ ନିଯୁକ୍ତି ଯୋଜନାକୁ ଦେଶବ୍ୟାପୀ ବିରୋଧ କରାଯାଇଛି। ବିହାର ଏବଂ ଉତ୍ତର ପ୍ରଦେଶରେ ଟ୍ରେନ୍ ଜାଳିଦେଇଛନ୍ତି ଆନ୍ଦୋଳନକାରୀ। ବିହାରର ବିଭିନ୍ନ ଷ୍ଟେସନରେ ଜୋରଦାର ପ୍ରତିବାଦ କରିବା ସହ ଆନ୍ଦୋଳନକାରୀମାନେ ଟ୍ରେନରେ ନିଆଁ ଲଗାଇ ଦେଇଥିବା ଦେଖିବାକୁ ମିଳିଛି । ଏଥିସହ ଷ୍ଟେସନରେ ଭଙ୍ଗାରୁଜା କରିଛନ୍ତି ଆନ୍ଦୋଳନକାରୀ । ଭଙ୍ଗାରୁଜା ବେଳେ କିଛି ସ୍ଥାନରେ ପୁଲିସ ସହ ମୁହାଁମୁହିଁ ସ୍ଥିତି ଉପୁଜିଛି । ବିହାର ବେଗୁସରାଇର ଲକ୍ଷୀସରାଇ ଷ୍ଟେସନରେ ଆନ୍ଦୋଳନକାରୀମାନେ ଟ୍ରେନ୍ ଜାଳି ଦେଇଛନ୍ତି ।
ସେହିପରି ଲଖମିନିଆରେ ରେଳ ଷ୍ଟେସନରେ ନିଆଁ ଲଗାଇ ଦେଇଛନ୍ତି ଆନ୍ଦୋଳନକାରୀ । ସେହିପରି ଆରାରା, ବକ୍ସର ଓ ବେତିହାରେ ମଧ୍ୟ ଜୋରଦାର ପ୍ରତିବାଦ ଦେଖିବାକୁ ମିଳିଛି । ଆନ୍ଦୋଳନକାରୀମାନେ ବିଭିନ୍ନ ସ୍ଥାନରେ ପୋଡ଼ାଜଳା କରିବା ସହ ବିକ୍ଷୋଭ କରୁଛନ୍ତି । ଉତ୍ତର ପ୍ରଦେଶ ବଲିଆରେ ମଧ୍ୟ ସମାନ ଚିତ୍ର ଦେଖିବାକୁ ମିଳିଛି। ତେଲେଙ୍ଗାନାର ସିକନ୍ଦରାବାଦରେ ମଧ୍ୟ ଟ୍ରେନ୍ ଜାଳି ଦେଇଛନ୍ତି ବିକ୍ଷୋଭକାରୀ । ଏହି ଯୋଜନାରେ ଥିବା ଚାକିରି ସର୍ତ୍ତାବଳୀକୁ ବିରୋଧ କରି ସେନାରେ ଆଶାୟୀମାନେ ଆନ୍ଦୋଳନ ଜାରି ରଖିଛନ୍ତି।
ଅନ୍ୟପଟେ ଅଗ୍ନିପଥ ସ୍କିମକୁ ନେଇ ୱେଷ୍ଟର୍ଣ୍ଣ କମାଣ୍ଡ ମୁଖ୍ୟ ଲେଫ୍ଟନାଣ୍ଟ ଜେନେରାଲ ନବ କୁମାର ଖଣ୍ଡୁରୀ କହିଛନ୍ତି ଯେ, ଅଗ୍ନିପଥ ଦାୟିତ୍ୱ ସଂପନ୍ନ ନାଗରିକ ଭେଟି ଦେବ । ୪ ବର୍ଷ ପରେ ଅଗ୍ନିବୀର ମାନେ ଶୃଙ୍ଖଳିତ, ଦକ୍ଷ ମଣିଷ ହୋଇ ବାହାରିବେ। ୪ ବର୍ଷର ଚାକିରି ପରେ ଯେତେବେଳେ ସେମାନେ ଫେରିବେ ସେମାନଙ୍କ ନୂଆ ପରିଚୟ ସୃଷ୍ଟି ହେବ । ସମାଜକୁ ଜଣେ ଦକ୍ଷ, ଦାୟିତ୍ୱସଂପନ୍ନ ଏବଂ ଶୃଙ୍ଖଳିତ ଯବାନ ଭେଟି ଦେବ ଅଗ୍ନିପଥ । ତା’ସହ ୪ ବର୍ଷ ପରେ ସେମାନେ କିପରି କର୍ମ ନିଯୁକ୍ତି ପାଇବେ ସେ ନେଇ ବି ଯୋଜନା ପ୍ରସ୍ତୁତ ହୋଇଛି ବୋଲି ସେ କହିଛନ୍ତି।

nis-ad
Leave A Reply

Your email address will not be published.